ପାଟକୁରା ନିର୍ବାଚନ: ନିଜ ଛାଇକୁ ଡରୁଛି ବିଜେଡି, ଜିଲ୍ଲା ବାହାରର ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ବିଜେଡି ଏହି ଆସନକୁ ହାସଲ କରିବା ପାଇଁ ଏବେଠୁ କଳବଳକୌଶଳ ଲଗାଇ ଦେଇଛି। ପ୍ରଥମେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଓ ପରେ ବାତ୍ୟା ‘ଫୋନି’ ଯୋଗୁ ସ୍ଥଗିତ ଥିବା ପାଟକୁରା ବିଧାନସଭା ନିର୍ବାଚନ ଜୁନ୍ ୧୦ତାରିଖ ସୁଦ୍ଧା ହେବାର ସମ୍ଭାବନା ରହିଛି। ତେବେ ସେଠାରେ ବିଜେପିର ପ୍ରାର୍ଥୀ ତଥା ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ […]

Bjd-desperate-to-ensure-Bijoy-mohapatras-defeat-in-patkura

Bjd-desperate-to-ensure-Bijoy-mohapatras-defeat-in-patkura

Manoranjan Sial
  • Published: Wednesday, 15 May 2019
  • Updated: 15 May 2019, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ବିଜେଡି ଏହି ଆସନକୁ ହାସଲ କରିବା ପାଇଁ ଏବେଠୁ କଳବଳକୌଶଳ ଲଗାଇ ଦେଇଛି। ପ୍ରଥମେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଓ ପରେ ବାତ୍ୟା ‘ଫୋନି’ ଯୋଗୁ ସ୍ଥଗିତ ଥିବା ପାଟକୁରା ବିଧାନସଭା ନିର୍ବାଚନ ଜୁନ୍ ୧୦ତାରିଖ ସୁଦ୍ଧା ହେବାର ସମ୍ଭାବନା ରହିଛି। ତେବେ ସେଠାରେ ବିଜେପିର ପ୍ରାର୍ଥୀ ତଥା ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ହରାଇ ପାଟକୁରା ବିଧାନସଭା ଆସନକୁ ନିଜ କବଜାରେ ରଖିବା ପାଇଁ ବିଜେଡି ପ୍ରସ୍ତୁତ କରିଥିବା ରଣନୀତି ଏବେ ଦଳ ନିମନ୍ତେ ବୁମେରାଂ ହେବାର ଆଶଙ୍କା ରହିଛି। ବେଦପ୍ରକାଶଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡି ପାଟକୁରାରେ ଯେଉଁ ‘ସହାନୁଭୂତି’ କାର୍ଡ ଖେଳିଥିଲା ତାହା ମଧ୍ୟ ଦାନା ଧରିପାରିନି। ଓଲଟା ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତା ରାଜନୀତିରୁ ଦୂରେଇ ରହିଥିବା ଜିଲ୍ଲାର ବରିଷ୍ଠ ନେତା ଶ୍ରୀ ମହାପାତ୍ରଙ୍କ ପ୍ରତି ସହାନୁଭୂତି ବୃଦ୍ଧି ପାଉଥିବାରୁ ତାହା ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି।

ସୂଚନା ଅନୁସାରେ ‘ଫୋନି’ ବାତ୍ୟା ପାଇଁ ନିର୍ଦ୍ଧାରିତ ମେ’ ୧୯ତାରିଖରେ ନିର୍ବାଚନ ସ୍ଥଗିତ ରହିଥିବା ସତ୍ତେ୍ୱ ବିଜେଡି ସେଠାରେ ପ୍ରଶାସନିକ କଳର ସହାୟତାରେ ପ୍ରତ୍ୟେକ ପଞ୍ଚାୟତରେ ନିଜ ନିଜର ଦଳୀୟ କର୍ମୀ ଓ ସଂଗଠକଙ୍କ ମାଧ୍ୟମରେ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଛି । ବାତ୍ୟା ପ୍ରଭାବିତ ପାଟକୁରା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଉପସ୍ଥିତିରେ ସରକାରୀ ରିଲିଫ ସାମଗ୍ରୀ ବଣ୍ଟନ ଓ ସେଥିରେ ବିଜେଡିର ଚିହ୍ନ ‘ଶଙ୍ଖ’ ଲଗାଯାଇଥିବା ବିଜେପି ପକ୍ଷରୁ ବିଧିବଦ୍ଧ ଅଭିଯୋଗ ହୋଇସାରିଛି। ଏସବୁ ସତ୍ତେ୍ୱ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ନିଜର ସାଂଗଠନିକ କାର୍ଯ୍ୟକୁ ଜୋରଦାର କରିବାରେ ଲାଗିଛି।

ପାଟକୁରା ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର କୌଣସି ନେତାଙ୍କ ଉପରେ ଦଳ ଏଥର ଭରସା କରିପାରିନଥିବା ଜଣାପଡ଼ିଛି । ବିଶେଷକରି ଜିଲ୍ଲାରେ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବଙ୍କ ଭଳି ବରିଷ୍ଠ ନେତା ଥିବା ସତ୍ତେ୍ୱ ସେମାନଙ୍କୁ ପାଟକୁରା ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିଛି। ଓଲଟା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପାଟକୁରା ନିର୍ବାଚନ ଦାୟିତ୍ୱ ସମ୍ଭାଳିବା ପାଇଁ ଦଳ ନିର୍ଦ୍ଦେଶ ଦେଇଛି। ଶ୍ରୀ ସାହୁ ମଧ୍ୟ ନିଜର ଟିମ୍ ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଡେରା ପକାଇ ପାଟକୁରା ନିର୍ବାଚନମଣ୍ଡଳୀର ‘ଇତିହାସ-ଭୂଗୋଳ’କୁ ପରଖିଛନ୍ତି। ତେବେ ଏସବୁ ଭିତରେ ପାଟକୁରାର ସାଧାରଣ ଭୋଟର ଏବେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଥିବାରୁ ବିଜେଡି ଓ ସରକାରୀ ଗୁଇନ୍ଦା ଟିମ୍ ଏପର୍ଯ୍ୟନ୍ତ ଭୋଟରଙ୍କ ମୁଡ୍ ପରଖିବାରେ ସକ୍ଷମ ହୋଇପାରିନାହାନ୍ତି। ତେବେ ବେଦପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କ ପ୍ରତି ସହାନୁଭୂତି ସୃଷ୍ଟି ହେବ ବୋଲି ବିଜେଡି ଯାହା ଆକଳନ କରିଥିଲା ତାହା ସାମାନ୍ୟ ମାତ୍ରାରେ ବି ନଥିବା କେନ୍ଦ୍ରାପଡ଼ାରେ ଡେରା ପକାଇ ଅରୁଣଙ୍କ ଟିମ୍ ଅନୁଭବ କରିସାରିଥିବା ସୂଚନା ମିଳିଛି।

ସେପଟେ ବରିଷ୍ଠ ନେତା ବିଜୟ ମହାପାତ୍ର ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତା ରାଜନୀତିରୁ ଦୂରେଇ ରହିଥିବାରୁ ତାଙ୍କ ପ୍ରତି ସାଧାରଣ ଭୋଟରଙ୍କ ମଧ୍ୟରେ ସହାନୁଭୂତି ବୃଦ୍ଧି ପାଇବାରେ ଲାଗିଛି । ବିଜୟ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ‘ଇତିହାସ-ଭୂଗୋଳ’ ସହ ଓତଃପ୍ରୋତ ଭାବେ ଜଡ଼ିତ। ସ୍ଥାନୀୟ ସମୀକରଣ ମଧ୍ୟ ଭଲଭାବେ ଜାଣନ୍ତି। ବିଜୟଙ୍କ ସମର୍ଥନରେ ନିର୍ବାଚନମଣ୍ଡଳୀର ଯୁବଗୋଷ୍ଠୀ ଏବେ ‘ବିଜୟ ସେନା’ ନାଁରେ ଆଗକୁ ଆସିଛି। ପାଟକୁରାରେ ଦୀର୍ଘଦିନ ଧରି ଚାଲି ଆସିଥିବା ‘ପିସି’ ରାଜନୀତିିରେ ସାଧାରଣ ଲୋକେ ଅତିଷ୍ଠ ଥିବାବେଳେ ‘ସହାନୁଭୂତି’କୁ ସମ୍ବଳ କରି ବିଜୟ ଏହି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି।

କିନ୍ତୁ ବିଜୟଙ୍କ ‘ବିଜୟ’ମାର୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟ ପ୍ରତିବନ୍ଧକ ହୋଇ ରହିଛନ୍ତି ଓ କଳବଳକୌଶଳ ଲଗାଇ ବିଜୟ ଯେଭଳି ନ ଜିତିବେ ତାହା ସୁନିଶ୍ଚିତ କରାଇବାକୁ ଚାହୁଁଛନ୍ତି। ତା’ଛଡ଼ା ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟ ବିଜୟଙ୍କ ‘ବିଜୟ’ ମାର୍ଗରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ତେବେ କେନ୍ଦ୍ରାପଡ଼ାରୁ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସକ୍ରିୟ ସହଯୋଗ ଓ ସ୍ଥାନୀୟ ଲୋକଙ୍କ ସମର୍ଥନକୁ ସମ୍ବଳ କରି ବିଜୟ ଏଥର ନିର୍ବାଚନ ଜିତିବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ତାହା ନବୀନ ଓ ତାଙ୍କ ସମର୍ଥିତ ବିଜେପି ଗୋଷ୍ଠୀଙ୍କୁ ନିରାଶ କରିପାରେ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।

ବିଜେଡି ହୁଏତ ଶେଷ ମୁହୂର୍ତ୍ତରେ ଜିଲ୍ଲାର ପୁରୁଖା ନେତାମାନଙ୍କୁ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କରିପାରେ କିନ୍ତୁ ନିର୍ବାଚନ ଜିତିବା ପାଇଁ ବିଜୟ ବିଛାଇଥିବା ‘ଚକ୍ରବ୍ୟୁହ’କୁ ବିଜେଡି ଏଥର ଭେଦ କରିବା ସହଜ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos