ଜଟିଳ ହୋଇପାରେ ନମ୍ବର ଗେମ୍, ଅଙ୍କ କଷୁଛି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ଥିବା ବିଜେଡିର କେନ୍ଦ୍ର ଓ ରାଜ୍ୟ ରାଜନୀତିରେ କି ଭୂମିକା ତୁଲାଇବ? ଆସନ୍ତା ମେ’ ୨୩ ତାରିଖର ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଆଶାନୁରୂପ ନହେଲେ ଦଳ କେଉଁ ରଣନୀତି ଆପଣାଇବ? ବିଜେଡି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ନା କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ସହଯୋଗର ହାତ ବଢ଼ାଇବ ? ନା ସମଦୂରତ୍ୱ କାର୍ଡ ଖେଳି କେବଳ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବ? […]

bjd-and-bjp-drop-broad-hints-about-reviving-their-old-alliance-but-everything-depends-on-the-may-23-verdict

bjd-and-bjp-drop-broad-hints-about-reviving-their-old-alliance-but-everything-depends-on-the-may-23-verdict

Manoranjan Sial
  • Published: Tuesday, 14 May 2019
  • Updated: 15 May 2019, 07:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ଥିବା ବିଜେଡିର କେନ୍ଦ୍ର ଓ ରାଜ୍ୟ ରାଜନୀତିରେ କି ଭୂମିକା ତୁଲାଇବ? ଆସନ୍ତା ମେ’ ୨୩ ତାରିଖର ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଆଶାନୁରୂପ ନହେଲେ ଦଳ କେଉଁ ରଣନୀତି ଆପଣାଇବ? ବିଜେଡି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ନା କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ସହଯୋଗର ହାତ ବଢ଼ାଇବ ? ନା ସମଦୂରତ୍ୱ କାର୍ଡ ଖେଳି କେବଳ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବ? ରାଜ୍ୟରେ ୧୦୦ରୁ ଅଧିକ ବିଧାନସଭା ଆସନ ଓ ୧୮ଟି ଲୋକସଭା ଆସନ ହାସଲ କରିବାକୁ ନେଇ ଦମ୍ଭୋକ୍ତି ବାଢ଼ୁଥିବା ବିଜେଡି ଏବେ ଏସବୁ ସମ୍ଭାବ୍ୟ ସ୍ଥିତିକୁ ନେଇ ଅଙ୍କ କଷିବାରେ ଲାଗିଛି।

ଇତିମଧ୍ୟରେ ‘ଫୋନି’ ବାତ୍ୟାର ପ୍ରସ୍ତୁତି ତଥା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଆଳରେ ବିଜେପି ଓ ବିଜେଡି ପରସ୍ପରର ନିକଟତର ହେବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ବଦଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଜଣାଇବା ଓ ବିଜେପି ନେତା ପ୍ରଦୀପ ପୁରୋହିତ ଆଗାମୀ ଦିନରେ ବିଜେଡି ଓ ବିଜେପି ପରସ୍ପରକୁ ସରକାର ଗଠନରେ ସହଯୋଗ କରିବାର ସମ୍ଭାବନା ରହିଛି ବୋଲି ମତବ୍ୟକ୍ତ କରିବା ହିଁ ରାଜ୍ୟ ରାଜନୀତିର ଗଣିତକୁ ଏପଟସେପଟ କରିଦେଇଛି। ସାଧାରଣ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେଡିକୁ କଡ଼ା ଟକ୍କର ଦେଇଥିବା ବିଜେପି ଏବେ କେନ୍ଦ୍ରରେ ସରକାର ଗଠନ ପାଇଁ ଏବେଠୁ ବିଜେଡି ନିକଟରେ ନିଜକୁ ସମର୍ପି ଦେଇଥିବା ରାଜନୀତିକ ମହଲରେ ଚର୍ଚ୍ଚା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଓଡ଼ିଶାରେ ବିଜେଡି ୧୦୦ରୁ ଅଧିକ ବିଧାନସଭା ଆସନ ଓ ୧୮ଟି ଲୋକସଭା ଆସନ ଜିଣିବ ବୋଲି ଦମ୍ଭୋକ୍ତି ବାଢ଼ୁଥିବାବେଳେ ବିଜେପି ୬୦ରୁ ୬୫ଟି ବିଧାନସଭା ଓ ୧୩ଟି ଲୋକସଭା ଆସନ ଜିତିବା ବୋଲି ଦୃଢ଼ ଆଶ୍ୱସ୍ତ ଅଛି। ବିଭିନ୍ନ ପ୍ରକାରର ସର୍ଭେ ଓ ଆକଳନ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ପୁଣିଥରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବାର ସମ୍ଭାବନା ଉପରେ ପ୍ରଶ୍ନବାଚୀ ଲଗାଇଥିଲେ ସୁଦ୍ଧା ଭଙ୍ଗାଗଢ଼ା ରାଜନୀତି କରି ଏନଡିଏ ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ମତପ୍ରକାଶ ପାଇଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସକାରାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବା ରାଜନୀତିକ ଦଳଗୁଡ଼ିକର ସମ୍ଭାବ୍ୟ ରଣନୀତିକୁ ଦୃଷ୍ଟିରେ ରଖି ବିଜେଡି ଏବେ ଅଙ୍କ କଷିବାରେ ଲାଗିଛି।

ସୂଚନା ଅନୁସାରେ, ଗତ ଦଶ ବର୍ଷ ଧରି ନିଜର ସମଦୂରତ୍ୱ କାର୍ଡ ଖେଳି ଆସିଥିବା ବିଜେଡି ଏବେ 'ଓଡ଼ିଶାର ସ୍ୱାର୍ଥ' ପାଇଁ ଏନଡିଏ କିମ୍ବା ୟୁପିଏକୁ ସହଯୋଗ କରିବାରେ ଅସୁବିଧା ନାହିଁ ବୋଲି ଅପ୍ରତ୍ୟାଶିତ ବୟାନ ଦେଇ ଦଳ ଉଭୟ ଏନଡିଏ ଓ ୟୁପିଏକୁ ସମର୍ଥନ ଦେବାର ମାର୍ଗକୁ ଉନ୍ମୁକ୍ତ ରଖିଛି।

ତେବେ ସବୁକିଛି ନିର୍ଭର କରୁଛି ମେ’ ୨୩ରେ ଆସିବାକୁ ଥିବା ଫଳାଫଳ ଉପରେ। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ କେତେ ଆସନ ମିଳୁଛି, ତାହା ଉପରେ ବିଜେଡି ସତର୍କ ନଜର ରଖିବା ସହ ‘ମୂଲଚାଲ’ ପାଇଁ ଗୋଟି ଚଳାଇବାର ସମ୍ଭାବନା ରହିଛି। ଯଦି କେନ୍ଦ୍ରରେ ସରକାର ଗଠନ ପାଇଁ ଏନଡିଏ ମେଣ୍ଟ ସହଜରେ ‘ମ୍ୟାଜିକ ନମ୍ବର’ ହାସଲ କରେ, ତା’ହେଲେ ବିଜେଡି ପାଇଁ ଆଗାମୀ ୫ବର୍ଷର ରାଜନୀତି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହେବ। କାରଣ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ ବିଜେଡିକୁ ‘ତେଲୁଗୁ ଦେଶମ ପାର୍ଟି’ ଭଳି ଅବସ୍ଥା ଭୋଗିବାକୁ ପଡ଼ିପାରେ।

ଓଡ଼ିଶାରେ ନବୀନ ସରକାର ଯେତେ ସୁଦୃଢ଼ ଥିଲେ ମଧ୍ୟ ବିଭିନ୍ନ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ହିଁ ନବୀନ ପଟ୍ଟନାୟକଙ୍କୁ ବ୍ୟାକଫୁଟରେ ରଖିବା ସହ ବିଜେପିକୁ ରାଜ୍ୟରେ ନିଜର ସ୍ଥିତି ଅଧିକ ମଜଭୁତ କରିବାର ସୁଯୋଗ ସୃଷ୍ଟି କରିବ। ଅନ୍ୟପକ୍ଷେ ଯଦି ଏନଡିଏ ମେଣ୍ଟ ମ୍ୟାଜିକ ନମ୍ବର ହାସଲ କରିବା ଠାରୁ ସାମାନ୍ୟ ପଛରେ ରୁହେ ଓ ସରକାର ଗଠନ ନିମନ୍ତେ ବିଜେଡିର ସମର୍ଥନ ଆବଶ୍ୟକ ହୁଏ, ତା’ହେଲେ ଦଳ ‘ମୂଲଚାଲ’ର ରାଜନୀତି କରିବ। ଆଉ ବାଧ୍ୟବାଧକତାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ବିଜେଡି ସମର୍ଥନ ଦେବ। ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ୱାଇଏସଆର କଂଗ୍ରେସର ଗତିବିଧି ଉପରେ ମଧ୍ୟ ବିଜେଡି ତୀକ୍ଷ୍ଣ ନଜର ରଖି ନିଜର ଗୋଟିଚାଳନା କରୁଥିବା ଜଣାପଡ଼ିଛି। କାରଣ ଏନଡିଏ ବା ୟୁପିଏ ଯଦି ସ୍ପଷ୍ଟ ବହୁମତ ନ ପାଏ ତେବେ ସରକାର ଗଠନ ପାଇଁ ତେଲେଙ୍ଗାନା ରାଷ୍ଟ୍ର ସମିତି, ୱାଇଏସଆର କଂଗ୍ରେସ ଓ ବିଜେଡି ଭଳି ଆଞ୍ଚଳିକ ଦଳର ପ୍ରମୁଖ ଭୂମିକା ରହିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏସବୁ ମଧ୍ୟରେ ଓଡ଼ିଶାରେ ବାତ୍ୟା ‘ଫୋନି’ର ତାଣ୍ଡବ ଏବେ କେନ୍ଦ୍ର ଓ ରାଜ୍ୟରେ ଥିବା ଦୁଇ କ୍ଷମତାସୀନ ‘କେୟାର ଟେକର’ ସରକାର ଓ ଦଳକୁ ପରସ୍ପରର ନିକଟତର କରାଇ ପାରିଛି। ବାତ୍ୟାର ୭୨ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟାର ବିଭୀଷିକାର ଅନୁଧ୍ୟାନ ସହ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପଦକ୍ଷେପକୁ ପ୍ରଶଂସାରେ ପୋତି ପକାଇଥିବାବେଳେ ନବୀନ ମଧ୍ୟ ପାଦେ ଆଗକୁ ଯାଇ କେନ୍ଦ୍ରର ଭୂମିକାକୁ ପ୍ରଶଂସା କରି ‘ଧନ୍ୟବାଦ’ ଦେବାକୁ ପଛାଇ ନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଏକଜୁଟ ହୋଇ ବାତ୍ୟା ‘ଫୋନି’ର ସଫଳ ମୁକାବିଲା କରିବା ଓ କଥାକଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାତ୍ୟା ପରବର୍ତ୍ତୀ ପରିଚାଳନାରେ ସରକାରୀ କଳର ଅବ୍ୟବସ୍ଥା ସମ୍ପର୍କରେ ମୁହଁ ନଖୋଲି ଦଳର ଅନ୍ୟ କିଛି ନେତାଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ବି ବିଜେଡି ଓ ବିଜେପି ମଧ୍ୟରେ ପୁଣିଥରେ ସମ୍ପର୍କ ଗଢ଼ି ଉଠିବାର ପୂର୍ବ ସୁଚନା ବୋଲି ବିଶ୍ୱାସ କରାଯାଉଛି।

ଏସବୁ ମଧ୍ୟରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଏକ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି। ବିଜେଡିକୁ ରାଜ୍ୟରେ ବିଜେପି ସହଯୋଗ କରିବ ଓ ବିଜେଡି ତାଙ୍କୁ କେନ୍ଦ୍ରରେ ସହଯୋଗ କରିବାର ସମ୍ଭାବନା ରହିଛି ବୋଲି ଶ୍ରୀ ପୁରୋହିତ ମତ ଦେଇଛନ୍ତି। ତା’ଛଡ଼ା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବାତ୍ୟା ପରବର୍ତ୍ତୀ ପରିଚାଳନାରେ ଲାଗିପଡ଼ିଛନ୍ତି ବୋଲି ସେ କହିଛନ୍ତି।

ସରକାର ଗଠନ ପାଇଁ ସଂଖ୍ୟାର ଗଣିତର ବାଧ୍ୟବାଧକତା ପାଇଁ ବିଜେପି ଯଦିଓ ଏବେ ବିଜେଡିର ନିକଟତର ହେବାକୁ ‘ବାତ୍ୟା’ ଫୋନିର ମୁକାବିଲା ମାଧ୍ୟମରେ ପ୍ରୟାସ କରୁଛି ତଥାପି ସବୁବେଳେ ସୁବିଧାବାଦୀ ରାଜନୀତି କାର୍ଡ ଖେଳୁଥିବା ନବୀନ ପଟ୍ଟନାୟକ ମେ’ ୨୩ ନିର୍ବାଚନୀ ଫଳାଫଳ ନଆସିବା ପର୍ଯ୍ୟନ୍ତ ଉଭୟ ଏନଡିଏ ଓ ୟୁପିଏ ମେଣ୍ଟକୁ ଦ୍ୱନ୍ଦ୍ୱରେ ରଖି ରାଜନୀତିକ ଅଙ୍କ କଷିବାରେ ଲାଗିଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos