ସତରେ ମିଳିଲା ବନ୍ଦେ ଉତ୍କଳ ଜନନୀକୁ ‘ରାଜ୍ୟ ସଙ୍ଗୀତ’ ମାନ୍ୟତା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଶନିବାର ଅପରାହ୍ନ ସାଢ଼େ ୫ଟାରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ ସଫଳ ପାଇଁ ଏବେ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏସବୁ ମଧ୍ୟରେ ଏକ ନୂଆ ତଥ୍ୟ ପଦାକୁ ଆସିଛି। ସ୍ୱାଧୀନତା ପରଠୁ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଓଡ଼ିଶାର ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ଦେବା ପାଇଁ ଚାଲିଥିବା କସରତ ଶୀତଳ ଭଣ୍ଡାରରେ ରହିଥିବାବେଳେ ଅଚାନକ […]

Bande-Utkala-Janani

Bande-Utkala-Janani

Ranjit Kumar Jena
  • Published: Saturday, 30 May 2020
  • Updated: 30 May 2020, 03:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଦ୍ଧାଙ୍କ ସମ୍ମାନରେ ଶନିବାର ଅପରାହ୍ନ ସାଢ଼େ ୫ଟାରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ ସଫଳ ପାଇଁ ଏବେ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏସବୁ ମଧ୍ୟରେ ଏକ ନୂଆ ତଥ୍ୟ ପଦାକୁ ଆସିଛି। ସ୍ୱାଧୀନତା ପରଠୁ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଓଡ଼ିଶାର ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ଦେବା ପାଇଁ ଚାଲିଥିବା କସରତ ଶୀତଳ ଭଣ୍ଡାରରେ ରହିଥିବାବେଳେ ଅଚାନକ ଏହି ଗୀତକୁ ରାଜ୍ୟ ସରକାର ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ଦେଇଛନ୍ତି। ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରି ଏହି ‘ରାଜ୍ୟ ସଙ୍ଗୀତ’କୁ ଗାନ କରିବା ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ଦେଇଛନ୍ତି। ତେବେ ପ୍ରଥମଥର ପାଇଁ ୧୯୧୨ ମସିହାରେ ଉତ୍କଳ ସମ୍ମିଳନୀରେ ବୋଲାଯାଇଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ଗୀତକୁ ପ୍ରାୟ ୧୦୮ ବର୍ଷ ପରେ ରାଜ୍ୟ ସରକାର ସତରେ କ’ଣ ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ଦେଇଛନ୍ତି ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ତ ବିଭାଗ ଏହାକୁ ‘ରାଜ୍ୟ ସଙ୍ଗୀତ’ ବୋଲି ଦର୍ଶାଇ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ କରିଥିବାରୁ ସାଧାରଣ ଲୋକେ ସନ୍ଦେହ କରିବାର ସମ୍ଭାବନା କ୍ଷୀଣ।

ସୂଚନା ଅନୁସାରେ, କରୋନା ଯୋଦ୍ଧାଙ୍କ ସମ୍ମାନରେ ଶନିବାର ଅପରାହ୍ନ ସାଢ଼େ ୫ଟାରେ ପ୍ରତ୍ୟେକ ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୮ତାରିଖରେ ଭିଡିଓ ବାର୍ତ୍ତା ଜରିଆରେ ଅପିଲ କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର କିଛି ଘଣ୍ଟା ଭିତରେ ସେହି ଦିନ ସାଧାରଣ ପ୍ରଶାସନ ବିଭାଗର ଚିଠି ନମ୍ବର-୧୨୬ରେ ସରକାରୀ ବିଭାଗଗୁଡ଼ିକ କିଭଳି ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ପ୍ରୋଟୋକଲ ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗୀତକୁ ଗାଇବେ ସେ ନେଇ ଗାଇଡଲାଇନ୍ ଜାରି କଲେ। ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଟ ଭାବେ ବନ୍ଦେ ଉତ୍କଳ ଜନନୀକୁ ‘ରାଜ୍ୟ ସଙ୍ଗୀତ’ ବୋଲି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି। ଆଉ ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ ସେମାନଙ୍କ ଅଧୀନରେ ଥିବା ପଞ୍ଚାୟତିରାଜ ସଂସ୍ଥା ଓ ଅନ୍ୟ ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଇ ସେମାନେ ଯେଭଳି ଯଥାର୍ଥ ଓ ସମ୍ମାନଜନକ ଭାବେ ଏହି ‘ରାଜ୍ୟ ସଙ୍ଗୀତ’କୁ ଗାଇବେ ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ଦେଇଛି। ଅବଶ୍ୟ ‘ବନ୍ଦେ ଉତ୍କଳ ଜନନୀ’ ପରିବର୍ତ୍ତେ ‘ଭନ୍ଦେ ଉତ୍କଳ ଜନନୀ’ ବୋଲି ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

ତେବେ ପ୍ରଶ୍ନ ଉଠୁଛି, ଦୀର୍ଘବର୍ଷ ଧରି ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ଅପେକ୍ଷାରେ ଥିବା ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ରାଜ୍ୟ ସରକାର ଏଭଳି ତରବରିଆ ଓ ଲୁଚାଛପା ଭାବେ ମାନ୍ୟତା ଦେଲେ କେମିତି? କେଉଁ ପଦ୍ଧତିରେ ଏହା ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଲା? ଯଦି ମାନ୍ୟତା ଦେଲେ ତାହା ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଦର୍ଶାଗଲା ନାହିଁ କାହିଁକି। ଓଡ଼ିଶାର ଲୋକମାନେ ଏହି ଗୀତକୁ ନେଇ ଗର୍ବ କରୁଥିବାବେଳେ ‘ରାଜ୍ୟ ସଙ୍ଗୀତ’ ମାନ୍ୟତା ମିଳିବାର ଖୁସିକୁ ଅନ୍ତତ ପକ୍ଷେ ଉତ୍ସବ ଆକାରରେ ପାଳନ କରାଯାଇ ପାରିଥାନ୍ତା। ଯଦି ଏହାକୁ ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ମିଳିନି ତା’ହେଲେ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଏଭଳି ତ୍ରୁଟି କଲା କେମିତି? ଓଡ଼ିଆଙ୍କ ସ୍ପନ୍ଦନରେ ପ୍ରସ୍ଫୁଟିତ ହେଉଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ନେଇ ସରକାରୀ ବିଭାଗ ଏଭଳି ପରିହାସ କରିବା ପଛରେ କାରଣ କ’ଣ ରହିଛି? ରାଜ୍ୟ ସରକାର ଅନ୍ତତଃ ପକ୍ଷେ ଯଦି ‘ବନ୍ଦେ ଉତ୍କଳ ଜନନୀ’କୁ ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ଦେଇପାରୁନାହାନ୍ତି, ତା’ହେଲେ ଏହାକୁ ନେଇ ଏଭଳି ସରକାରୀ ପ୍ରହସନ ବି କରିବା ଅନୁଚିତ।

ସୂଚନାଯୋଗ୍ୟ, ରାଜ୍ୟ ବିଧାନସଭାରେ ବାରମ୍ବାର ପ୍ରସ୍ତାବ ଗୃହୀତ ସତ୍ୱେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାକୁ ସରକାର ପଦକ୍ଷେପ ନେଇପାରିନାହାନ୍ତି । ୧୯୯୪ ନଭେମ୍ବର ମାସରେ ତତକାଳୀନ ବିଧାନସଭା ବାଚସ୍ପତି ଯୁଧିଷ୍ଠିର ଦାସ ସର୍ବଦଳୀୟ କମିଟି ଗଠନ କରିଥିଲେ ଓ ଏହି ଗୀତକୁ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଆରମ୍ଭ ଓ ଶେଷରେ ଗାନ ପାଇଁ ନିଷ୍ପତ୍ତି ହୋଇଥିଲା। ୧୯୯୪ ଡିସେମ୍ବର ୨୨ରୁ ବିଧାନସଭାରେ ଏହି ପରମ୍ପରା ଚାଲିଆସିଛି। ୨୦୦୦ ଓ ୨୦୦୬ ମସିହାରେ ବାଚସ୍ପତି ଶରତ କର ଓ ମହେଶ୍ୱର ମହାନ୍ତିଙ୍କ ସମୟରେ ମଧ୍ୟ ଅନୁରୂପ ଦାବି ଉଠିଥିଲା। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଆଇନତଃ ‘ରାଜ୍ୟ ସଙ୍ଗୀତ’ର ମାନ୍ୟତା ଦେବା ପାଇଁ ୨୦୧୬ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ। କମିଟି ତାଙ୍କ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇସାରିଛି । କିନ୍ତୁ ଆନୁଷ୍ଠାନିକ ଭାବେ ସରକାରଙ୍କ ନିଷ୍ପତ୍ତି ଏପର୍ଯ୍ୟନ୍ତ ଜଣାପଡ଼ିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos