ହାତୀକୁ ରୋକିବ ମହୁମାଛି

ଅନୁଗୋଳ (ବିରଜା ପ୍ରସାଦ ଦାଶ): ହାତୀ-ମଣିଷ ଲଢ଼େଇ ଓ ଧନଜୀବନ ହାନୀ ରୋକିବେ ମହୁମାଛି। ପୂରା ଗାଁକୁ ଜଗିବେ ଓ ଏଭଳି କ୍ଷୟକ୍ଷତିରୁ ମଣିଷକୁ ମୁକ୍ତି ଦେବେ ଏହି ମହୁମାଛି। ଜଙ୍ଗଲୀ ହାତୀଙ୍କୁ ରୋକିବେ। ଗାଁକୁ କୌଣସି ମତେ ପଶାଇ ଦେବେନି। ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ। ଯାହାର ନାମ ରହିଛି, ରିଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟ। ଗାଁ ମୁହାଁ ହାତୀଙ୍କୁ ଘଉଡ଼ାଇବା […]

Bee

  • Published: Monday, 13 June 2022
  • , Updated: 14 June 2022, 08:21 AM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ହାତୀ-ମଣିଷ ଲଢ଼େଇ ଓ ଧନଜୀବନ ହାନୀ ରୋକିବେ ମହୁମାଛି। ପୂରା ଗାଁକୁ ଜଗିବେ ଓ ଏଭଳି କ୍ଷୟକ୍ଷତିରୁ ମଣିଷକୁ ମୁକ୍ତି ଦେବେ ଏହି ମହୁମାଛି। ଜଙ୍ଗଲୀ ହାତୀଙ୍କୁ ରୋକିବେ। ଗାଁକୁ କୌଣସି ମତେ ପଶାଇ ଦେବେନି। ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ। ଯାହାର ନାମ ରହିଛି, ରିଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟ। ଗାଁ ମୁହାଁ ହାତୀଙ୍କୁ ଘଉଡ଼ାଇବା ନିମନ୍ତେ ଏହି ପ୍ରକଳ୍ପ କରାଯାଉଛି। ଯାହା ସଫଳ ହେବ ବୋଲି ଆଶା ରଖିଛି ବନ ବିଭାଗ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଛି। ତେବେ ଦେଖିବା କଥା କେମିତି କାମ କରୁଛି ଏହି ଅପରେସନ୍।

ବନ ବିଭାଗ ଅଧିକାରୀଙ୍କ କହିବା କଥା, ହାତୀଙ୍କ ବାଟ ଓଗାଳିବେ ମହୁମାଛି। ଗାଁରେ ପଶିବା ପୂର୍ବରୁ ମହୁମାଛିଙ୍କୁ ସାମ୍ନା କରିବେ ଜଙ୍ଗଲୀ ହାତୀ। ହାତୀ ଘଉଡାଇବାକୁ ବିଛାଯାଇଛି ଏମିତି ଜାଲ। ଧାଡ଼ି ଧାଡ଼ି ହୋଇ ରହିଥିବା ଏହି ବାକ୍ସରେ ରହିଛନ୍ତି ଶହ ଶହ ମହୁମାଛି। ଯାହାକୁ ଗାଁ ପ୍ରବେଶ ପଥରେ ରଖାଯିବ। ତାର ସାହାଯ୍ୟରେ ଗଛରେ ଝୁଲାଇ ଦିଆଯିବ ମହୁ ବାକ୍ସ। ହାତୀ ପଲ ଗାଁ ଭିତରକୁ ପଶିବାକୁ ଉଦ୍ୟମ କଲେ ପ୍ରଥମେ ମୁହାଁମୁହିଁ ହେବେ ମହୁମାଛି। ମହୁମାଛିଙ୍କୁ ହାତୀ ଭୟ କରିଥାନ୍ତି। ଏହାଛଡ଼ା ସେମାନଙ୍କ ଗୁଣୁଗୁଣୁ ଶବ୍ଦ ହାତୀଙ୍କୁ ବିରକ୍ତି କରିଥାଏ। ତେଣୁ ଗାଁ ଭିତରକୁ ଆସିବାକୁ ଇଛା କରିବେନି ହାତୀପଲ।

ଏହା ସତ୍ତ୍ୱେ ବି ଯଦି ହାତୀ ପଲ ଗାଁ ଭିତରକୁ ପଶିବାକୁ ଉଦ୍ୟମ କରନ୍ତି ତେବେ ମହୁମାଛି ବାକ୍ସ ସଂସ୍ପର୍ଶରେ ଆସିବେ। ପରେ ବାକ୍ସ ଭିତରୁ ମହୁମାଛି ବାହାରି ହାତୀଙ୍କୁ ଆକ୍ରମଣ କରିବେ। ଫଳରେ ଗାଁକୁ ପଶିବା ପୂର୍ବରୁ ଭୟଭୀତ ହାତୀପଲ ଜଙ୍ଗଲକୁ ଫେରିଯିବେ। ହାତୀ ଉପଦ୍ରୁତ ଗାଁକୁ ସୁରକ୍ଷା ଦେବାକୁ ମହୁମାଛିଙ୍କୁ ନେଇ ଏଭଳି ଯୋଜନା କରାଯାଇଛି।

ଏନେଇ ହଣ୍ଡପା ଫରେଷ୍ଟର ସୁବ୍ରତ କୁମାର ଶତପଥୀ କହିଛନ୍ତି, ଆଠମଲ୍ଲିକ ଡିଭିଜନ୍‌ରେ ହଣ୍ଡପା ଏବଂ ଆଠମଲ୍ଲିକ ରେଂଜ୍‌ରେ ଆରମ୍ଭ ହୋଇସାରିଛି ପାଇଲଟ୍ ପ୍ରୋଜେକ୍ଟ। ହଣ୍ଡପା ରେଂଜର ଲକ୍ଷ୍ମୀପୁର ଏବଂ ଆଠମଲ୍ଲିକ ରେଂଜ୍‌ର ରଖିପୁର ଗାଁରେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ମହୁମାଛି ବାକ୍ସ ରଖାଯାଇଛି। ଏଥିପାଇଁ ଗାଁ ଲୋକଙ୍କୁ ପ୍ରଥମେ ମହୁମାଛି ପାଳନ ନେଇ ତାଲିମ ଦିଆଯାଇଥିଲା। ଏହାପରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ।

ଆଠମଲ୍ଲିକ ବନଖଣ୍ଡ ବାସିନ୍ଦା ପ୍ରକାଶ କରିଛନ୍ତି,  ବନବିଭାଗର ଏହି ପ୍ରକଳ୍ପ ଚାଷୀଙ୍କୁ ସେମାନଙ୍କ ଫସଲ କ୍ଷୟକ୍ଷତିରୁ ବଂଚାଇପାରିବ ବୋଲି ଆଶା କରାଯାଉଛି। କେବଳ ସେତିକି ନୁହେଁ, ବର୍ଷ ବର୍ଷ ଧରି ଚାଲିଥିବା ହାତୀ-ମଣିଷ ଲଢ଼େଇରେ ବି ପୂର୍ଣ୍ଣଛେଦ ପଡ଼ିବ।

ପାଇଲଟ ପ୍ରକଳ୍ପର ଉଦ୍ଦେଶ୍ୟ ସଫଳ ହେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାତୀଙ୍କ ରାସ୍ତା ଅବରୋଧ ପାଇଁ ଏବେ ବିରାଟ ଗାତ ଖୋଳାଯାଉଛି ଯାହା ଅତ୍ୟନ୍ତ ଖର୍ଚ୍ଚାନ୍ତ ଏବଂ ସମୟ ସାପେକ୍ଷ। ବନ ବିଭାଗ ଆରମ୍ଭ କରିଥିବା ଏହି ରି-ହ୍ୟାବ୍ ପ୍ରକଳ୍ପ ପୂର୍ବରୁ କେରଳ ଏବଂ ଉତ୍ତର ଭାରତରେ ସଫଳ ହୋଇଛି। ତେଣୁ ଓଡ଼ିଶାରେ ଏହା କେମିତି କାମ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related story