ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲକ୍ଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ଶ୍ରମ ଓ ଗୃହ ବିଭାଗ ଅଧୀନରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ଓ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ସହାୟତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୧୦ ଜଣ ନୋଡାଲ୍ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ ନୁହେଁ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜସ୍ୱ ସ୍ତରରେ ବିଭିନ୍ନ ରାଜ୍ୟ ସରକାର ଓ ପ୍ରବାସୀ ଓଡ଼ିଆ ସମାଜଙ୍କ ସହାୟତା ଲୋଡ଼ିଛନ୍ତି।
ଲକଡାଉନ ଯୋଗୁଁ ଜୀବିକା ନିର୍ବାହ ଠପ୍ ପଡ଼ିଯିବା ପରେ ଘରକୁ ବାହୁଡ଼ୁଛନ୍ତି ଶ୍ରମିକ ଓ ଦିନ ମଜୁରିଆ। ଭୁବନେଶ୍ୱରରେ ରାଜପଥରେ ଚାଲିଥିବା ଏହି ଶ୍ରମିକମାନେ ଭଞ୍ଜନଗର ଓ ପୋଲସରାକୁ ଫେରୁଛନ୍ତି, ତ ସେପଟେ ଭଦ୍ରକ ବାସୁଦେବପୁରର ଏହି ଶ୍ରମିକ ମାନେ କୋଲକାତାରୁ ସାଇକେଲରେ ଆସି ପହଞ୍ଚିଛନ୍ତି ଅନେକ। ବାହାର ରାଜ୍ୟରୁ ଭିଡିଓ ଜରିଆରେ ସହାୟତା ଭିକ୍ଷା କରୁଛନ୍ତି।
ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ଶ୍ରମ ନିର୍ଦ୍ଦେଶାଳୟରେ ଓ ଗୃହ ବିଭାଗ ଅଧୀନରେ ଦୁଇଟି ଭିନ୍ନଭିନ୍ନ କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଶ୍ରମ ନିର୍ଦ୍ଦେଶାଳୟରେ ଥିବା ଶ୍ରମିକ ସହାୟତା କଣ୍ଟ୍ରୋଲରୁମରେ ଆଜି ସୁଦ୍ଧା ବାହାର ରାଜ୍ୟରେ ଫସିଥିବା ୩ ହଜାର ୬ଶହ ଶ୍ରମିକଙ୍କ ସହାୟତା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରାଯାଇଛି । ସେହିପରି ବାହାର ରାଜ୍ୟର ୧୫ ହଜାର ୬ଶହ ଶ୍ରମିକଙ୍କ ପାଇଁ ଓଡ଼ିଶାର ୧୦୪ଟି କ୍ୟାମ୍ପରେ ଖାଦ୍ୟ ଓ ଆଶ୍ରୟର ବ୍ୟବସ୍ଥା କରାଯାଇଛି ।
ସେପଟେ ଗୃହ ବିଭାଗର କଣ୍ଟ୍ରୋଲ ରୁମ୍ ବାହାର ରାଜ୍ୟରେ ଫସିଥିବା ଓଡିଆଙ୍କ ପାଇଁ ବିଭାଗ ପକ୍ଷରୁ ଦୁଇଟି ହେଲପ ଲାଇନ ନମ୍ବର ଜାରି ହୋଇଛି। 0674_2392115କୁ ଫୋନ କରି କିମ୍ବା 94389-15986କୁ ନାଁ, ଠିକଣା ଆଦି ହ୍ୱାଟସ୍ଆପ କରି ସହାୟତା ଲୋଡ଼ାଯାଇପାରିବ। ସେହିପରି ଓଡିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ମଧ୍ୟ ଏକ ହେଲପଲାଇନ ନମ୍ବର କାର୍ଯ୍ୟ କରୁଛି। ସେହି ନମ୍ବରଟି ହେଉଛି 1800_345_6703 । ନୂଆଦିଲ୍ଲୀ ସହିତ ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ସହାୟତା ପାଇଁ ନୋଡାଲ୍ ଅଫିସର ଭାବେ ଆଇପିଏସ୍ ଅମିତାଭ ଠାକୁର ଓ ୯ ଆଇଇଏଏସ୍ଙ୍କୁ ନିଯୁକ୍ତ କରାଯାଇଛି । ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଉଥିବା ଏବଂ ବରିଷ୍ଠ ବିଜେପି ନେତାଙ୍କ ସହ ଭିଡିଓ କନ୍ଫରେନ୍ସରେ ଆଲୋଚନା କରିଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ସ୍ତରରେ ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟ ସରକାର ଓ ପ୍ରବାସୀ ଓଡ଼ିଆ ସମାଜଙ୍କ ସହ ଯୋଗାଯୋଗରେ ଥିବା ଟ୍ୱିଟ୍ କରିଛନ୍ତି। ଏହାର ଜବାବରେ ଦିଲ୍ଲୀ ଓ ବେଙ୍ଗଲୁରୁରୁ ସହାୟତାର ପ୍ରତିଶ୍ରୁତି ମିଳିଛି।