‘୩୮୪୨୭କୋଟିର ହିସାବ ଗାଏବ, ଚିଟ୍‌ଫଣ୍ଡ କର୍ପସ ଫଣ୍ଡ ଗଲା କୁଆଡ଼େ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ବିଧାନସଭାରେ ଆଗତ ହେବାପରେ ବିଜେପି ପକ୍ଷରୁ କ୍ଷମତାସୀନ ବିଜେଡି ସରକାରକୁ କଡ଼ାଭାଷାରେ ସମାଲୋଚନା କରାଯାଇଛି। କେନ୍ଦ୍ରୀୟ ଅନୁଦାନକୁ ବାଟମାରଣା କରୁଥିବା ରାଜ୍ୟସରକାର ନିଜର ଅର୍ଥନୀତିକୁ ଦିଗହରା କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି । ୩୮୪୨୭କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଓ ୩୦୦ କୋଟି ଟଙ୍କାର ଚିଟଫଣ୍ଡ କର୍ପସ ଫଣ୍ଡ କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି […]

lekhasri-SAMANTSINHAR-FINAL

Manoranjan Sial
  • Published: Saturday, 30 November 2019
  • , Updated: 30 November 2019, 10:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ବିଧାନସଭାରେ ଆଗତ ହେବାପରେ ବିଜେପି ପକ୍ଷରୁ କ୍ଷମତାସୀନ ବିଜେଡି ସରକାରକୁ କଡ଼ାଭାଷାରେ ସମାଲୋଚନା କରାଯାଇଛି। କେନ୍ଦ୍ରୀୟ ଅନୁଦାନକୁ ବାଟମାରଣା କରୁଥିବା ରାଜ୍ୟସରକାର ନିଜର ଅର୍ଥନୀତିକୁ ଦିଗହରା କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି । ୩୮୪୨୭କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଓ ୩୦୦ କୋଟି ଟଙ୍କାର ଚିଟଫଣ୍ଡ କର୍ପସ ଫଣ୍ଡ କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟସରକାର ବିଧାନସଭାରେ ଲକ୍ଷେ କୋଟି ଟଙ୍କାରୁ ଅଧିକ ବଜେଟ୍ ପାସ୍ କରୁଛନ୍ତି ବୋଲି କହୁଛନ୍ତି କିନ୍ତୁ ସେଥିରେ ୨୧,୨୦୬କୋଟି ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି। ରାଜ୍ୟସରକାରଙ୍କର କ୍ୟାସ ବାଲାନ୍ସ ୩୦,୮୪୮କୋଟି ଟଙ୍କା ଥିଲା ବେଳେ ବଜାରରୁ ୬ରୁ ୮ % ସୁଧ ଦେଇ ୧୨,୧୩୦କୋଟି ଟଙ୍କା କାହିଁକି ଉଠାଇଛନ୍ତି । ଏହି ୬ରୁ ୮ ପ୍ରତିଶତ ସୁଧ କାହା ସ୍ୱାର୍ଥରେ ଓ କାହା ପକେଟକୁ ଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟସରକାର ଜନହିତକାରୀ ଯୋଜନା ଯଥା- ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମହିଳା ଓ ଶିଶୁ ବିଭାଗ ଆଦି ସାମାଜିକ କ୍ଷେତ୍ରଗୁଡ଼ିକରେ ଅର୍ଥ ଖର୍ଚ୍ଚ ନକରି ଯେଉଁଥିରେ ଦୁର୍ନୀତି ଓ ପିସି କାରବାର ହୋଇପାରିବ ଏବଂ ଯେଉଁଥିରେ ଅଧିକ ଅର୍ଥ ଖର୍ଚ୍ଚ ହେବ ଓ ତାହାର ହିସାବ ମିଳିବନାହିଁ ସେଭଳି କ୍ଷେତ୍ରରେ ରାଜ୍ୟସରକାର ପଇସା ଖର୍ଚ୍ଚ କରିଛନ୍ତି।

କୃଷି କ୍ଷେତ୍ରରେ ୯୪୬ କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶରେ ୯୨୨ କୋଟି, ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୮୧ କୋଟି ଟଙ୍କା ସରକାର ଖର୍ଚ୍ଚ କରିନପାରି ଫେରାଇ ଦେଇଛନ୍ତି। ଅଥଚ ପୂର୍ତ୍ତ ବିଭାଗରେ ସବୁ ପଇସା ଖର୍ଚ୍ଚ କରିବା ସହ ଦୁର୍ନୀତି ମଧ୍ୟ କରିଛନ୍ତି। ୨୨୯କୋଟି ଟଙ୍କା ଖର୍ଚ୍ଚରେ ୧୦୦ କି.ମି ରାସ୍ତାରୁ ମାତ୍ର ୪୮ କି.ମି ରାସ୍ତା ନିର୍ମାଣ କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୯୨ କୋଟି ଟଙ୍କା ଖର୍ଚ୍ଚ କରି ୮୦୦ କି.ମି ଜାଗାରେ ମାତ୍ର ୪୬୨ କିମି ନିର୍ମାଣ କରାଯାଇ ବାକି ଅର୍ଥ ଆତ୍ମସାତ କରାଯାଇଛି। ଏହି ମହାଦୁର୍ନୀତି ପାଇଁ ରାଜ୍ୟସରକାର ତକ୍ରାଳୀନ ପୂର୍ତ୍ତ ବିଭାଗର ମୁଖ୍ୟ ନଳୀନିକାନ୍ତ ପ୍ରଧାନଙ୍କୁ ସମ୍ବଲପୁରର ସାଂସଦ ଟିକେଟ ଦେଇ ପୁରସ୍କୃତ କରିଛନ୍ତିା ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ସେ ଅଭିଯୋଗ କରିଛନ୍ତି।
ରାଜ୍ୟସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣଭାବେ ବିଫଳ ହୋଇଛି। ଏଥିରେ ୧୩୦ କୋଟିରୁ ମାତ୍ର ୨୬.୬୫ କୋଟି ଖର୍ଚ୍ଚ ହୋଇପାରିଛି। କାଜୁ ଚାଷର ବିକାଶ ପାଇଁ ଦିଆଯାଇଥିବା ୮୦ କୋଟିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇପାରିନାହିଁ। ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ୩୦ କୋଟି ଏବଂ ଜନ୍ମନିୟନ୍ତ୍ରଣ ପାଇଁ ୧୫ କୋଟି ଟଙ୍କା ଆଦୌ ଖର୍ଚ୍ଚ ହୋଇପାରିନାହିଁ। ରାଜ୍ୟସରକାର ଗତ ୫ ବର୍ଷ ହେବ ଜମାକାରୀଙ୍କୁ ପଇସା ଫେରାଇ ଦେବେ ବୋଲି ମିଥ୍ୟା ପ୍ରତିଶୃତି ଦେଇଆସୁଛନ୍ତି ଏବଂ କମିସନ ଅବଧି ବଢ଼ାଇ ଚାଲିଛନ୍ତି । ହେଲେ ୩୦୦ କୋଟି କର୍ପସ ଫଣ୍ଡରୁ ଟଙ୍କାଟିଏ ବି କେଉଁ ଜମାକାରୀଙ୍କୁ ଦେଇ ପାରିଲେ ନାହିଁ। ସରକାର ଜମାକାରୀଙ୍କୁ ଠକିବା ସହ ମିଥ୍ୟା ପ୍ରତାରଣା ଦେଇଚାଲିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁକ୍ରମେ ଖଣିଜ ଅଞ୍ଚଳର ବିକାଶ ପାଇଣ ମିନେରାଲ ଡେଭଲପମେଣ୍ଟ ଫଣ୍ଡରେ ୧୧ ହଜାର ୫୬୮ କୋଟି ଟଙ୍କା ଜମା ଥିବାବେଳେ ସରକାର ଟଙ୍କାଟିଏ ବି ସେହି ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରିପାରି ନାହାଁନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ, ସବୁବେଳେ କେନ୍ଦ୍ର ଅବହେଳା କଥା କହୁଥିବା ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କେନ୍ଦ୍ରରୁ ଆସିଥିବା ୩୮ ହଜାର ୪୨୭ କୋଟି ଟଙ୍କାକୁ ସଂପୂର୍ଣ୍ଣଭାବେ ଗାଏବ କରିଛନ୍ତି। ଏହାର ବିନିଯୋଗ ପତ୍ର ଏପର୍ଯ୍ୟନ୍ତ ଦାଖଲ କରିପାରୁନାହାନ୍ତି। ଏହି ସିଏଜି ରିପୋର୍ଟରୁ ସ୍ପଷ୍ଟ ଯେ, ରାଜ୍ୟସରକାର ଆର୍ଥୀକ ଦୁର୍ନୀତି ଓ ପିସି କାରବାରରେରେ ଲିପ୍ତ ରହିଛନ୍ତି ଏବଂ କୌଣସି ଜନହିତକାରୀ କାର୍ଯ୍ୟକ୍ରମ ହାତକୁ ନେଇନାହାନ୍ତି। ଏହି ସମସ୍ତ ପ୍ରସଙ୍ଗ ବିରୋଧୀ ଉଠାଇବାର ଆଶଙ୍କା ଥିବାରୁ ଜାଣିସୁଣି ରାଜ୍ୟସରକାର ବିଧାନସଭାକୁ ଆଗୁଆ ବନ୍ଦ କରିଦେଲେ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

Related story