ଅଣ୍ଡାମାଡ଼ ଘଟଣା ଜାରି ରହିଲେ ‘ଯେସାକୁ ତେସା’ ନୀତି ଆପଣେଇବ ବିଜେଡି: ପ୍ରତାପ ଦେବ

ଭୁବନେଶ୍ୱର: ଦୁଇ ଦୁଇ ଜଣ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଘଟଣା ରାଜନୈତିକ ରୂପ ନେବାରେ ଲାଗିଛି। ଗତ ୩ଦିନ ହେବ ଚାଲିଥିବା ଏହି ଧାରାକୁ ନେଇ ଆଜି ବିଜେଡି ଦୃଢ ଜବାବ ଦେଇଛି। କଂଗ୍ରେସ କର୍ମୀ ଏଥିରୁ ନିବୃତ୍ତ ନ ରହିଲେ, ବିଜେଡି ‘ଯେସାକୁ ତେସା’ ନୀତି ଆପଣାଇବ ବୋଲି ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଏପରି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ଆମେ ପ୍ରସ୍ତୁତ […]

deogarh3

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 02:34 PM IST

ଭୁବନେଶ୍ୱର: ଦୁଇ ଦୁଇ ଜଣ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଘଟଣା ରାଜନୈତିକ ରୂପ ନେବାରେ ଲାଗିଛି। ଗତ ୩ଦିନ ହେବ ଚାଲିଥିବା ଏହି ଧାରାକୁ ନେଇ ଆଜି ବିଜେଡି ଦୃଢ ଜବାବ ଦେଇଛି। କଂଗ୍ରେସ କର୍ମୀ ଏଥିରୁ ନିବୃତ୍ତ ନ ରହିଲେ, ବିଜେଡି ‘ଯେସାକୁ ତେସା’ ନୀତି ଆପଣାଇବ ବୋଲି ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଏପରି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି। ଯାହାକୁ ନେଇ ଦୁଇ ଦଳ ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି।

ଦେବଗଡ଼ରେ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଗଲା। ଏହା ପୂର୍ବରୁ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗାଡ଼ିକୁ ଛତ୍ରପୁର ଓ ପୁରୀରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଟାର୍ଗେଟ କରାଯାଇ ଅଣ୍ଡାମାଡ଼ କରାଯାଇଥିଲା। ଏସବୁ ଘଟଣାକୁ ଗୁରୁତର ସହ ବିଜେଡି ନେଇଛି। ଦଳର ଉପସଭାପତି ତଥା ମନ୍ତ୍ରୀ ଦାମୋଦର ରାଉତ ଅଣ୍ଡାମାଡ଼ ଘଟଣାକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ବିରୋଧୀ ହୀନ ରାଜନୀତି କରୁଛନ୍ତି। ଶସ୍ତା ରାଜନୀତି ଯିଏ କରନ୍ତି, ରାସ୍ତାରେ ଅଣ୍ଡା ପକାଇଥାନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ଅଣ୍ଡାମାଡ଼ ଘଟଣାକୁ ନେଇ କଂଗ୍ରେସରେ ତୁ ତୁ ମେଁ ମେଁ ଲାଗି ରହିଛି। ଲୁଲୁ ମହାପାତ୍ର ଏପରି ଘଟଣାକୁ ସମର୍ଥନ କରି ପିଲାମାନେ ଯାହା କରୁଛନ୍ତି ଠିକ କରୁଛନ୍ତି ବୋଲି କହିଛନ୍ତି। ତେବେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଓ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଏପରି ଘଟଣାକୁ ନାପସନ୍ଦ କରିବା ସହ ଏଥିରେ କଂଗ୍ରେସର ହାତ ନ ଥିବା କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଏଥିରେ ଦଳର କୌଣସି ଛାତ୍ର ଓ ଯୁବ କର୍ମୀ ସମ୍ପୃକ୍ତ ନାହାନ୍ତି। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ଏପରି ଛୋଟ କାମ କରିବେ ନାହିଁ। କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କହିଛନ୍ତି, ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ। ଗଣତନ୍ତ୍ର ଉପାୟରେ ବିକ୍ଷୋଭ ଓ ପ୍ରତିବାଦ କରିବୁ। ଅଣ୍ଡାମାଡ଼ କରାଯିବା ଦଳର ନିଷ୍ପତ୍ତି ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Related story