Advertisment

ପଶ୍ଚିମ ଓଡ଼ିଶାରେ ବିଜେଡିର ସ୍ଥିତି ଟଳମଳ, ଅସନ୍ତୁଷ୍ଟଙ୍କ ଉପରେ ବିଜେପିର ନଜର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ରେକର୍ଡ ବିଜୟ ପରେ ଉତ୍ସାହିତ ବିଜେଡି ଏବେ ଚିନ୍ତାରେ ପଡ଼ିଛି। ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ପଞ୍ଚାୟତ ନିର୍ବାଚନଠୁ ବି ଦୟନୀୟ ଅବସ୍ଥାରେ ରହିଥିବାକୁ ନେଇ ଗୁଇନ୍ଦା ରିପୋର୍ଟ ଓ ସର୍ଭେ ରିପୋର୍ଟରୁ ଆଭାସ ମିଳିବା ପରେ ବିଜେଡି ନେତୃତ୍ୱ ବିବ୍ରତ ହୋଇପଡ଼ିଛନ୍ତି ।ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥିତି ସୁଧାରିବା ପାଇଁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ବିଜେଡିର ଅସନ୍ତୁଷ୍ଟଙ୍କୁ ହାତେଇବା ପାଇଁ ବିଜେପି ଗୋଟିଚାଳନା ଆରମ୍ଭ କରିଛି। […]

ପଶ୍ଚିମ ଓଡ଼ିଶାରେ ବିଜେଡିର ସ୍ଥିତି ଟଳମଳ, ଅସନ୍ତୁଷ୍ଟଙ୍କ ଉପରେ ବିଜେପିର ନଜର

7

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ରେକର୍ଡ ବିଜୟ ପରେ ଉତ୍ସାହିତ ବିଜେଡି ଏବେ ଚିନ୍ତାରେ ପଡ଼ିଛି। ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତି ପଞ୍ଚାୟତ ନିର୍ବାଚନଠୁ ବି ଦୟନୀୟ ଅବସ୍ଥାରେ ରହିଥିବାକୁ ନେଇ ଗୁଇନ୍ଦା ରିପୋର୍ଟ ଓ ସର୍ଭେ ରିପୋର୍ଟରୁ ଆଭାସ ମିଳିବା ପରେ ବିଜେଡି ନେତୃତ୍ୱ ବିବ୍ରତ ହୋଇପଡ଼ିଛନ୍ତି ।ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥିତି ସୁଧାରିବା ପାଇଁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ବିଜେଡିର ଅସନ୍ତୁଷ୍ଟଙ୍କୁ ହାତେଇବା ପାଇଁ ବିଜେପି ଗୋଟିଚାଳନା ଆରମ୍ଭ କରିଛି।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ୩ଟି ଭିନ୍ନ ଭିନ୍ନ ସଂସ୍ଥା ଦ୍ୱାରା ସର୍ଭେ କରାଯାଇଥିଲା। କିନ୍ତୁ ସମସ୍ତ ସର୍ଭେରେ ପଶ୍ଚିମ ଓଡ଼ିଶା ସମ୍ପର୍କରେ ନିରୁତ୍ସାହଜନକ ତଥ୍ୟ ଆସିବା ପରେ ଗୁଇନ୍ଦା ବିଭାଗର ଜଣେ ଅଧିକାରୀଙ୍କୁ ଏନେଇ ସ୍ୱତନ୍ତ୍ର ଭାବେ ଏହାର କାରଣ ଖୋଜିବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ସେସବୁ ସ୍ଥାନରେ ଦିନକୁ ଦିନ ଦଳର ସ୍ଥିତି ନିମ୍ନଗାମୀ ହେଉଥିବା ଉଭୟ ସର୍ଭେ ଓ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ସର୍ଭେ ଓ ଗୁଇନ୍ଦା ରିପୋର୍ଟ ଅନୁସାରେ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରେ ଦଳ ପ୍ରାୟ ୩୫ରୁ ୪୦ଟି ସିଟ୍ ହାତଛଡ଼ା ହେଉଥିବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଦଳୀୟ ଗୋଷ୍ଠୀକନ୍ଦଳ ଓ କର୍ମୀଙ୍କ ମନରେ ରହିଥିବା ଅସନ୍ତୋଷ ବିଜେଡିର ସଂଗଠନକୁ ଦୁର୍ବଳ କରୁଥିବା ସୂଚନା ମିଳିଛି। ଯାହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀସ୍ତରୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Advertisment

ବିଜେଡିରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା

ସମ୍ବଲପୁର, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଭଳି ଜିଲ୍ଲାରେ ବିଜେଡିର ଗୋଷ୍ଠୀକନ୍ଦଳ ତୀବ୍ରତର ହୋଇଥିବାବେଳେ ଦଳ ପକ୍ଷରୁ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକ ମଧ୍ୟ ସ୍ଥାନୀୟ ନେତୃତ୍ୱଙ୍କ ନିକଟରେ ଗ୍ରହଣୀୟ ହୋଇପାରୁନାହାନ୍ତି। ବଲାଙ୍ଗିରରେ ଦଳର ପର୍ଯ୍ୟବେକ୍ଷକ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କଳାହାଣ୍ଡିରେ ନିରଞ୍ଜନ ପୂଜାରୀ, ବରଗଡ଼ରେ ପ୍ରଫୁଲ୍ଲ ମଲ୍ଲିକ, ଝାରସୁଗୁଡ଼ାରେ ରବିନାରାୟଣ ପାଣି, ସମ୍ବଲପୁରରେ ପ୍ରତାପ ଦେବ ଆଦି ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।

ବରଗଡ଼ରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ପର୍ଯ୍ୟବେକ୍ଷକ ଥିବା ଶ୍ରୀ ମଲ୍ଲିକ ଅକଳରେ ପଡ଼ିଛନ୍ତି। ସେହିପରି ବଲାଙ୍ଗିରରେ ଏୟୁ ସିଂହଦେଓ ଓ ଅନ୍ୟମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଭିତରେ ସୂର୍ଯ୍ୟ ବି ପକ୍ଷଭୁକ୍ତ ହୋଇଛନ୍ତି। ଏୟୁଙ୍କ ସହ ରହି ଦଳର ଅନ୍ୟ ନେତାମାନଙ୍କୁ ସିଏ ଅଣଦେଖା କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ ହୋଇଛି।

ସେହିପରି ଝାରସୁଗୁଡ଼ାରେ ସାଂଗଠନିକ କାର୍ଯ୍ୟ କରିବାରେ ରବି ପାଣି ଏପର୍ଯନ୍ତ ସକ୍ଷମ ହୋଇନାହାନ୍ତି। କଳାହାଣ୍ଡିରେ ନାଁକୁ କେବଳ ନିରଞ୍ଜନ ପୂଜାରୀ ପର୍ଯ୍ୟବେକ୍ଷକ ରହିଛନ୍ତି। ସମ୍ବଲପୁରରେ ପ୍ରତାପ ଦେବ ମଧ୍ୟ ରାସେଶ୍ୱରୀ ପାଣିଗ୍ରାହୀ-ରୋହିତ ପୂଜାରୀ ଓ ନଗେନ୍ଦ୍ର ପ୍ରଧାନଙ୍କ ମଧ୍ୟରୁ କାହାର ବି ଆସ୍ଥାଭାଜନ ହୋଇପାରି ନାହାନ୍ତି।

ଅସନ୍ତୁଷ୍ଟ ଓ ଟିକେଟ୍ ଆଶାୟୀଙ୍କୁ ହାତେଇବାକୁ ବିଜେପିର ଗୋଟିଚାଳନା

ଏସବୁ ସାଂଗଠନିକ ତିକ୍ତତା ମଧ୍ୟରେ ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ଅସନ୍ତୁଷ୍ଟ ତଥା ଟିକେଟ୍ ଆଶାୟୀ ନେତାମାନଙ୍କୁ ହାତେଇବା ପାଇଁ ବିଜେପି ଗୋଟିଚାଳନା ଆରମ୍ଭ କରିଛି। ବିଜେପି ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଯେଉଁ ସବୁ ସିଟଗୁଡ଼ିକରେ ନୂଆ ପ୍ରାର୍ଥୀଙ୍କ ଆବଶ୍ୟକତା ରହିଛି ସେସବୁ ସ୍ଥାନରେ ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ପ୍ରୟାସ ଚାଲିଛି।

ଦଳୀୟ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ ବିଜେଡି ଗତ ଦୁଇଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଭେଟଘାଟ ଆୟୋଜନ କରି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରିଛି। କିନ୍ତୁ ସବୁ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ଯୋଗୁ ଏହି କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ପରସ୍ପର ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ହେଉଛି।

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ହୋଇଥିବା ନୂଆଁଖାଇ ଭେଟଘାଟରେ ସ୍ଥାନୀୟ ସାଂସଦ କଳିକେଶ ସିଂହଦେଓ ଅନୁପସ୍ଥିତ ରହିଥିବାବେଳେ ତାଙ୍କ ଭାଇ ଅର୍କେଶ ସିଂହଦେଓଙ୍କୁ ଏବେ ସବୁଠି ଦେଖିବାକୁ ମିଳୁଛି। ସିଂହଦେଓ ପରିବାରର ପ୍ରତି ମନ ଭିତରେ ସ୍ଥାନୀୟ ବିଜେଡି ନେତାଙ୍କ ଆକ୍ରୋଶ ରହିଥିବାରୁ ସେମାନେ ସହଜରେ ଅର୍କେଶଙ୍କ ଉପସ୍ଥିତିକୁ ହଜମ କରିପାରୁନାହାନ୍ତି।ଯେଉଁଥିପାଇଁ ଦଳର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଛନ୍ତି।

ସେହିପରି ସମାନ ଅବସ୍ଥା ସମ୍ବଲପୁର ଓ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। ସମ୍ବଲପୁରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇପାରୁନଥିବାବେଳେ ଝାରସୁଗୁଡ଼ାରେ ବିଜେଡିର ନେତୃତ୍ୱ କିଏ ନେବ ତାକୁ ନେଇ କନ୍ଦଳ ଲାଗି ରହିଛି। ବରଗଡ଼ରେ ସୁଶାନ୍ତଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ଆଚାର୍ଯ୍ୟ ପରିବାର ସହଜରେ ଗ୍ରହଣ କରୁପାରୁନି।

ଏସବୁ ସ୍ଥିତିକୁ ପରଖି ବିଜେପି ଏବେ ବିଜେଡିର ଅସନ୍ତୁଷ୍ଟ ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାମାନଙ୍କୁ ନିଜ ଆଡ଼କୁ ନେବାକୁ ଗୋଟିଚାଳନା କରୁଛି। ଏପରିକି ବିଜେଡିର କିଛି ବରିଷ୍ଠ ନେତାଙ୍କ ସହ ନିୟମିତ ଯୋଗାଯୋଗରେ ବିଜେପି ରହିଛି। ସେମାନଙ୍କୁ ପ୍ରାର୍ଥୀ କରାଯିବା ପାଇଁ ମଧ୍ୟ ଅଫର ଦିଆଯାଉଥିବା ଜଣାପଡ଼ିଛି। ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମିଳିଥିବା ସଫଳତାର ଧାରା ବଜାୟ ରଖିବାକୁ ଏବେ ଦଳ ଯୋଗ୍ୟ ପ୍ରାର୍ଥୀଙ୍କ ଉପରେ ଫୋକସ କରିବାରେ ଲାଗିଛି।

ବିଜେପିର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଜେଡିକୁ ଖବର ମିଳିବା ପରେ ଦଳ ନିଜର ରଣନୀତିକୁ ପରିବର୍ତ୍ତନ କରୁଥିବାର ସୂଚନା ମିଳିଛି। ସମ୍ଭବତଃ ନଭେମ୍ବର ଶେଷ ସୁଦ୍ଧା ବିଜେଡି ପଶ୍ଚିମ ଓଡ଼ିଶାର କେତେକ ସିଟ୍ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବାକୁ ଗ୍ରୀନ୍ ସିଗନାଲ ଦେବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe