ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେମିତି ଅପହରଣ ହେଲେ ଅମୃତ ପାତ୍ର? କିଏ ତାଙ୍କୁ କରିଥିଲା ଅପହରଣ? ଅପହର୍ତ୍ତାମାନେ ତାଙ୍କୁ କେଉଁଠି ରଖିଥିଲେ? ଏହାର ଲୋମ ଟାଙ୍କୁରା ଦୃଶ୍ୟ ଆଜି ଗଣମାଧ୍ୟମ ଆଗରେ ବର୍ଣ୍ଣନା କରିଛନ୍ତି ଅମୃତ ପାତ୍ର।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁର ଅମୃତ ପାତ୍ର। ଗତ ୧୫ ତାରିଖ ସନ୍ଧ୍ୟା ବେଳେ ଟ୍ୟୁସନ୍ରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅମୃତଙ୍କ କହିବା ଅନୁସାରେ ସଞ୍ଜ ନଇଁ ଆସୁଥିଲା। ଟ୍ୟୁସନ୍ରୁ ସାଇକେଲ୍ରେ ତରତର ହୋଇ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କୁ ଆଗକୁ ଯିବା ପାଇଁ ବାଟ ଛାଡ଼ିନଥିଲେ। ପରେ ତାଙ୍କୁ ଧରି ପକାଇ ଥିଲେ। ପାଟି କରିବାରୁ ତା’ ପାଟି ବନ୍ଦ କରି ଦେଇଥିଲେ। ତା’ପରେ ତାଙ୍କୁ ଗାଡ଼ି ଭିତରେ ପୂରାଇ ଦେଇଥିଲେ। ପ୍ରଥମେ ତାଙ୍କୁ ଗୋଦାମ ଭାଇ ଗ୍ୟାରେଜକୁ ନେଇଯାଇ ଥିଲେ। ସେଠାରେ ତାଙ୍କୁ ୨ରୁ ୩ ଘଣ୍ଟା ରଖିଥିଲେ। ପରେ ତାଙ୍କୁ କୁରାଳ ପଣ୍ଡିତସାହିକୁ ନେଇ ଯାଇଥିଲେ। ତାଙ୍କୁ ଜଣେ ଜଗୁଥିଲେ ବୋଲି ଅମ୍ରିତ କହିଛନ୍ତି।
ଅମ୍ରିତ କହିଛନ୍ତି, ବାଡ଼ାବାଡ଼ି କରୁ ନ ଥିଲେ। ଖାଇବାକୁ ବିସ୍କୁଟ ଓ ପକୁଡି ଦେଉଥିଲେ। ଚିଲେଇଲେ ତଣ୍ଟିକାଟି ଦେବେ ବୋଲି ଧମକ ଦେଇଥିଲେ। ତେଣୁ ଭୟରେ ଚୁପ୍ ରହିଥିଲେ। ଦୁର୍ବୃତ୍ତମାନେ ମୁଖା ପିନ୍ଧିଥିଲେ ମଧ୍ୟ ଗାଁ ଲୋକ ବୋଲି ଜାଣି ପାରିଥିଲି ବୋଲି ଅମୃତ କହିଛନ୍ତି।
ଅନ୍ୟପକ୍ଷରେ ଅପହରଣ ନେଇ ନୟାଗଡ଼ ଏସ୍ପି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନ ପଣ୍ଡା ଓ ତାଙ୍କ ଭାଇ ଭକ୍ତଦର୍ଶନ ପଣ୍ଡା ଋଣ କରି ୯ ଲକ୍ଷ ଟଙ୍କାର ଏକ ପିକ୍ଅପ୍ କିଣିଥିଲେ। ଏଥିସହ ୩ଟି ଫାଇନାନ୍ସ କମ୍ପାନୀରୁ ମଧ୍ୟ ଋଣ କରିଥିଲେ। ମାତ୍ର ଋଣ ଟଙ୍କା ଠିକ୍ ସମୟରେ ପରିଶୋଧ କରିପାରୁନଥିଲେ। ଇଏମ୍ଆଇ ଟଙ୍କା ଦେଇପାରୁନଥିବାରୁ ଫାଇନାନ୍ସ କମ୍ପାନୀ କାଡି ନେଇ ଯିବାକୁ ଧମକ ଦେଉଥିଲା। ଗାଡ଼ି ଟଙ୍କା କେମିତି ପରିଶୋଧ କରିବେ ସେହି ଚିନ୍ତାରେ ପଡ଼ି ଯାଇଥିଲେ ଦୁଇ ଭାଇ। ତେଣୁ ତାଙ୍କ ମୁଣ୍ଡକୁ ଅପହରଣର ଉପାୟଟି ଜୁଟିଥିଲା। ସେପଟେ କୁରାଳ ଗାଁ କାଳିଆ ପାତ୍ର ଜଣେ ଧନୀ ବ୍ୟକ୍ତି। ତାଙ୍କ ପାଖରେ ୫୦ରୁ ୬୦ ଲକ୍ଷ ଥିବା ଜାଣିପାରିଥିଲେ ଦୁଇ ଭାଇ। ତେଣୁ ତାଙ୍କ ପୁଅ ଅମୃତଙ୍କୁ ଅପହରଣ କରି ୮ରୁ ୯ ଟଙ୍କା ମାଗିବା ପାଇଁ ଦୁଇ ଭାଇ ପ୍ଲାନ୍ କରିଥିଲେ ବୋଲି ଏସ୍ପି କହିଛନ୍ତି।
ଏସ୍ପିଙ୍କ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନ ଓ ତାଙ୍କ ଭାଇ ଭକ୍ତଦର୍ଶନ ଅପହରଣରେ ସହଯୋଗ କରିବା ପାଇଁ ବନ୍ଧୁ ସୁନୀଲ ପାଣିଗ୍ରାହୀଙ୍କ ସହଯୋଗ ଲୋଡ଼ିଥିଲେ। ସେ ମଧ୍ୟ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଥିଲେ। ଏହା ପରେ ତିନି ଜଣ ମିଶି ୧୫ ତାରିଖ ସନ୍ଧ୍ୟାରେ ଅମୃତଙ୍କୁ ଅପହରଣ କରିଥିଲେ। ଅପହରଣ ପରେ ଟଙ୍କା ମାଗିବା ପୂର୍ବରୁ ଘଟଣା ବିଭିନ୍ନ ସୋଶାଲ ମିଡ଼ିଆ ଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପୁଲିସ୍ରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ଗାଁରେ ଚକ୍କର କାଟିଥିଲା। ଯେଉଁଥିପାଇଁ ଟଙ୍କା ମାଗିବାକୁ ସାହସ କରିପାରିନଥିଲେ ସ୍ୱପ୍ନ ଓ ଭକ୍ତଦର୍ଶନ। ତେଣୁ କିଛି ଉପାୟ ନପାଇ ତାଙ୍କ ଛାଡ଼ି ପଳାଇ ଯାଇଥିଲେ ବୋଲି ଏସ୍ପି କହିଛନ୍ତି।
ଅମୃତଙ୍କ ତଥ୍ୟ ଆଧାରେ ପୁଲିସ୍ ସ୍ୱପ୍ନ ଓ ଭକ୍ତଦର୍ଶନଙ୍କୁ ଅଟକ ରଖି ଜେରା କରିଥିଲା। ପରେ ସୁନୀଲଙ୍କୁ ମଧ୍ୟ ଉଠାଇ ଆଣି ଜେରା କରିଥିଲା। ଘନଘନ ଜେରା ପରେ ଟଙ୍କା ପାଇଁ ସେମାନେ ଅପହରଣ କରିଥିବା ସ୍ୱୀକାର କରିଥିଲେ। ସେମାନଙ୍କ ବୟାନ୍ ଆଧାରରେ ପୁଲିସ୍ ଅମ୍ରିତଙ୍କୁ ରଖିଥିବା ଘରୁ ଆରିପାତ, ଗାମୁଛା, ବିସ୍କୁଟ୍ ଆଦି ଜବତ କରିଛି। କୂଅରୁୁ ଅମୃତଙ୍କ ସ୍କୁଲ ବ୍ୟାଗ୍ ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।