ବିଜେଡି ନେତା ଶୁଣୁନାହାନ୍ତି, ବଢ଼ୁଛି ସଭ୍ୟ ସଂଗ୍ରହ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅବଧିକୁ ପୁଣିଥରେ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସଭ୍ୟ ସଂଗ୍ରହ ଅଭିଯାନକୁ କ୍ରିୟାଶୀଳ କରିବା ଦିଗରେ ବିଜେଡି ନେତାମାନେ ଆନ୍ତରିକତା ଦେଖାଉନଥିବାରୁ ଏହି ଅବଧିକୁ ବାରମ୍ବାର ବୃଦ୍ଧି କରାଯାଉଥିବା ଜଣାପଡ଼ିଛି। ପ୍ରଥମଥର ପାଇଁ ଦଳର ସଭ୍ୟ ସଂଗ୍ରହ ଅଭିଯାନର କମ୍ପ୍ୟୁଟରକରଣ ଓ ଡାଟାବେସ୍ ପ୍ରସ୍ତୁତ ହେଉଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସଭ୍ୟ ସଂଗ୍ରହ ଅଭିଯାନ ଅକ୍ଟୋବର ୩୧ତାରିଖ […]

4789

Tapas Behera
  • Published: Saturday, 23 November 2019
  • , Updated: 23 November 2019, 09:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅବଧିକୁ ପୁଣିଥରେ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସଭ୍ୟ ସଂଗ୍ରହ ଅଭିଯାନକୁ କ୍ରିୟାଶୀଳ କରିବା ଦିଗରେ ବିଜେଡି ନେତାମାନେ ଆନ୍ତରିକତା ଦେଖାଉନଥିବାରୁ ଏହି ଅବଧିକୁ ବାରମ୍ବାର ବୃଦ୍ଧି କରାଯାଉଥିବା ଜଣାପଡ଼ିଛି। ପ୍ରଥମଥର ପାଇଁ ଦଳର ସଭ୍ୟ ସଂଗ୍ରହ ଅଭିଯାନର କମ୍ପ୍ୟୁଟରକରଣ ଓ ଡାଟାବେସ୍ ପ୍ରସ୍ତୁତ ହେଉଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସଭ୍ୟ ସଂଗ୍ରହ ଅଭିଯାନ ଅକ୍ଟୋବର ୩୧ତାରିଖ ସୁଦ୍ଧା ଶେଷ କରିବାକୁ ପ୍ରଥମେ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଜେପୁର ଉପନିର୍ବାଚନ ଯୋଗୁ ଏହି ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯାଇଥିଲା। ଏବେ ପୁଣିଥରେ ଦଳର ସଭ୍ୟ ସଂଗ୍ରହ ଅଭିଯାନକୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ଦଳୀୟ ନେତାମାନେ ସଭ୍ୟ ସଂଗ୍ରହର ତାଲିକା ପ୍ରଦାନ ନକଲେ ଆଉ ତାହା ଗ୍ରହଣୀୟ ହେବ ନାହିଁ ବୋଲି ଦଳ ପକ୍ଷରୁ ରୋକଠୋକ୍ ଜଣାଇ ଦିଆଯାଇଛି। ସଦସ୍ୟତା ସଂଗ୍ରହ ଅଭିଯାନରେ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଉଥିବା ଓ କମ୍ପୁଟର ମାଧ୍ୟମରେ ସମସ୍ତ ସଭ୍ୟଙ୍କ ଡାଟାବେସ୍ ପ୍ରସ୍ତୁତ ହେଉଥିବାରୁ ଏଥର ଠକିବା ଦଳୀୟ ନେତାଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ନିର୍ବାଚନମଣ୍ଡଳୀୱାରି ଏବେ ସଭ୍ୟ ସଂଗ୍ରହ ହେଉଥିବାବେଳେ ଏହାର ଦାୟିତ୍ୱ ସ୍ଥାନୀୟ ବିଧାୟକ(ବିଧାୟକ ନଥିଲେ ପରାଜିତ ପ୍ରାର୍ଥୀ)ଙ୍କୁ ନ୍ୟସ୍ତ କରାଯାଇଛି।

କିନ୍ତୁ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀକନ୍ଦଳ ରହିଥିବାରୁ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ବିଶେଷ ଅଗ୍ରଗତି ହୋଇପାରିନି। କେତେକ ସ୍ଥାନରେ ଦଳୀୟ ନେତାଙ୍କୁ ବାଦ୍ ଦେଇ ସମାନ୍ତରାଳ ଭାବେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଥିବା ଜଣାପଡ଼ିଛି । ଦଳର ସୂତ୍ର ଅନୁସାରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦଳର ବିଧାୟକ ବିଷ୍ଣୁ ଦାସଙ୍କୁ ସଭ୍ୟ ସଂଗ୍ରହ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖାଯାଇଥିବାବେଳେ ତାଙ୍କର ବିରୋଧୀ ତଥା ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ମାଧ୍ୟମରେ ସଭ୍ୟ ସଂଗ୍ରହ କରାଯାଉଛି। କେବଳ ତିର୍ତ୍ତୋଲ ନୁହେଁ ୧୪୭ ବିଧାନସଭା ମଧ୍ୟରୁ ମାତ୍ର ୪୫ରୁ ୫୦ଟି ନିର୍ବାଚନମଣ୍ଡଳୀକୁ ଛାଡ଼ିଦେଲେ ସବୁଠି ଦଳୀୟ ନେତାମାନଙ୍କୁ ଅଣଦେଖା କରାଯାଇ ଅନ୍ୟ ଗୋଷ୍ଠୀ ମାଧ୍ୟମରେ ସଭ୍ୟ ସଂଗ୍ରହ ହେଉଥିବା ସୂଚନା ମିଳିଛି। ଦଳ ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀରେ ୫୦ରୁ ୬୦ହଜାର ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଗତ ସପ୍ତାହ ସୁଦ୍ଧା ମାତ୍ର ସଦସ୍ୟ ସଂଖ୍ୟା ୫୦ଲକ୍ଷ ଛୁଇଁପାରିନଥିଲା। ଯଦିଓ ଦଳ ପକ୍ଷରୁ ଚଳିତଥର ଏକ କୋଟି ସଦସ୍ୟ ସଂଗ୍ରହ ନିମନ୍ତେ ଟାର୍ଗେଟ୍ ରଖାଯାଇଛି।

ଦଳର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ଭାବେ ପ୍ରତାପ କେଶରୀ ଦେବଙ୍କ ନାଁ ଘୋଷଣା ସହ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୪-୫ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ନାଁ ଘୋଷଣା ହେବ ବୋଲି ସୂଚନା ମିଳିଛି। ଗତ ସପ୍ତାହରେ ଦଳର ବରିଷ୍ଠ ନେତାମାନେ ଜିଲ୍ଲା ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ନାଁ ଚୂଡ଼ାନ୍ତ କରିଥିବାବେଳେ ୭-୮ଟି ଜିଲ୍ଲାକୁ ନେଇ ସହମତି ହୋଇପାରିଥିଲା। ଅନ୍ୟ ଜିଲ୍ଲାକୁ ନେଇ ସହମତି ହୋଇନଥିବାରୁ ଏହି ତାଲିକା ଘୋଷଣାରେ ବିଳମ୍ବ ହୋଇଛି। ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଦଳରେ ପ୍ରଥମଥର ପାଇଁ ସାଧାରଣ ସମ୍ପାଦକ(ସଂଗଠନ) ଓ ସାଧାରଣ ସମ୍ପାଦକ( ହେଡକ୍ୱାର୍ଟର) ଭଳି ଦୁଇଟି ପଦ ସୃଷ୍ଟି ହୋଇଥିବାବେଳେ ଦଳର ମୁଖ୍ୟ ସଂଗଠନରେ ଅଧିକ ପଦବୀ ମହିଳାଙ୍କୁ ଦେବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି। ଅବଶ୍ୟ ଦଳର ସଭାପତି ନିର୍ବାଚନ ପରେ ହିଁ ଏସବୁ ସାଂଗଠନିକ ପଦବୀର ଘୋଷଣା ହେବ। ଦଳକୁ କ୍ୟାଡ଼ରଭିତ୍ତିକ ପାର୍ଟି ଭାବେ ଉପସ୍ଥାପିତ କରିବା ନିମନ୍ତେ ମଧ୍ୟ ଚଳିତଥର ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି।

Related story