ରାଜଧାନୀ ଉପକଣ୍ଠରେ ନଗଡ଼ା, ଅପପୁଷ୍ଟିରେ ସଢ଼ୁଛନ୍ତି ୯୮୨ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପପୁଷ୍ଟିର କଥା ମନେ ପଡ଼ିଲେ ମନକୁ ଆସେ ‘ନଗଡ଼ା’। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଏହି ଗାଁରେ ଅପପୁଷ୍ଟି ନେଇଛି ୧୯ରୁ ଅଧିକ ଶିଶୁଙ୍କ ଜୀବନ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ନଗଡ଼ା। ପରେ ବଡ଼ବଡ଼ ବାବୁମାନେ ନଗଡ଼ା ଯାଇଥିଲେ। ସ୍ଥିତି ଅନୁଧ୍ୟାନ ପରେ ସରକାର ଯୋଜନା ପ୍ରସ୍ତୁତି କରିଥିଲେ। ଯେଉଁଠିକି ଦିନେ ଯାତାୟତର ସୁବିଧା ନଥିଲା। ସେହି ଗାଁକୁ ରାସ୍ତା […]

muni

Manoranjan Sial
  • Published: Friday, 25 October 2019
  • , Updated: 25 October 2019, 09:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପପୁଷ୍ଟିର କଥା ମନେ ପଡ଼ିଲେ ମନକୁ ଆସେ ‘ନଗଡ଼ା’। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଏହି ଗାଁରେ ଅପପୁଷ୍ଟି ନେଇଛି ୧୯ରୁ ଅଧିକ ଶିଶୁଙ୍କ ଜୀବନ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ନଗଡ଼ା। ପରେ ବଡ଼ବଡ଼ ବାବୁମାନେ ନଗଡ଼ା ଯାଇଥିଲେ। ସ୍ଥିତି ଅନୁଧ୍ୟାନ ପରେ ସରକାର ଯୋଜନା ପ୍ରସ୍ତୁତି କରିଥିଲେ।

ଯେଉଁଠିକି ଦିନେ ଯାତାୟତର ସୁବିଧା ନଥିଲା। ସେହି ଗାଁକୁ ରାସ୍ତା ନିର୍ମାଣ ହେଲା, ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ହେଲା। ହେଲେ କଣ ହେବ ଆଜି ପର୍ଯ୍ୟନ୍ତ ଅପପୁଷ୍ଟି ପରି ବ୍ୟାଧିରୁ ମୁକୁଳି ପାରିନି ନଗଡ଼ା! ଇଏ ତ ଗଲା ଯାଜପୁର ଜିଲ୍ଲା ନଗଡ଼ା କଥା। ହେଲେ ବଡ଼ବଡ଼ିଆ ବାବୁ ଓ ଖୋଦ ମୁଖ୍ୟମନ୍ତ୍ରୀ ରହୁଥିବା ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଦେଖିବାକୁ ମିଳିଛି ଅପପୁଷ୍ଟିର ଆଉ ଏକ ‘ନଗଡ଼ା’। ଯାହା ଏବେ ସରକାରୀ କଳର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ଏଠି ଅପପୁଷ୍ଟିରେ ସଢୁଛନ୍ତି ଶହ ଶହ ଶିଶୁ। ଏମିତିକି ଅପପୁଷ୍ଟିର ସରକାରୀ ତାଲିକାରେ ଖୋର୍ଦ୍ଧା ଜିଲ୍ଲାର ୯୮୨ ଜଣ ଶିଶୁଙ୍କ ନାଁ ରହିଛି। ହେଲେ ସେଥିରୁ ସେମାନଙ୍କୁ ମୁକୁଳାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

ରାଜଧାନୀ ଉପକଣ୍ଠରେ ରହିଛି ଗୋଡ଼ିବାରି। ସହର ପାଖରେ ଥିବା ଏହି ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। କିନ୍ତୁ ଛୋଟି ପିଲାଙ୍କ ପଢ଼ିବା ପାଇଁ ଗାଁରେ ରହିଛି ଏକ ଅଙ୍ଗନବାଡ଼ି କେନ୍ଦ୍ର। ଏଠାକୁ ପାଠ ପଢ଼ିବା ପାଇଁ ନିଇତି ଆସନ୍ତି ପିଲା। ତେବେ ସେମାନଙ୍କ ଭିତରୁ ଜଣେ କୁନି ଝିଅ ହେଉଛି ମୁନ୍ନି। ତା’ର ବୟସ ୪ ଦିନ ପରେ ୫ ବର୍ଷ ଚାଲିବ। ହେଲେ ତା’ର ଓଜନ ୮ କେଜି ୮ ଶହ। କିଛି ଦିନ ତଳେ ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆର୍‌ବିଏସ୍‌କେ)ରେ ମୁନ୍ନିର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ହେଲେ ଆଶ୍ଚର୍ଯ୍ୟର ବିଷୟ, ମୁନ୍ନିର ନାଁ ସିଭିୟର ଆକ୍ୟୁଟ୍‌ ମାଲ୍ ନ୍ୟୁଟ୍ରିସନ (ସାମ୍) ତାଲିକାରେ ନାହିଁ। ଯେଉଁଥିପାଇଁ ସେ ଉପଯୁକ୍ତ ପୋଷଣ କିମ୍ୱା ଚିକିତ୍ସାରୁ ବଞ୍ଚିତ ଅଛନ୍ତି। ମୁନ୍ନି ଭଳି ବୁଣ୍ଡା ହାଁସଦା ଓ ସୁରେଶ ବାଙ୍ଗସିଙ୍ଗଙ୍କୁ ମଧ୍ୟ ଅପପୁଷ୍ଟି ଗ୍ରାସିଥିବା ଜଣାପଡ଼ିଛି। ସେହିପରି ପାଖ ବାରାପିଟା ଗାଁରେ ଅନେକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଯେଉଁଥିପାଇଁ ପାଇଁ ସେମାନଙ୍କ ମୁଣ୍ଡ-ପେଟ ବଡ଼, ଗୋଡ଼ହାତ ସରୁ ହୋଇଥିବା ଦେଖିବାକୁ ମିଳିଛି।

ଦାରୁଠେଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପିଲାମାନେ ଅପପୃଷ୍ଟିରେ ଶିକାର ହୋଇଥିବାରୁ ବୟସ ଅନୁସାରେ ଉଚ୍ଚତା ବଢୁନି। ଆଉ କାହାର ବୟସ ତୁଳନାରେ ଓଜନ ଢେର ଅଧିକ ରହୁଛି। ତେଣୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏମାନଙ୍କ ଭିତରୁ ୧୩ ଜଣ ପୁଷ୍ଟିହୀନତାରେ ପୀଡ଼ିତ ଥିବା ଚିହ୍ନଟ କରିଛି ଆର୍‌ବିଏସ୍‌କେ ଟିମ୍‌। ହେଲେ ଦୁର୍ଭାଗ୍ୟର ବିଷୟ ପୁଷ୍ଟିହୀନତାରୁ ଏମାନେ କେମିତି ବର୍ତ୍ତିବେ ସେଥିପାଇଁ କୌଣସି ପଦକ୍ଷେପ ନିଆଯାଇନି। ଗୋଡ଼ିବାରୀ, ଦାରୁଠେଙ୍ଗ ପରି ଗତ ୬ ମାସରେ ଖୋର୍ଦ୍ଧା ଜିଲ୍ଲାରେ ୯୮୨ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚିହ୍ନଟ ହୋଇଛନ୍ତି। ହେଲେ ଅଭିଯୋଗ ହେଉଛି, ଚିହ୍ନଟ ପ୍ରକ୍ରିୟା ଠିକ ନଥିବାରୁ ଏ ସଂଖ୍ୟା ଯଥେଷ୍ଟ ଅଧିକ ହୋଇପାରେ।

Related story