ସବୁ ନିୟମକୁ ଫୁ’ କରିଦେଇଛି ସମବାୟ ବ୍ୟାଙ୍କ: ଦେଉଳଠୁ ମୁଖଶାଳା ବଳିଗଲା, ଚେତାଇଲା ନାବାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଓ ମନମୁଖୀ ପରିଚାଳନା ଯୋଗୁ ରାଜ୍ୟ ସମବାୟ ବ୍ୟାଙ୍କ ଓ ତା’ର ଶାଖା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ ଅସ୍ଥିରତା ଭିତରକୁ ଠେଲି ହେବାରେ ଲାଗିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଯେଉଁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମୂଳଧନ ଯେତିକି ନୁହେଁ ତା’ଠୁ ଅଧିକ ପରିମାଣର ଋଣ ଆବଂଟନ ହୋଇଛି । ଆଉ ସମସ୍ତ ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା ସିଇଓ( ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ)ଙ୍କ ମଧ୍ୟରୁ କେହି ବି ଏହି ପଦ ନିମନ୍ତେ ଉପଯୁକ୍ତ ଯୋଗ୍ୟତା ରଖିନାହାନ୍ତି । ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୮ଜଣ ସିଇଓଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ଏନେଇ ରିଜର୍ଭ ବ୍ୟାଙ୍କର ଅନୁମତି ନିଆଯାଇନାହିଁ । ଯାହାକି ବ୍ୟାଙ୍କିଙ୍ଗ୍ ନିୟମାବଳୀ-୧୯୪୯ର ଧାରା-୩୫-ଖ’ର ସିଧାସଳଖ ଉଲ୍ଲଘଂନ ମଧ୍ୟ । ଉପରୋକ୍ତ ସମସ୍ତ ଅସଙ୍ଗତି ଓ ବିପର୍ଯ୍ୟସ୍ତ ପରିଚାଳନା ସମ୍ପର୍କରେ ୧୮ତମ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକରେ ନାବାର୍ଡ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନାଗତ ତ୍ରୁଟି ସମ୍ପର୍କରେ ନାବାର୍ଡ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି । ରାଜ୍ୟରେ ଥିବା ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦାୟିତ୍ୱରେ ଥିବା ସିଇଓମାନଙ୍କ ମଧ୍ୟରୁ କେହି ଜଣେ ବି ଏହି ପଦବୀ ନିମନ୍ତେ ଯୋଗ୍ୟ ନୁହଁନ୍ତି । କିମ୍ବା ସେମାନଙ୍କର କାହାରିବି ଏହି ପଦବୀ ପାଇଁ ଅଭିଜ୍ଞତା ନାହିଁ । ସେହିପରି ରିଜର୍ଭ ବ୍ୟାଙ୍କର ବିନାନୁମତି ଓ ନିୟମକୁ ଖୋଲା ଉଲ୍ଲଘଂନ କରି ଏହି ବ୍ୟାଙ୍କଗୁଡ଼ିକ ପରିଚାଳିତ ହେଉଛନ୍ତି । ବ୍ୟାଙ୍କିଙ୍ଗ ନିୟମ-୧୯୪୯ର ଧାରା-୯ ଅନୁସାରେ କୌଣସି ବ୍ୟାଙ୍କ ୭ବର୍ଷରୁ ଅଧିକ ସମୟ ଧରି କୌଣସି ସ୍ଥାବର ସମ୍ପତ୍ତିକୁ ନିଜ ପାଖରେ ରଖିପାରିବ ନାହିଁ ଓ ଏଥିପାଇଁ ରିଜର୍ଭ ବ୍ୟାଙ୍କର ଅନୁମତି ଜରୁରୀ । କିନ୍ତୁ ରାଜ୍ୟ ସମବାୟ ବ୍ୟାଙ୍କ ୨୪ଟି ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ୯ଟି ସ୍ଥାବର ସମ୍ପତ୍ତିକୁ ଆହରଣ କରିଛନ୍ତି । ଆଉ ଏଥିରୁ ମାତ୍ର ୪ଟି ସମ୍ପତ୍ତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କରୁ ଅନୁମତି ଆଣିଛନ୍ତି।

ସେହିପରି ଏହି କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ନୂଆ ଗ୍ରାହକ ସୃଷ୍ଟି ନକରି ମନଇଚ୍ଛା ଋଣ ପ୍ରଦାନ କରିଛନ୍ତି । ୨୦୧୯ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଏହି ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ମୋଟ ବକେୟା(ଋଣ ପରିମାଣ) ୧୯୫୦କୋଟି ଟଙ୍କା ଥିବାବେଳେ ତାହା ୨୦୨୧-୨୨ରେ ୩୬୪୬.୪୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହାକି ମାତ୍ର ୩ବର୍ଷରେ ୮୭% ଅଧିକ ବୋଲି ଜଣାପଡ଼ିଛି । ଆଉ ଏହି ବକେୟା ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଇଛି ।  ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏହି ପରିମାଣ ୨୩୪୩.୯୭କୋଟି, ୨୦୨୧ ମାର୍ଚ୍ଚ ସୁଦ୍ଧା ୨୯୭୪ କୋଟି ଟଙ୍କା ବକେୟା ଏସବୁ ବ୍ୟାଙ୍କର ରହିଥିଲା ।

ସେହିପରି ବଲାଙ୍ଗିର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଋଣ ପରିମାଣ ନିଜ ମୂଳଧନର ପ୍ରାୟ ୨୬୮.୪୦%କୁ ବୃଦ୍ଧି ପାଇଥିଲା । ଭବାନୀପାଟଣା କେନ୍ଦ୍ରୀୟ ବ୍ୟାଙ୍କରେ ୨୬୧.୪୨%, ସମ୍ବଲପୁର ବ୍ୟାଙ୍କରେ ୧୩୯.୩୧ ପ୍ରତିଶତ ଓ କୋରାପୁଟରେ ୧୦୧.୬୪ ପ୍ରତିଶତ ଅର୍ଥ ବକେୟା ରହିଥିଲା । କେବଳ ବର୍ଷକ ମଧ୍ୟରେ ୨୦୨୧ ମାର୍ଚ୍ଚ ୩୧ରୁ ୨୦୨୨ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୨୨୩.୬%, ବାଙ୍କିରେ ୬୩.୫% ଓ ବଲାଙ୍ଗିରରେ ୫୬.୬% ଋଣ ପରିମାଣ ମୂଳଧନ(ପ୍ରନ୍ସିପାଲ) ବୃଦ୍ଧି ପାଇଛି।

ତେବେ ପ୍ରଶ୍ନ ଉଠୁଛି, ସବୁ ନିୟମକୁ ଜଳାଞ୍ଜଳି ଦେଇ ଅଭିଜ୍ଞତା ନଥିବା ସିଇଓମାନଙ୍କୁ ବ୍ୟାଙ୍କ ଦାୟିତ୍ୱରେ ରଖି ବିଜେଡି ସରକାର କ’ଣ ଏସବୁ ବ୍ୟାଙ୍କକୁ ଦେବାଳିଆ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି କି? ତା’ ନହୋଇଥିଲେ ବ୍ୟାଙ୍କଗୁଡ଼ିକର ଅବସ୍ଥା ଦେଉଳଠୁ ମୁଖଶାଳାକୁ ବଳିବା ଭଳି ହୋଇନଥାନ୍ତା କିମ୍ବା ନାବାର୍ଡ ସତର୍କ କରାଇ ନଥାନ୍ତା । ପ୍ରାଥମିକ କୃଷି ସମବାୟ କେନ୍ଦ୍ର(ପ୍ୟାକ୍ସ)ଗୁଡ଼ିକର ଅଡିଟ୍ ମଧ୍ୟ ୧ରୁ ୫ବର୍ଷ ପର୍ଯ୍ୟନ୍ତ ପ୍ରାୟ ୨୪୭୧ଟି ପ୍ୟାକ୍ସର ନକରିବା ପଛରେ ରହସ୍ୟ କ’ଣ? କାହିଁକି ସମବାୟ ବ୍ୟାଙ୍କଗୁଡ଼ିକୁ ପେଷାଦାର ଢଙ୍ଗରେ ପରିଚାଳିତ କରିବାର ସୁଯୋଗ ରାଜ୍ୟ ସରକାର ଦେଉନାହାନ୍ତି । ଏସବୁ ବ୍ୟାଙ୍କଗୁଡ଼ିକରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ୪୭୬୧ ରହିଥିବାବେଳେ ଏବେ ସେଥିରୁ ୨୮୩୩ଟି ଖାଲି ପଡ଼ିଛି । କେବଳ କ୍ଲରିକାଲରେ ୬୩.୯% ପଦବୀ ଖାଲି ପଡ଼ିଛି । ରିଜର୍ଭ ବ୍ୟାଙ୍କର ସବୁ ନିୟମକୁ ଜଳାଞ୍ଜଳି ଦେଇ ଏସବୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନା ବିଜେଡି ସରକାରରେ କାହା ନିର୍ଦ୍ଦେଶରେ ହେଉଛି ତାହା ଏବେ ସବୁଠୁ ସାଧାରଣରେ ବଡ଼ ପ୍ରଶ୍ନ । ବେଳଥାଉ ଥାଉ ସାବଧାନ ନହେଲେ ଏହି ବ୍ୟାଙ୍କଗୁଡ଼ିକ ଆଉ କିଛି ବର୍ଷ ପରେ ସବୁଦିନ ପାଇଁ ବନ୍ଦ ହୋଇଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।