ପାଟକୁରାରୁ ବାହାରର ବିଜେଡି ନେତାଙ୍କୁ ତୁରନ୍ତ ହଟାଯାଉ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ଉଭୟ ବିଜେଡି ଓ ବିଜେପି ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ ପ୍ରଚାର ସରିଥିଲେ ମଧ୍ୟ ପାଟକୁରାରେ ଡେରା ପକାଇଥିବା ବାହାରର ବିଜେଡି ନେତାମାନଙ୍କୁ ତୁରନ୍ତ ହଟାଇବାକୁ ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବା ସହ ବୁଥ ରିଗିଂ ଆଶଙ୍କା କରି ସିସିଟିଭି ଓ ଭିଡିଓ କ୍ୟାମେରା ଲଗାଇବାକୁ ଦାବି କରିଛି। ଆଜି ବିଜେପି ରାଜ୍ୟ ସମ୍ପାଦକ ଲେଖାଶ୍ରୀ […]

bjp-asks-ceo-to-take-action-against-outsiders-who-have-refused-to-leave-Patkura

bjp-asks-ceo-to-take-action-against-outsiders-who-have-refused-to-leave-Patkura

Manoranjan Sial
  • Published: Friday, 19 July 2019
  • Updated: 19 July 2019, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ଉଭୟ ବିଜେଡି ଓ ବିଜେପି ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ ପ୍ରଚାର ସରିଥିଲେ ମଧ୍ୟ ପାଟକୁରାରେ ଡେରା ପକାଇଥିବା ବାହାରର ବିଜେଡି ନେତାମାନଙ୍କୁ ତୁରନ୍ତ ହଟାଇବାକୁ ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବା ସହ ବୁଥ ରିଗିଂ ଆଶଙ୍କା କରି ସିସିଟିଭି ଓ ଭିଡିଓ କ୍ୟାମେରା ଲଗାଇବାକୁ ଦାବି କରିଛି।

ଆଜି ବିଜେପି ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପାଟକୁରାରେ ଶାସକ ବିଜେଡି ପକ୍ଷରୁ ଆଇନର ଖୁଲମଖୁଲା ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ଶାସକ ବିଜେଡିର ନେତାମାନେ ପାଟକୁରାରେ ଅପରାଧିକ କାର୍ଯ୍ୟକଳାପ କରିବା ସହ ଭୋଟ ହାତେଇବା ପାଇଁ ଟଙ୍କା ଓ ମଦ ବାଣ୍ଟୁଛନ୍ତି। ଏସବୁ କାର୍ଯ୍ୟରେ ଲିପ୍ତ ଥିବା ବିଜେଡି ନେତାମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି।

ଲେଖାଶ୍ରୀ କହିଛନ୍ତି ଯେ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ ଦୋକାନକୁ ବନ୍ଦ କରାଯାଇଥିବାବେଳେ ଭୋଟ ହାତେଇବା ପାଇଁ ବିଜେଡି ଦଳ ଖୁଲମଖୁଲା ଲୋକଙ୍କୁ ମଦ ଏବଂ ଟଙ୍କା ବାଣ୍ଟି ଚାଲିଛି। ଯାହାକି ଲୋକ ପ୍ରତିନିଧିତ୍ୱ ୧୯୫୧ ଧାରା ୧୩୫(ଗ) ଅଧିନିୟମ ଅନୁଯାୟୀ ସଂପୂର୍ଣ୍ଣ ବେଆଇନ। ପାଟକୁରା ନିର୍ବାଚନ ମଣ୍ଡଳୀରେ ମଦ ବଣ୍ଟାଯାଉଥିବା ସ୍ଥାନକୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ଚଢ଼ଉ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ପୂର୍ବରୁ ସାଧାରଣ ନିର୍ବାଚନ ବେଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ତିହିଡ଼ି ବ୍ଲକରେ ବିଷାକ୍ତ ମଦ ବାଣ୍ଟିିଥିଲେ। ଏହାକୁ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଉଦ୍ଧ୍ୱର୍ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଲେଖାଶ୍ରୀ କହିଛନ୍ତି। ସେହିପରି ନିୟମ ଅନୁସାରେ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପାଟକୁରା ନିର୍ବାଚନୀ ମଣ୍ଡଳୀର ଭୋଟର ଲିଷ୍ଟରେ ନଥିବା ଲୋକେ ଏହି ଅଞ୍ଚଳ ଛାଡ଼ିବା କଥା। କିନ୍ତୁ ପ୍ରଚାର ଶେଷ ହେଲା ପରେ ବି ବିଜେଡି ଦଳର ଅନେକ ବିଧାୟକ, ପୂର୍ବତନ ବିଧାୟକ ଏବଂ କର୍ମକର୍ତ୍ତା ଏପର୍ଯ୍ୟନ୍ତ ପାଟକୁରା ନିର୍ବାଚନମଣ୍ଡଳୀ ନଛାଡ଼ି ପ୍ରଚାର ଚଳାଉଛନ୍ତି। ବିଜେଡିର କର୍ମକର୍ତ୍ତାମାନେ ଗତକାଲି ରାତିରେ ସମସ୍ତ ବୁଥରେ ଥିବା ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ସମର୍ଥନ ଓ ସହଯୋଗ କରିବାକୁ ଚାପ ପକାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ପାଟକୁରା ନିର୍ବାଚନମଣ୍ଡଳୀରେ ବାହାରୁ ଯାଇ ପ୍ରଚାର କରୁଥିବା ବିଜେଡି ନେତା ଓ କର୍ମୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାହାର କରିବା ପାଇଁ ତୁରନ୍ତ ଜିଲ୍ଲାପାଳ ଓ ପୁଲିସ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ଦାବି କରିଛି।

ସୂଚନାଯୋଗ୍ୟ, ପୁର୍ବରୁ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପାଟକୁରାରେ ଥିବା ସମସ୍ତ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁ୍ଥର ତାଲିକା ପ୍ରଦାନ କରିଥିଲେ। କିନ୍ତୁ ଏହାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱ ନଦେଇ ଶାସକ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରିଚାଲିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଡେରାବିଶ ବ୍ଲକରେ ଥିବା ବୁଥ ଗୁଡିକରେ ଶାସକ ବିଜେଡି ବୁଥ୍ କ୍ୟାପଚରିଙ୍ଗ ଓ ରିଗିଂ କରିବାର ଯୋଜନା କରିଛି। ଡେରାବିଶ ବ୍ଲକ ଅଧୀନରେ ଥିବା ସମସ୍ତ ସମସ୍ତ ବୁ୍ଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ସହ ସିସିଟିଭି କ୍ୟାମେରା ଲଗାଇ ନିର୍ବାଚନକୁ ସୁପରିଚାଳିତ କରିବା ସହ ପାଟକୁରାରେ ମୁକ୍ତ, ନିରପେକ୍ଷ ଏବଂ ଅବାଧ ନିର୍ବାଚନ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ଆବାହକ ସୁଦର୍ଶନ ନାୟକ ଏବଂ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos