ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ପୁଣିଥରେ ସଫଳ ହୋଇ ରାଜ୍ୟରେ କ୍ରମାଗତ ପଞ୍ଚମ ଥର କ୍ଷମତାସୀନ ହୋଇଥିବା ବିଜେଡିରେ ଏବେ ‘୨୦୨୨ ମସିହା’କୁ ନେଇ ଚର୍ଚ୍ଚା। ଯଦିଓ ଏହି ଚର୍ଚ୍ଚାକୁ ନେଇ ବିଜେଡି ନେତାମାନେ ନିର୍ଦ୍ଦିଷ୍ଟ ଭାବେ ମୁହଁ ଖୋଲୁନାହାନ୍ତି ତଥାପି ୨୦୨୨ ମସିହାରେ ହିଁ ଦଳ ଓ ସରକାରରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି କିଛି ବିଜେଡି ନେତା ନିଜ ନାଁ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି।
ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା , ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେଡି ସରକାରର ଅନେକ ଯୋଜନା ଓ ବିରୋଧୀ ଦଳକୁ ବାଜିମାତ୍ କରିବାର କୌଶଳ ଯୋଗୁ ନବୀନ କ୍ରମାଗତ ଭାବେ ରାଜ୍ୟରେ କ୍ଷମତାସୀନ ହୋଇ ରହିଛନ୍ତି। ଗତ ୧୯ବର୍ଷ ଧରି ରାଜ୍ୟରେ ନବୀନଙ୍କ ନେତୃତ୍ୱରେ ସରକାର ଚାଲିଥିବାବେଳେ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାର ଉତ୍ତରଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ହୋଇଛି। ୨୦୦୪ରୁ ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅବହେଳାକୁ ‘ଜପା ମାଳି’ କରିଥିବା ବିଜେଡି ପାଇଁ ପଞ୍ଚମ ପାଳିରେ ଅନୁରୂପ ସ୍ଲୋଗାନ ଦେବା ସହଜ ହେବନି କିମ୍ବା ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ମଧ୍ୟ ହେବନି। ଯାହାକୁ ଆକଳନ କରି ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ଏବେଠୁ ‘୨୦୨୨ ମସିହା’ ପ୍ଲାନକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।
ବିଜେଡି ସୂତ୍ର ଅନୁସାରେ, ଏହି ପ୍ରଭାବଶାଳୀ ଗୋଷ୍ଠୀ ହିଁ ନବୀନଙ୍କୁ ଆଗରେ ରଖି ଉଭୟ ଦଳ ଓ ସରକାରର ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରିଛନ୍ତି। ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବେ ଓ କାହାକୁ କେଉଁ ବିଭାଗ ମିଳିବ ତା’ର ନିଷ୍ପତ୍ତି ନେବାଠୁ ଆରମ୍ଭ କରି ଦଳର ଛାମୁଆ ସଂଗଠନରେ କିଏ ରହିବେ, ତାହା ମଧ୍ୟ ଏହି ଗୋଷ୍ଠୀ ସ୍ଥିର କରିଛି। ପଞ୍ଚମ ପାଳିର ସରକାର ଗଠନରେ ଏହି ଗୋଷ୍ଠୀ ନିଜର ଛାପ ଛାଡ଼ିବା ପରେ ଏବେ ସାଂଗଠନିକ ପୁର୍ନଗଠନ ଉପରେ ନଜର ପକାଇଛି। ପ୍ରଭାବଶାଳୀ ଗୋଷ୍ଠୀର ଅନୁଗତ ତଥା ସମର୍ଥକ ଥିବା ବ୍ୟକ୍ତିମାନଙ୍କୁ ଦଳର ଛାମୁଆ ସଂଗଠନର ମୁଖିଆ ଭାବେ ନିଯୁକ୍ତି ମିଳିବ। ତା’ପରେ ହିଁ ‘୨୦୨୨ ମସିହା’ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
‘୨୦୨୨ ମସିହା ବ୍ଲୁ-ପ୍ରିଣ୍ଟ’ କ’ଣ, ତାକୁ ନେଇ କେହି ମୁହଁ ଖୋଲୁନଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଅକ୍ଷୂଣ୍ଣ ରଖିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ ହୋଇଛି। ବିଜେପି ନିଜର ସାଂଗଠନିକ ଶକ୍ତିକୁ ଓଡ଼ିଶାରେ ବୃଦ୍ଧି କରିବା ସହ ୨୦୨୪ ମସିହାରେ କ୍ଷମତାସୀନ ହେବା ପାଇଁ ପ୍ରୟାସ ଆରମ୍ଭ କରିଥିବାରୁ ବିଜେଡି ନିଜର ‘୨୦୨୨ ମସିହା’ ପ୍ଲାନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଅନ୍ୟ ଏକ ଭିନ୍ନ କାରଣ ଯୋଗୁ ମଧ୍ୟ ବିଜେଡି ନିଜର ସୁପ୍ରିମୋଙ୍କୁ ପରଦା ପଛରେ ରଖି ଏଭଳି ରଣନୀତି ପ୍ରସ୍ତୁତ କରିଛି। ଦଳରେ ଥିବା ପୁରୁଣାଙ୍କୁ ବାଦ୍ ଦେଇ ଯୁବ ପିଢ଼ି ଉପରେ ଉଭୟ ସରକାର ଓ ସଂଗଠନ ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ଏହି ‘୨୦୨୨ ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ ହେଉଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।