ପ୍ରାର୍ଥୀଙ୍କୁ ମିଳୁନି କର୍ମୀଙ୍କ ସମର୍ଥନ, ଚର୍ଚ୍ଚାରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଭୂମିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ବିଜେଡିର ନବାଗତ ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କୁ କର୍ମୀ ମିଳୁନାହାନ୍ତି। ଏଭଳି ଅଭିଯୋଗ ‘ଓଡ଼ିଶା ରିପୋର୍ଟର’ କରୁନି ବରଂ ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ସଦର ଆସନର ଦଳୀୟ ପ୍ରାର୍ଥୀ ଶ୍ରୀ ଦାସଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପ ହିଁ ଏଭଳି ଦିଗକୁ ଇସାରା କରୁଛି। ବିଜେଡି ପ୍ରାର୍ଥୀ ଶ୍ରୀ ଦାସ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ […]

8bcz

Tapas Behera
  • Published: Wednesday, 14 October 2020
  • , Updated: 14 October 2020, 06:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ବିଜେଡିର ନବାଗତ ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କୁ କର୍ମୀ ମିଳୁନାହାନ୍ତି। ଏଭଳି ଅଭିଯୋଗ ‘ଓଡ଼ିଶା ରିପୋର୍ଟର’ କରୁନି ବରଂ ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ସଦର ଆସନର ଦଳୀୟ ପ୍ରାର୍ଥୀ ଶ୍ରୀ ଦାସଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପ ହିଁ ଏଭଳି ଦିଗକୁ ଇସାରା କରୁଛି। ବିଜେଡି ପ୍ରାର୍ଥୀ ଶ୍ରୀ ଦାସ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ତାଙ୍କ ସମର୍ଥନରେ କର୍ମୀମାନେ ଆଗକୁ ନଆସିବା ବାଲେଶ୍ୱର ବିଜେଡିରେ ପ୍ରାର୍ଥୀ ଚୟନକୁ ନେଇ ଚାଲିଥିବା ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ସଦର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଜିଲ୍ଲା ବିଜେଡିରେ ଝଡ଼ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଶ୍ରୀ ଜେନା ଏବେ ସୁବିଧା ସ୍ଥିତିରେ ଥିବା ତିର୍ତ୍ତୋଲ ଉପନିର୍ବାଚନ ବ୍ୟାପାରରେ ମୁଣ୍ଡ ଖଟାଇବା ଆରମ୍ଭ କରିଛନ୍ତି। ବାଲେଶ୍ୱରରେ ଦଳ ଭିତରେ ଚାଲିଥିବା ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରି ଦଳୀୟ ପ୍ରାର୍ଥୀଙ୍କ ଜିତିବା ନିମନ୍ତେ ରଣନୀତି ପ୍ରସ୍ତୁତି ଛାଡ଼ି ମନ୍ତ୍ରୀ ଶ୍ରୀ ଜେନା ଅତ୍ୟନ୍ତ ଚତୁରତାର ସହ ବାଲେଶ୍ୱର ଛାଡ଼ି ଆଜି ଦିନତମାମ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଡେରା ପକାଇଥିବା ଜଣାପଡ଼ିଛି।

ସେପଟେ ବାଲେଶ୍ୱର ସଦର ଆସନ ପାଇଁ ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ କରିବା ଜିଦ୍‌ରେ ଦଳର ଆଗଧାଡ଼ିର କର୍ମୀମାନେ ଜିଦ୍ କରି ରହିଛନ୍ତି। ଯେଉଁଥିପାଇଁ ନବାଗତ ପ୍ରାର୍ଥୀ ସ୍ୱରୂପ ଦାସ ଆସନ୍ତାକାଲି କିଭଳି ନାମାଙ୍କନ ପତ୍ର ଦାଖଲ କରିବେ ସେ ନେଇ ଚିନ୍ତାରେ ରହିଛନ୍ତି। ତେବେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରଘୁନାଥପୁର ବ୍ଲକରେ କର୍ମୀମାନଙ୍କ ଗହଣରେ ବସି ବାଲେଶ୍ୱର ବିଜେଡି ପର୍ଯ୍ୟବେକ୍ଷକ

ମନ୍ତ୍ରୀ ଶ୍ରୀ ଜେନା ବାଲେଶ୍ୱର ସଦର ଆସନର ପ୍ରାର୍ଥୀଙ୍କୁ  ଫୋନ୍ ମାଧ୍ୟମରେ ଗୁରୁମନ୍ତ୍ର ଦେଉଥିବା ଦେଖିବାକୁ ମିଳିଛି।

ବାଲେଶ୍ୱର ସଦର ଆସନର ବିଜେଡି ପ୍ରାର୍ଥୀ ଶ୍ରୀ ଦାସଙ୍କୁ ଫୋନ୍ ମାଧ୍ୟମରେ ପରାମର୍ଶ ଦେଇ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, “ ଯାହାକୁ ଦେଖା କରିବାକଥା ଆଜି ଦେଖାକର, କାଲି ନୁହେଁ। ଅତିକମରେ ଦଳର ୫୦ଜଣଙ୍କୁ ଫୋନ୍ କରି ଯୋଗାଯୋଗ କର, ଆଉ ତୁମର ୧୦୦ଜଣ ସାଙ୍ଗସାଥୀଙ୍କୁ କୁହ,ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରୁଛି, ଆଉ ସମୟ ନାହିଁ। ଆପଣ ଟିକେ କାଲି ଯେମିତି ହେଲେ ରହିବେ। ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ବିଜୁବାବୁ ଓ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବ।” ଶ୍ରୀ ଜେନାଙ୍କର ଏହି କେଇପଦ କଥା ହିଁ ବାଲେଶ୍ୱର ବିଜେଡିରେ ଏବେ ସବୁକିଛି ଠିକ୍ ନଥିବାକୁ ଦର୍ଶାଇବାରେ ଲାଗିଛି ।

ଅନ୍ୟପକ୍ଷରେ ବାଲେଶ୍ୱର ସଦର ଆସନ ଉପନିର୍ବାଚନ ପରିଚାଳନା ପାଇଁ ବିଜେଡିର ସେଣ୍ଟ୍ରାଲ ଟିମରେ ଥିବା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଜେନା ଏବେ ତିର୍ତ୍ତୋଲରେ ଡେରା ପକାଇବାର ଉଦ୍ଦେଶ୍ୟ କ’ଣ? ସେପ୍ଟେମ୍ବର ୧୧ତାରିଖରେ ସ୍ଥାନୀୟ ନେତାଙ୍କୁ ବାଦ୍ ଦେଇ ଉପରେ ପଡ଼ି ମାମଲାତି କରି ମନ୍ତ୍ରୀ ଶ୍ରୀ ଜେନା ଓ ଦେବାଶୀଷ ସାମନ୍ତରାୟଙ୍କୁ ଦଳୀୟ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ବିଜେଡିର ଗଡ଼ ଭାବେ ପରିଚିତ ତିର୍ତ୍ତୋଲ ଉପନିର୍ବାଚନର ପରିଚାଳନା ପାଇଁ ଗଠିତ ଟିମରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ନାଁ ନଥିବାବେଳେ ଦଳର ବିଶ୍ୱସ୍ତ ତ୍ରିମୂର୍ତ୍ତି  ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି।

ତେଣୁ ଶ୍ରୀ ଜେନା ତିର୍ତ୍ତୋଲରେ ଡେରା ପକାଇ ପରୋକ୍ଷରେ ଏହି ୩ ଦକ୍ଷ ନେତାଙ୍କ ଉପରେ ମାମଲାତି କରିବାକୁ ପ୍ରୟାସ କରିଛନ୍ତି। ପୂର୍ବରୁ ସ୍ଥାନୀୟ କର୍ମୀଙ୍କ ଆକ୍ରୋଶ ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପରେ ରହିଥିବାବେଳେ ଏବେ ପୁଣିଥରେ ତିର୍ତ୍ତୋଲରେ ଡେରା ପକାଇ ସମଗ୍ର ନିର୍ବାଚନ ପରିଚାଳନାକୁ ପାଣିଚିଆ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ବିଜୟ ମାର୍ଗରେ ସମସ୍ୟା କରୁନାହାନ୍ତି ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ଶ୍ରୀ ଜେନା ନିଜର ଜଣେ ଘନିଷ୍ଠ ସହଯୋଗୀଙ୍କୁ ତିର୍ତ୍ତୋଲ ଆସନରୁ ପ୍ରାର୍ଥୀ କରିବାକୁ ଲବି କରି ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିବା ଦଳୀୟ ମହଲରୁ ଶୁଣିବାକୁ ମିଳୁଛି।

Related story