ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ସେ ରଙ୍ଗାରଙ୍ଗ ମାହୋଲ ନାହିଁ କି ସେ କୋଳାହଳ ନାହିଁ। ମେଳି ଜମୁନି କି ଗହଳି ହେଉନି। ହାଟ ବାଟ ଘାଟ ଆଜି ସବୁ କିଛି ଶୂନଶାନ। ଉପନିର୍ବାଚନ ପାଇଁ ଗତ କିଛି ଦିନ ହେଲା ସ୍ଲୋଗାନ, ବାଜାବାଣ ଏବଂ ନାରାବାଜିରେ କମ୍ପିଥିବା ବିଜେପୁର ଆଜି ନିରବ ନିଶ୍ଚଳ । ପୁଣି ସେହି ଗାଁ ଚାଲିଚଳନ ସାଙ୍ଗକୁ ଶାନ୍ତିର ବାତାବରଣ। ସିନେ ତାରକାଙ୍କ ମେଳରେ କିଛି ଦିନ ପାଇଁ ଗ୍ଲାମର ଜଗତକୁ ଚାଲିଯାଇଥିବା ବିଜେପୁର ଆଜି ତାର ପ୍ରକୃତ ଗାଁ ପରିବେଶକୁ ଫେରିଆସିଛି। ନିର୍ବାଚନ ସରିବା ଏବଂ ଫଳାଫଳ ବାହାରିବା ପରେ ସମସ୍ତେ ନିଜ ନିଜ ଠିକଣାକୁ ଫେରିଆସିଛନ୍ତି। ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେପୁର ନିର୍ବାଚନମଣ୍ଡଳୀ କିଛି ଦିନ ପାଇଁ ଦ୍ୱିତୀୟ ରାଜଧାନୀ ପାଲଟିଯାଇଥିଲା। ମନ୍ତ୍ରୀ, ନେତା ଏମିତିକି ଅଫିସର ଭୁବନେଶ୍ୱର ଛାଡ଼ି ବିଜେପୁରରେ ଡେରାପକାଇଥିଲେ। ଏଥିରୁ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦପଡ଼ି ନ ଥିଲେ। ବିଜେପୁର ବାଜିର ବାଜିଗର ସାଜିବା ପାଇଁ ପ୍ରାୟ ମାସେ ହେଲା ଚାଲିଥିଲା ରଣନୀତି। ପ୍ରସ୍ତୁତ ହେଉଥିଲା ରୋଡ଼ ମ୍ୟାପ୍। ଖାଲି ନେତା କି କର୍ମୀ ନୁହଁ ସିନେ ତାରକାଙ୍କ ଭିଡ଼ରେ ଉତ୍ସବ ମୁଖର ହୋଇ ଉଠିଥିଲା ବିଜେପୁର ଅଞ୍ଚଳ। ସବୁଠି ଛାଇଯାଇଥିଲା ପୋଷ୍ଟର ବ୍ୟାନର। ଚକ୍କର କାଟିଥିଲେ ମାଳ ମାଳ ଅଭିନେତ୍ରୀ।
ତେବେ ନିଜ ଅଞ୍ଚଳରେ ଏମିତି ଏକ ନିର୍ବାଚନ ଆସର ଜମିବା ଏବଂ ସେଲିବ୍ରେଟିଙ୍କ ଭିଡ଼ ଜମୁଥିବାରୁ ଯିଏ ଯେଉଁଠି କାମ କରୁଥିଲେ ଫେରି ଆସିଥିଲେ। କାମ ପାଇଁ କିଏ ଦାଦନ ଖଟିବାକୁ ଯାଇଥିଲା ତ’ ଆଉ କିଏ ପେଟ ପାଇଁ ନିଜ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଯାଇଥିଲେ। ହେଲେ ପ୍ରତିଦିନ ସେଲିବ୍ରେଟିଙ୍କ ଭିଡ଼ ଜମିବା ଏବଂ ଖାନାପିନାର ଆସର ଜମୁଥିବାରୁ ସେମାନେ ଗାଁ ମୁହାଁ ହୋଇଥିଲେ। ଏସବୁ ଭିତରେ ବିଜେପୁର ଯେମିତି ଏକ ପର୍ଯ୍ୟଟନସ୍ତଳୀ ପାଲଟିଯାଇଥିଲା। କିଏ କହୁଥିଲା ଅଦିନିଆ ଦୀପାଳବଳି ଆସିଛି ତ’ ଆଉ କିଏ କହୁଥିଲା ହୋଲି ଆସିଛି। ହେଲେ ଏବେ ସବୁଠି ଖାଁ ଖାଁ ଆଉ ଶୂନଶାନ। କିଛିଦିନ ପାଇଁ ରଙ୍ଗିନ ପରିବେଶରେ ଚମକି ଉଠିଥିବା ବିଜେପୁର ଏବେ ଫାଙ୍କା ଫାଙ୍କା ଆଉ ଫିକା ଫିକା। ତଥାପି ଏହାରି ଭିତରେ ହୋଲି ଥିବାରୁ ଗାଁରେ ସାମାନ୍ୟ ସେଲିବ୍ରେସନ ମାହୋଲ ରହିଛି। ଆଉ ହୋଲି ସରିଗଲେ ଯିଏ ଯେଉଁଠୁ କାମ ଛାଡ଼ି ଆସିଥିଲେ ପୁଣି ଫେରିଯିବେ। ଖାଲି ରଙ୍ଗ ଖେଳ ସରିଗଲେ ଯାତ୍ରା ପାଇଁ ସଜବାଜକୁ ଅପେକ୍ଷା। କାରଣ ନିର୍ବାଚନରେ ଯିଏ ଜିତୁ ନା କାହିଁକି ଗରିବଙ୍କର ଯେ, ଭାଗ୍ୟ ପରିବର୍ତ୍ତନ ହୋଇଯିବ ସେ ଅଶା ଖଟିଖିଆ ଗରିବଙ୍କ ମଧ୍ୟରେ ନାହିଁ। ଆଉ ଏହାରି ଭିତରେ ଭୁବନେଶ୍ୱର ବି ତା’ ନିଜ ଜାଗାକୁ ଫେରିଆସିଛି।