ମନ୍ତ୍ରୀଙ୍କୁ ଘାଇଲା କଲେ ମହାରଥୀ: କହିଲେ-ନବୀନଙ୍କ ନାଁରେ କେତେ ଦିନ ପାରି ହେବ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଇପ୍ ଯୋଗେ ପିଇବା ପାଣି ଯୋଗାଣର ବାସ୍ତବତାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଖୋଦ୍ ଶାସକ ବିଧାୟକ। ସରକାରଙ୍କ କଥା ଓ କାମରେ ଫରକକୁ ନେଇ ବର୍ତ୍ତମାନର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ଠିକ୍‌ ସେମିତି ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ମଧ୍ୟ ନିଜ ଅଞ୍ଚଳର ଉଦାହରଣ ଦେଇ ସରକାରଙ୍କ କଥା ଓ କାମର ପ୍ରମାଣ ରଖିଛନ୍ତି। ବୌଦ୍ଧ ବଘିଆପଡ଼ା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦୂର […]

pradeep-moharathi

Manoranjan Sial
  • Published: Tuesday, 19 November 2019
  • , Updated: 19 November 2019, 09:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଇପ୍ ଯୋଗେ ପିଇବା ପାଣି ଯୋଗାଣର ବାସ୍ତବତାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଖୋଦ୍ ଶାସକ ବିଧାୟକ। ସରକାରଙ୍କ କଥା ଓ କାମରେ ଫରକକୁ ନେଇ ବର୍ତ୍ତମାନର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ଠିକ୍‌ ସେମିତି ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ମଧ୍ୟ ନିଜ ଅଞ୍ଚଳର ଉଦାହରଣ ଦେଇ ସରକାରଙ୍କ କଥା ଓ କାମର ପ୍ରମାଣ ରଖିଛନ୍ତି।

ବୌଦ୍ଧ ବଘିଆପଡ଼ା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ୧୩ ବର୍ଷ ତଳେ ଆରମ୍ଭ ହୋଇଥିଲା ‘ସ୍ୱଜଳଧାର ପ୍ରକଳ୍ପ’। ହେଲେ ଠିକାଦାର ଓ ସରକାରୀ ବାବୁଙ୍କ ମନମୁଖୀ କାର୍ଯ୍ୟ ପାଇଁ କାମ ଅଧାରେ ଅଟକି ରହିଛି। ଏବେ ପୁଣି ‘ବସୁଧା’ ଯୋଜନାରେ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇବାକୁ ଆରମ୍ଭ ହୋଇଛି କାମ। ହେଲେ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଯାହାଫଳରେ ଲୋକେ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆଜି ବିଧାନସଭାରେ ଏହି ଗୁମର ଖୋଲିଛନ୍ତି ପୂର୍ବତନ ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ଅମାତ। ୧୩ ବର୍ଷ ପରେ ମଧ୍ୟ ଯୋଜନା ବାସ୍ତବ ରୂପ ନେଇପାରୁନି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ ପ୍ରଦୀପ।

ଅମାତଙ୍କ ପ୍ରଶ୍ନ ଶୁଣି ଚିଇଁକି ଉଠିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କହିଛନ୍ତି-“୧୩ ବର୍ଷ ହେଲା ପ୍ରକଳ୍ପ କାମ ସରୁନି, ଏହା ତ ଆଶ୍ଚର୍ଯ୍ୟର କଥା। ୨୪ ଘଣ୍ଟା ଭିତରେ ପ୍ରକଳ୍ପର ଅଗ୍ରଗତି ନେଇ ସୂଚନା ଦେବି।”

ପ୍ରଦୀପଙ୍କଠାରୁ ଦୁଇପାଦ ଆଗକୁ ଯାଇ ବିଭାଗୀୟ ମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ବେଶ ପାରିବାର ଓ ଶ୍ରେଷ୍ଠ ମନ୍ତ୍ରୀର ପୁରସ୍କାର ପାଇଥିବା ମନ୍ତ୍ରୀ ମହାଶୟ ନବୀନ ପଟ୍ଟନାୟକଙ୍କ ନାଁରେ କେତେ ଦିନ ଯାଏଁ ପାର ହେଉଥିବ ବୋଲି ଛିଗୁଲେଇ ଥିଲେ ମହାରଥୀ। ପ୍ରତାପଙ୍କ ପାଖରେ ବସିଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ବିଶ୍ୱକଳାର ମନ୍ତ୍ରୀ ବୋଲି କହିଛନ୍ତି ମହାରଥୀ।

ମହାରଥୀଙ୍କ ପରି କଂଗ୍ରେସ ବିଧାୟକ ମଧ୍ୟ ସରକାରଙ୍କ ପିଇବା ପାଣି ପ୍ରକଳ୍ପର ବାସ୍ତବତାକୁ ନେଇ ପ୍ରଶ୍ନବାଣରେ ଘାଇଲା କରିଥିଲେ। ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ, ୨୦୨୦ରେ ସବୁ ସହର ଓ ୨୦୨୪-୨୫ ସୁଦ୍ଧା ସବୁ ଗାଁକୁ ପିଇବା ପାଣି ପହଞ୍ଚା ଯିବ।

ପିପିଲି ବିଧାୟକ ପ୍ରଦୀପ ମହାରଥୀ କହିଛନ୍ତି-“ପାନୀୟ ଜଳ ପ୍ରକଳ୍ପ ନେଇ ପ୍ରଶ୍ନ କଲେ ଉତ୍ତର ମିଳୁଛି, ତୁରନ୍ତ ପଦକ୍ଷେପ ନେବୁ। ସେହି ତୁରନ୍ତ କାର୍ଯ୍ୟାନୁଷ୍ଠା ଓ ପଦକ୍ଷେପର ସଂଜ୍ଞା କଣ?”

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି-“ସମସ୍ତ ସହରାଞ୍ଚଳରେ ୨୦୨୦ ମାର୍ଚ୍ଚ ସୁଦ୍ଧା ପ୍ରତ୍ୟକ ଘରକୁ ପିଇବା ପାଣି ପହଞ୍ଚିବ। ୨୦୨୪-୨୫ ସୁଦ୍ଧା ସମସ୍ତ ଗାଁକୁ ରାଜ୍ୟ ସରକାର ପିଇବା ପାଣି ଯୋଗାଇ ଦେବେ।”

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି-“ପାନୀୟ ଜଳ ଯୋଗାଣକୁ ନେଇ ଅଫିସରମାନେ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି। କୌଣସି ଅଫିସର ଗାଁକୁ ଯାଇ ପାନୀୟ ଜଳ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିଛନ୍ତି କି?”

ରାଜ୍ୟରେ ୪୭୩୬୬ ଗାଁରୁ ଏବେ ସୁଦ୍ଧା ସରକାର ୧୯୫୦୪ ଟି ଗାଁକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଉଛନ୍ତି ବୋଲି ବିଧାନସଭାରେ କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ।

Related story