ବିଜେପୁର ଲୋକଙ୍କ ମୁଖ୍ୟ ପ୍ରସଙ୍ଗ ଉଭାନ୍, କେବଳ ଚାଲିଛି ରାଜନୀତିକ ବୟାନବାଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୀତିକ ଦଳ ଜୋରଦାର ପ୍ରଚାର କରୁଥିଲେ ମଧ୍ୟ ସେଥିରୁ ଆଶ୍ଚର୍ଯ୍ୟଜନକ ଭାବେ ବିଜେପୁରବାସୀଙ୍କ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉଭାନ୍ ହୋଇଯାଇଛି। ୨୦୧୮ ଫେବୃୟାରୀ ମାସରେ ହୋଇଥିବା ଉପନିର୍ବାଚନବେଳେ ଉଭୟ ବିଜେଡି ଓ ବିଜେପି ବିଜେପୁର ଅଞ୍ଚଳର ବିକାଶକୁ ପ୍ରସଙ୍ଗ କରି ପରସ୍ପରକୁ ଯେଭଳି ଭାବେ କଡ଼ା ଟକ୍କର ଦେଉଥିଲେ ସେଭଳି ଉଷ୍ମତା ଚଳିତ ଉପନିର୍ବାଚନରେ ଦେଖିବାକୁ ମିଳୁନି। ଏବେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ […]

gangadhara

gangadhara

Manoranjan Sial
  • Published: Saturday, 12 October 2019
  • Updated: 12 October 2019, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୀତିକ ଦଳ ଜୋରଦାର ପ୍ରଚାର କରୁଥିଲେ ମଧ୍ୟ ସେଥିରୁ ଆଶ୍ଚର୍ଯ୍ୟଜନକ ଭାବେ ବିଜେପୁରବାସୀଙ୍କ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉଭାନ୍ ହୋଇଯାଇଛି। ୨୦୧୮ ଫେବୃୟାରୀ ମାସରେ ହୋଇଥିବା ଉପନିର୍ବାଚନବେଳେ ଉଭୟ ବିଜେଡି ଓ ବିଜେପି ବିଜେପୁର ଅଞ୍ଚଳର ବିକାଶକୁ ପ୍ରସଙ୍ଗ କରି ପରସ୍ପରକୁ ଯେଭଳି ଭାବେ କଡ଼ା ଟକ୍କର ଦେଉଥିଲେ ସେଭଳି ଉଷ୍ମତା ଚଳିତ ଉପନିର୍ବାଚନରେ ଦେଖିବାକୁ ମିଳୁନି। ଏବେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଥିଲେ ମଧ୍ୟ କେବଳ ରାଜନୀତିକ ବୟାନବାଜି ମଧ୍ୟରେ ଦଳଗୁଡ଼ିକର ପ୍ରଚାର ସୀମିତ ରହିଛି। ଯାହାକି ବିଜେପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ ହୋଇଛି।

ସୂଚନା ଅନୁସାରେ, ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ତାରିଖରେ ବିଜେପୁର ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପୁରରେ ଗଡ଼ ଜଗିଥିବା ବିଜେଡି ନେତାମାନେ ଏବେ ବିଜେପି ଓ କଂଗ୍ରେସର ଅସନ୍ତୁଷ୍ଟ ନେତାମାନଙ୍କୁ ପ୍ରଭାବିତ କରିବାରେ ଲାଗିଥିବାବେଳେ ୨୦୧୮ ଫେବୃୟାରୀରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଦଳ ଅବା ମୁଖ୍ୟମନ୍ତ୍ରୀ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାକୁ ଅତ୍ୟନ୍ତ ଚତୁରତାର ସହ ଶୀତଳଭଣ୍ଡାରକୁ ପକାଇ ଦିଆଯାଇଛି।

ବିଶେଷକରି ବିଜେପୁର ନିର୍ବାଚନମଣ୍ଡଳୀରେ ଜଳସେଚନ ସୁବିଧା ପାଇଁ ଗଙ୍ଗାଧର ମେହେର ଉଠା କେନାଲ ସିଷ୍ଟମ୍ ଯୋଜନା, ବହୁ ସଂଖ୍ୟାରେ ଥିବା ସ୍ଥାନୀୟ ବୁଣାକାରମାନଙ୍କୁ ବଜାର ସୁବିଧା ସହ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା, ବିଜେପୁରରେ ଡାକ୍ତର ସମସ୍ୟାକୁ ସ୍ଥାୟୀ ସମାଧାନ ସହ ପ୍ରାୟ ୩୫ହଜାର ପରିବାରକୁ ଗୃହ ଆବଣ୍ଟନ, ବିଜେପୁରକୁ ବିଜ୍ଞାପିତ ପରିଷଦର ମାନ୍ୟତା ଭଳି ପ୍ରତିଶ୍ରୁତି ବିଜେଡି ସରକାର ପକ୍ଷରୁ ଦିଆଯାଇଥିଲେ ମଧ୍ୟ ସେସବୁ ଦିଗରେ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନି। ଓଲଟା ସ୍ଥାନୀୟ ସମସ୍ୟାଗୁଡ଼ିକରୁ ଲୋକଙ୍କ ନଜର ହଟାଇବା ପାଇଁ ବିଜେଡି ଏବେ ଦୈନିକ ନୂଆ ନୂଆ କୌଶଳ ଆପଣାଉଛି। ଯଦିଓ ବିଜେପିର ଦୁର୍ବଳ ରଣନୀତି ଯୋଗୁ ବିଜେପୁରରେ ବିଜେଡି ପ୍ରାର୍ଥୀ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିଛନ୍ତି ତଥାପି ଏସବୁ ସ୍ଥାନୀୟ ବିକାଶମୂଳକ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ ବିଜେପି ନେତାମାନେ ଜନମତକୁ ପ୍ରଭାବିତ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି ।

ବରଗଡ଼ ଜିଲ୍ଲାରେ ପ୍ରତିବର୍ଷ ୧ହଜାରୁ ୧୨୦୦ ଲୋକ କ୍ୟାନସରରେ ଆକ୍ରାନ୍ତ ହେଉଥିବାବେଳେ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ଆତ୍ମନିଯୁକ୍ତି ସୃଷ୍ଟି ଭଳି କୌଣସି ପଦକ୍ଷେପ ନେବାରେ ସରକାର ସକ୍ଷମ ହୋଇନାହାନ୍ତି। ଅଧିକାଂଶ ପରିବାରର ଜୀବିକା କୃଷି ହୋଇଥିବାବେଳେ ୨୦୧୭ ଅକ୍ଟୋବର ମାସରୁ ବିଜେପୁରରେ ଜଳସେଚନ ସୁବିଧା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୧୨୫୪କୋଟି ଟଙ୍କାର ‘ଗଙ୍ଗାଧର ମେହେର ଉଠା କେନାଲ ସିଷ୍ଟମ’ ନିମନ୍ତେ ଟେଣ୍ଡର ପ୍ରକ୍ରିୟାକୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିନି। ୨ବର୍ଷ ହେଲା କେବଳ ୨୦୦କୋଟି ଟଙ୍କା ବଜେଟ୍ ବରାଦ କରି ସରକାର ବସିଛନ୍ତି।

ସେହିପରି ସ୍ଥାନୀୟ ବୁଣାକାରମାନଙ୍କୁ ସେମାନଙ୍କ କୌଳିକ ବୃତ୍ତି ପାଇଁ ଆର୍ଥିକ ଓ ବଜାର ସୁବିଧା ଦେବା ଦିଗରେ ବି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।

୨୦୧୮ ଉପନିର୍ବାଚନ ପାଇଁ ବିଜେପୁରକୁ ବିଜ୍ଞାପିତ ପରିଷଦର ମାନ୍ୟତା ଦେଇଥିବା ରାଜ୍ୟ ସରକାର ଏପର୍ଯ୍ୟନ୍ତ ସେଠାରେ ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟକୁ ବି ସମ୍ପାଦନ କରିବାରେ ସକ୍ଷମ ହୋଇନାହାନ୍ତି।  ତେଣୁ ୨ବର୍ଷ ମଧ୍ୟରେ ତୃତୀୟଥର ପାଇଁ ନିଜର ବିଧାୟକଙ୍କୁ ନିର୍ବାଚିତ କରିବାକୁ ସଜବାଜ ହେଉଥିବା ବିଜେପୁରବାସୀ ଏବେ କେବଳ ରାଜନୀତିକ ଦଳଗୁଡ଼ିକର ରାଜନୀତିକ ବୟାନବାଜି ଓ ମିଥ୍ୟା ପ୍ରତିଶ୍ରୁତିରେ ହିଁ ନିଜକୁ ସୀମିତ ରଖିବାକୁ ବାଧ୍ୟ ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos