୨୦୦ ବର୍ଷ ପରେ ସାଧାରଣ ଲୋକଙ୍କୁ ମିଳିବ ରାଜପ୍ରାସାଦ ବୁଲିବାର ସୁଯୋଗ

ବାରିପଦା(ମାଣିକ୍‌ଲାଲ୍‌ ପାଣି): ରାଜ ଶାସନ ନାହିଁ। କିନ୍ତୁ ରହିଛି ରାଜ ଶାସନର ମୁକସାକ୍ଷୀ। ଯାହାକୁ ଏବେବି ସାଇତି ରଖିଛନ୍ତି ରାଜପରିବାରର ବର୍ତ୍ତମାନର ପିଢ଼ି। ଏବେ ରାଜାଙ୍କର ସେହି ଭବ୍ୟ ପ୍ରାସାଦ ସର୍ବ ସାଧାରଣଙ୍କ ପାଇଁ ଖୋଲିଛି। ଯାହାକୁ ସାଧାରଣ ଲୋକେ ଦେଖିବା ସହିତ ମୟୂରଭଞ୍ଜର କଳା, ସଂସ୍କୃତି ଓ ଐତିହ୍ୟକୁ ମନଭରି ଉପଭୋଗ କରିପାରିବେ। ଏଥିପାଇଁ ନିଜ ଆଡୁ ଆଗେଇ ଆସିଛନ୍ତି ମୟୂରଭଞ୍ଜ ରାଜପରିବାରର ସଦସ୍ୟମାନେ।

୨୦୦ ବର୍ଷ ପରେ ପ୍ରଥମ ଥର ସାଧାରଣ ଲୋକଙ୍କ ପାଇଁ ମୟୂରଭଞ୍ଜର ବେଲଗଡ଼ିଆ ରାଜପ୍ରସାଦର ଦ୍ୱାର ଖୋଲିଛି। ଏକଦା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ମୟୂରଭଞ୍ଜ ନିଜସ୍ୱ କଳା, ସଂସ୍କୃତି, ସଭ୍ୟତା ତଥା ଐତିହ୍ୟ ଯୋଗୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ମାତ୍ର ଏହି ରାଜ୍ୟ ଓଡ଼ିଶାରେ ବିଲୀନ ହେବା ପରେ ଉପଯୁକ୍ତ ସଂରକ୍ଷଣ ଅଭାବରୁ ଏହା ଧୀରେ ଧୀରେ ମଳିନ ପଡ଼ି ଯାଇଥିଲା। ତେବେ ମୟୂରଭଞ୍ଜରେ ପ୍ରାୟ ଏକ ହଜାର ବର୍ଷ ଧରି ଶାସନ କରିଥିବା ଭଞ୍ଜଦେଓ ରାଜବଂଶର ବର୍ତ୍ତମାନ ପିଢ଼ି ଏସବୁର ସଂରକ୍ଷଣ ସାଙ୍ଗକୁ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିଛନ୍ତି।

ବାରିପଦା ସହର ବେଲଗଡ଼ିଆରେ ରହିଛି ଭଞ୍ଜଦେଓ ରାଜବଂଶର ରାଜବାଟୀ। ତେବେ ମୁଖ୍ୟ ପ୍ରାସାଦଟିକୁ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୫୮ ମସିହାରେ ଏମ୍‌.ପି.ସି କଲେଜ ପାଇଁ ଶିକ୍ଷା ବିଭାଗକୁ ପ୍ରଦାନ କରିଦେଇଥିଲେ। ଏହା ପରେ ରାଜପରିବାର ସଦସ୍ୟମାନେ ବେଲଗଡ଼ିଆ କୋଠୀରେ ରହି ଆସୁଛନ୍ତି।

୩୦ ଏକରରୁ ଅଧିକ ଅଞ୍ଚଳରେ ପରିତ୍ୟକ୍ତ ଏହି ପ୍ରାସାଦଟି ୧୮୦୪ ମସିହାରେ ଭିକ୍ଟୋରିଆନ୍‌ ଶୈଳୀରେ ନିର୍ମାଣ କରାଯାଇଥିଲା। ଏହି ରାଜବାଟୀ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲେ ମଧ୍ୟ ସାଧାରଣ ଲୋକେ ଏହା ଭିତରକୁ ପ୍ରବେଶ କରିପାରୁନଥିଲେ। ତେବେ ରାଜବଂଶର ବର୍ତ୍ତମାନର ପିଢ଼ି ଏକ ମହତ ଉଦ୍ଦେଶ୍ୟ ରଖି ସମସ୍ତଙ୍କ ପାଇଁ ଏହାର ଦ୍ୱାର ଖୋଲି ଦେଇଛନ୍ତି। ଏପରିକି ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ମୟୂରଭଞ୍ଜର ଛଉନୃତ୍ୟ, ଡୋକ୍ରା, ବାଉଁଶ ଓ ସବାଇଘାସର ହସ୍ତକଳା ସହିତ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଏହି ରାଜପ୍ରସାଦ ମୁଖ୍ୟ ଭୂମିକା ନେବ ବୋଲି ରାଜକୁମାରୀ ମୃଣାଳିମା ମଞ୍ଜରୀ ଭଞ୍ଜଦେଓ କହିଛନ୍ତି।

ବେଲଗଡ଼ିଆ କୋଠୀକୁ ବର୍ତ୍ତମାନ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। ସେମାନଙ୍କ ପାଇଁ ନିୟମିତ ଭାବେ ଛଉ ନୃତ୍ୟ ପରିବେଷଣ କରାଯାଉଛି। ଏହା ଦ୍ୱାରା ଛଉନୃତ୍ୟର ପ୍ରଚାର ପ୍ରସାର ହେବା ସହିତ କଳାକାରମାନେ ସ୍ୱାବଲମ୍ୱୀ ହୋଇପାରୁଛନ୍ତି। ଏହା ମାଧ୍ୟମରେ ବିଦେଶରେ ମଧ୍ୟ ଛଉ ନୃତ୍ୟର ପ୍ରଚାର ପ୍ରସାର ହୋଇପାରିବ। ସେହିପରି ରାଜ ପରିବାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସାଙ୍ଗରେ ନେଇ ବାଉଁଶ, ସବାଇଘାସ, ଡୋକ୍ରା ଆଦି ହସ୍ତକଳାର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଉଛି। ଯାହାଫଳରେ ଏହି ସବୁ ସାମଗ୍ରୀର ନୂତନ ବଜାର ସୃଷ୍ଟି ହୋଇପାରିବ।

ଏଥିରୁ ସଂଗୃହୀତ ଲାଭାଂଶ ମୟୂରଭଞ୍ଜର ଐତିହ୍ୟର ସଂରକ୍ଷଣ, ଛଉନୃତ୍ୟ ଓ ହସ୍ତକଳାର ବିକାଶ, କୁଷ୍ଠରୋଗୀମାନଙ୍କ ଚିକିତ୍ସା, ଆଦିବାସୀ ବାଳିକାମାନଙ୍କ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ କହିଛନ୍ତି।