ବିଜେଡିକୁ କଡ଼ା ଭାଷାରେ ବିଜେପିର ଭର୍ତ୍ସନା, 'ଏଠି ବଉଳା ଗାଈର ଶାସନ ଚାଲିଛି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ଐତିହାସିକ ବୋଲି ଦର୍ଶାଇ କଣ୍ଟିଜେନ୍ସି ଫଣ୍ଡରୁ ଏନେଇ ଅର୍ଥ ଖର୍ଚ୍ଚ କରାଯିବା ସପକ୍ଷରେ ଯୁକ୍ତି ବାଢ଼ିଥିବା ବିଜେଡିକୁ ଆଜି କଡ଼ା ଭାଷାରେ ଭର୍ତ୍ସନା କରିଛି ବିଜେପି । ଏହାସହିତ ଏଠି ବଉଳା ଗାଈର ଶାସନ ଚାଲିଛି ବୋଲି ବିଜେପି ତାଚ୍ଛଲ୍ୟ କରିଛି। ଦଳର ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ବଉଳା ଗାଈର ଶାସନ ଚାଲିଛି। ବଉଳା […]

bjp

bjp

Manoranjan Sial
  • Published: Wednesday, 23 January 2019
  • Updated: 23 January 2019, 08:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ଐତିହାସିକ ବୋଲି ଦର୍ଶାଇ କଣ୍ଟିଜେନ୍ସି ଫଣ୍ଡରୁ ଏନେଇ ଅର୍ଥ ଖର୍ଚ୍ଚ କରାଯିବା ସପକ୍ଷରେ ଯୁକ୍ତି ବାଢ଼ିଥିବା ବିଜେଡିକୁ ଆଜି କଡ଼ା ଭାଷାରେ ଭର୍ତ୍ସନା କରିଛି ବିଜେପି । ଏହାସହିତ ଏଠି ବଉଳା ଗାଈର ଶାସନ ଚାଲିଛି ବୋଲି ବିଜେପି ତାଚ୍ଛଲ୍ୟ କରିଛି।

ଦଳର ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ବଉଳା ଗାଈର ଶାସନ ଚାଲିଛି। ବଉଳା ଗାଈ ଯେଭଳି ଦେଖିବାକୁ ହୃଷ୍ଟପୃଷ୍ଟ ଓ ଶାନ୍ତ ସରଳ। ନାତ ମାରେନା,ଦାନା ଖାଏ ଠିକ। କିନ୍ତୁ ଗାଈର ଚିରରେ ହାତ ମାରିଲେ ସେଥିରୁ କ୍ଷୀର ବାହାରେନି। ସେମିତି ହେଉଛି ଏ ସରକାର ଓ ମୁଖ୍ୟମନ୍ତ୍ରୀ। ଦେଖିବାକୁ ତ ହୃଷ୍ଟପୃଷ୍ଟ କିନ୍ତୁ ଏ ସରକାରଠୁ କିଛି ମିଳେନି। ଏ ରାଜ୍ୟକୁ ତଳିତଳାନ୍ତ କରିଥିବା କଳାପାହାଡ଼ମାନେ ଚାମଚାଗିରି ବନ୍ଦ କରିବା ସହ ଚାଷୀଙ୍କୁ ଆଉ ପ୍ରତାରଣା ନକରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ରାଜ୍ୟରେ ନବୀନ ସରକାର ଆସିବାବେଳେ ୧୮ହଜାର କୋଟି ଟଙ୍କା ଋଣ ବୋଝ ଥିବାବେଳେ ଏବେ ତାହା ଏବେ ୯୨ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଖୁବଶୀଘ୍ର ୧ଲକ୍ଷ କୋଟି ଟଙ୍କା ଛୁଇଁବ। ଋଣ ଆଣିବା ପାଇଁ ସାମର୍ଥ୍ୟ ଅଛି ବୋଲି ଦର୍ଶାଇ ଅନ୍ୟ ରାଜ୍ୟର ଉଦାହରଣ ଦେଇ ନିର୍ବାଚନୀ ବୈତରଣୀ ପାର ହେବା ନିମନ୍ତେ ଓଡ଼ିଶାକୁ ଋଣଯନ୍ତା ମଧ୍ୟକୁ ଠେଲି ଦେବା କେଉଁ ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଦୀର୍ଘ ୧୯ବର୍ଷ ଧରି ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ଅବହେଳିତ କରିଚାଲିଛନ୍ତି। ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରି ପୁଣିଥରେ ରାଜ୍ୟର ଚାଷୀମାନଙ୍କୁ ଭ୍ରମିତ କରିବାକୁ ବସିଛନ୍ତି। କାଳିଆ ଯୋଜନା ପାଇଁ କଣ୍ଟିନଜେନି୍ସ ଫଣ୍ଡରୁ ଅର୍ଥ ଉଠାଇବା ପ୍ରସଙ୍ଗରେ ଶାସକ ଦଳ ମିଥ୍ୟା ଏବଂ ଭୃଲ ତଥ୍ୟ ରଖିଛି। କେବଳ ଆପାତକାଳୀନ ସ୍ଥିତିରେ କଣ୍ଟିନଜେନି୍ସ ଫଣ୍ଡ ବ୍ୟବହାର କରାଯାଏ। କିନ୍ତୁ ରାଜ୍ୟସରକାର ଏଠି ଭୋଟ ହାତେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବେନିୟମ ଭାବେ କଣ୍ଟିନଜେନି୍ସ ଫଣ୍ଡରୁ ଅର୍ଥ ଉଠାଇଛନ୍ତି ।

ରାଜ୍ୟ କଣ୍ଟିନଜେନି୍ସ ଫଣ୍ଡରୁ ଖର୍ଚ୍ଚକୁ ଯଥାର୍ଥ ଦର୍ଶାଇବାକୁ ଯାଇ ସମ୍ବିଧାନର ବିକୃତ ତଜର୍ମା କରିଥିବା ବିଜେଡି ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ସେ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଏପରିକି ତାଙ୍କର ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳକୁ ‘ଅଜ୍ଞାନୀ’ କହିଥିବା ଅମର ପଟ୍ଟନାୟକ ଓ ବିଜେଡି ନେତାମାନେ ନିଜର ଜ୍ଞାନର ପରିସୀମାକୁ ମାପିବା ଦରକାର । ଅମର ପଟ୍ଟନାୟକଙ୍କ ଔଦ୍ଧତ୍ୟ ଏଭଳି ଯେ ସେ ନିଜକୁ ସର୍ବଜ୍ଞାନୀ ବୋଲି ଭାବୁଛନ୍ତି। ଆଉ ସମ୍ବିଧାନର ଭୁଲ୍ ତର୍ଜମା କରିବାକୁ ପଛାଉନାହାନ୍ତି। ତେବେ ସେ ଜାଣିବା ଉଚିତ୍ ଯେ ଅଲ ଇଣ୍ଡିଆ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କର ସ୍ଥାନ ତଳ ଆଡ଼େ ଥିଲା ଓ ସେଥିପାଇଁ ସିଏ ଆଇଏଏସ୍ କିମ୍ବା ଆଇପିଏସ୍ ହୋଇପାରିନଥିଲେ।

ନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସନ୍ତୁଷ୍ଟ କରିବା କଣ୍ଟିନଜେନି୍ସ ଫଣ୍ଡରୁ ଅର୍ଥ ଆଣି ‘କାଳିଆ’ ଯୋଜନାରେ ଖର୍ଚ୍ଚ କରିବାକୁ ବିଜେପି ବିରୋଧ କରୁଛି। ମାତ୍ର ବିଜେପି ‘କାଳିଆ’ ଯୋଜନାକୁ ବିରୋଧ କରୁନି। ଚାଷୀଙ୍କ ସ୍ୱାର୍ଥ ପାଇଁ ଯେକୌଣସି କାର୍ଯ୍ୟକ୍ରମ ସରକାର ହାତକୁ ନେବେ ବିଜେପି ସେଥିରେ ସହଯୋଗ କରିବ। କିନ୍ତୁ ୧୯ବର୍ଷ ଧରି ଚାଷୀଙ୍କୁ ପ୍ରତାରଣା କରି ଆସିଥିବା ନବୀନ ପଟ୍ଟନାୟକ ଏବେ ମାତ୍ର ଦେଢ଼ମାସରେ ଚାଷୀଙ୍କ ବିକାଶ କରିଦେବାକୁ ଯେଉଁ ସ୍ୱପ୍ନ ଦେଖାଉଛନ୍ତି ତାହା ପ୍ରତାରଣା ହୋଇଥିବାରୁ ବିଜେପି ବିରୋଧ କରୁଛି।

ଯଦି ଚାଷୀଙ୍କ ପାଇଁ ଏତେ ଦରଦ ଥିଲା ତା’ହେଲେ ବଜେଟରେ କାହିଁକି ବ୍ୟୟବରାଦ ହେଲାନି। କୃଷି କ୍ୟାବିନେଟରେ କାହିଁକି ଏ ପ୍ରସ୍ତାବ ଆସିଲାନି। ଆଉ କଣ୍ଟିନଜେନି୍ସ ଫଣ୍ଡରୁ ଅର୍ଥ ଖର୍ଚ୍ଚକୁ ନେଇ ପ୍ରଶାସକରୁ ରାଜନେତା ହୋଇଥିବା ଅମର ପଟ୍ଟନାୟକ ସମ୍ବିଧାନର ଧାରା ୨୦୫ ଓ ୨୦୬ର ଯେଉଁ ତ୍ରୁଟିପୂର୍ଣ୍ଣ ତର୍ଜମା କରିଛନ୍ତି ତାକୁ ଶ୍ରୀ ଆଚାର୍ଯ୍ୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଓଡ଼ିଆମାନଙ୍କ ଜ୍ଞାନର ପରିସୀମା ଢ଼େର ଅଧିକ। ନିର୍ବାଚନୀ ଫାଇଦା ପାଇଁ ସମ୍ବିଧାନର ଏଭଳି ଭୁଲ୍ ତଜର୍ମା କରି ନିଜକୁ ସର୍ବଜ୍ଞାନୀ ବୋଲି ପରିଚୟ ନଦେବାକୁ ସେ ଆହ୍ୱାନ କରିଛନ୍ତି। ରାଜ୍ୟରେ ୭୦ଲକ୍ଷ ଚାଷୀ ଥିବାବେଳେ ସରକାର ୩୦ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ଦେବେ। ଯଦି ସତସାହାସ ଅଛି ତା’ହେଲେ ସନ୍ଧ୍ୟା ସୁଦ୍ଧା କାଳିଆ ଯୋଜନାର ୩୦ଲକ୍ଷ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos