ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏୟାରପୋର୍ଟ ପାଇଁ ସବୁଠାରୁ ବଡ଼ ବିପଦ ସାଜିଛନ୍ତି ପକ୍ଷୀ । ଏପରି ସ୍ଥିତିରେ ବିମାନ ବନ୍ଦର ଓ ଆଖପାଖରେ ଉଡୁଥିବା ପକ୍ଷୀଙ୍କୁ ଧରି ଅନ୍ୟ ସ୍ଥାନରେ ଛାଡ଼ିବାକୁ ବନ ବିଭାଗକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଚିଠି ଲେଖି ଅନୁରୋଧ କରିଥିଲେ । ରିପୋର୍ଟ ଅନୁସାରେ ଗତ ୪ ବର୍ଷରେ ଏଠାରେ ୫୭ ଥର ବାର୍ଡ ହିଟ୍ ହୋଇଥିବା ବେଳେ ଚଳିତବର୍ଷ ଏବେ ସୁଦ୍ଧା ୧୧ ଥର ବାର୍ଡ ହିଟ୍ ହୋଇଛି। ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ସହ ତାଳ ଦେଇ ମାଳ ମାଳ ପକ୍ଷୀ ଉଡୁଛନ୍ତି। ବିମାନବନ୍ଦର ସୀମାକୁ ବଡ଼ ବଡ଼ ଗଛ ଓ ଜଳାଶୟ ରହିଛି। ଆଖପାଖରେ ପଡୁଥିବା ଅଳିଆ ଆବର୍ଜନା ଓ ଖୋଲା ଡ୍ରେନ୍ ପକ୍ଷୀଙ୍କୁ ଏଠାକୁ ଆକୃଷ୍ଟ କରୁଛି। ଫଳରେ ଯେତେ ସତର୍କ ରହିଲେ ମଧ୍ୟ ପକ୍ଷୀମାନେ ବିମାନ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ରନୱେ ନିକଟରେ ବରମୁଣ୍ଡା ଗାଁ ରହିଛି । ଗାଁ ମୁଣ୍ଡରେ ଥିବା ମନ୍ଦିର ନିକଟ ପୋଖରୀ ଓ ଏହା ପାଖରେ ଥିବା ଗଛ ପକ୍ଷୀଙ୍କ ବାସସ୍ଥଳୀ ପାଲଟିଛି। ପାଖରେ ଥିବା ବସ୍ତି ଓ ଆବର୍ଜନାମୟ ପରିବେଶ ଯୋଗୁଁ ଏଠାକୁ ପକ୍ଷୀଙ୍କ ଆଗମନ ବଢୁଛି। ସର୍ଭେରୁ ଜଣାପଡ଼ିଛି ବିମାନବନ୍ଦର ପରିସରରେ ୪୯ ଓ ଆଖପାଖରେ ଶହେରୁ ଅଧିକ ପ୍ରଜାତିର ପକ୍ଷୀ ରହୁଛନ୍ତି। ଏମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବନ ବିଭାଗକୁ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ବିମାନ ବନ୍ଦରରେ ୨୦୧୧ରେ ୧୯ ଥର, ୨୦୧୨ରେ ୧୮, ୨୦୧୩ ଓ ୨୦୧୪ରେ ୧୦ ଥର ଲେଖାଏଁ ବାର୍ଡ ହିଟ୍ ହୋଇଥିଲା । ଚଳିତବର୍ଷ ଏବେ ସୁଦ୍ଧା ୧୧ ଥର ବାର୍ଡ ହିଟ୍ ହୋଇ ସାରିଲାଣି।