ମିଛେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଇସ୍ତଫା ଦିଅନ୍ତୁ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଗଣବଳାକ୍ରାର ଘଟଣାର ତଦନ୍ତକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସମ୍ପୂର୍ଣ୍ଣ ମିଛ କହିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏପରି ମିଛେଇ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ଆସନ୍ତା ୨୮ତାରିଖରେ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ବିଜେପି ଚେତାବନୀ ଦେଇଛି । ଆଜି ଦଳୀୟ […]

bjp-demanded-the-resignation-Chairperson-of-State-Commission-for-Women

Manoranjan Sial
  • Published: Saturday, 26 October 2019
  • , Updated: 26 October 2019, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଗଣବଳାକ୍ରାର ଘଟଣାର ତଦନ୍ତକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସମ୍ପୂର୍ଣ୍ଣ ମିଛ କହିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏପରି ମିଛେଇ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ଆସନ୍ତା ୨୮ତାରିଖରେ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ବିଜେପି ଚେତାବନୀ ଦେଇଛି ।

ଆଜି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସ୍ମିତାରାଣୀଙ୍କ ହତ୍ୟା ଓ ଗଣବଳାକ୍ରାର ଘଟଣାରେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ସମ୍ପୂର୍ଣ୍ଣ ମିଛ କହିଛନ୍ତି। ଗତ ୧୯ତାରିଖରେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଯାହା କହିଛନ୍ତି ତାହା ବି ସମ୍ପୂର୍ଣ୍ଣ ମିଛ। ମୃତା ସ୍ମିତାରାଣୀଙ୍କ ସ୍ୱାମୀଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଚିହ୍ନିନାହାନ୍ତି। ସ୍ମିତାରାଣୀଙ୍କ ସହଯୋଗୀ କର୍ମଚାରୀମାନଙ୍କ ସହ ବି କଥା ହୋଇନାହାନ୍ତି। ସ୍ମିତାରାଣୀଙ୍କ ଗାଁ କିମ୍ବା ତାଙ୍କ ଘରକୁ ବି ଯାଇନାହାନ୍ତି। ଏଭଳି ସ୍ଥିତିରେ ସେ କିଭଳି ତଦନ୍ତ କଲେ। ତା’ଛଡ଼ା ମହିଳା ମହିଳା ଅଧ୍ୟକ୍ଷାଙ୍କ ଗସ୍ତକୁ ନେଇ ମଧ୍ୟ ଧର୍ମଶାଳା ପୁଲିସ୍ ଓ ଗଣମାଧ୍ୟମ ପାଖରେ କୌଣସି ଖବର ମଧ୍ୟ ନାହିଁ। ଓଲଟା ଗଣମାଧ୍ୟମରେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି ଯେ ସେ ରୂପେଶ ଭଦ୍ରଙ୍କ ପରିବାରକୁ ଭେଟିଛନ୍ତି। ଯେକି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ତେଣୁ ମହିଳା କମିଶନ ଅଧ୍ୟକ୍ଷାଙ୍କ ନିରପେକ୍ଷ ତଦନ୍ତ ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ।

ଶ୍ରୀମତୀ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ। ଏହା ବିଜେଡିର ରାଜନୈତିକ ପଦବି ନୁହେଁ। ଯାଜପୁରରେ ସ୍ମିତାରାଣୀ ବିଶ୍ୱାଳଙ୍କୁ ଯେଉଁଭଳି ଭାବରେ ବଳାକ୍ରାର ପରେ ହତ୍ୟା କରାଗଲାବେଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପ୍ରଥମେ ଚୁପ ରହିଲେ। ଯେତେବେଳେ ଗଣମାଧ୍ୟମ ଓ ବିରୋଧୀଦଳ ମହିଳା କମିଶନର ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ସେତେବେଳେ ମହିଳା କମିଶନ କହିଲେ ସେ ନିରପେକ୍ଷ ତଦନ୍ତ ସାରିଛନ୍ତି। ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବୋ ଗତ ୧୯ ତାରିଖରେ ସେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲିି ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ତଦନ୍ତକୁ ନେଇ ଯେଭଳି କଥା ବି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ସେଥିରେ ସାମାନ୍ୟତମ ସତ୍ୟତା ନାହିଁ। ଏପରି ମିଛେଇ ମହିଳା କମିଶନ ଅଧ୍ୟକ୍ଷା ଓଡ଼ିଶାର ମହିଳାମାନଙ୍କୁ ନ୍ୟାୟ ଦେଇପାରିବେ ନାହିଁ। ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ ଆସନ୍ତା ୨୮ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଶ୍ରୀମତୀ ପରିଡ଼ା ଚେତାବନୀ ଦେଇଛନ୍ତି।

ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଧର୍ମଶାଳା ଯାଇ ସ୍ମିତାରାଣୀ ମାମଲାର ତଦନ୍ତ କରିଛନ୍ତି ବୋଲି ଯାହା କହୁଛନ୍ତି ତା’ର ପ୍ରମାଣ ଦିଅନ୍ତୁ। ଯଦି ନଦେଇପାରିବେ ସେ ମିଛ କହୁଥିବା କଥା ପ୍ରମାଣିତ ହେବ ଓ ଓଡ଼ିଶାର ମା’ ଭଉଣୀମାନଙ୍କୁ ମିଛ କହିଥିବା କାରଣରୁ ସେ କ୍ଷମା ମାଗି ନିଜର ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରୁଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନ, କାନନବାଳା ପଟ୍ଟନାୟକ ଓ ନିୟତି ଗିରି ପ୍ରମୁଖ ଉପସ୍ଥିତ ଥିଲେ।

Related story