ଉପନିର୍ବାଚନ ପୂର୍ବରୁ ଦଳଡ଼ିଆଁ ସକ୍ରିୟ: ରାଜୁ ଛାଡ଼ିଲେ, ରମାକାନ୍ତ ଛାଡ଼ିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଧାନସଭା ଉପନିର୍ବାଚନ ପୂର୍ବରୁ ଦଳଡ଼ିଆଁ ନେତାମାନେ ସକ୍ରିୟ ହୋଇପଡ଼ିଛନ୍ତି। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ଦୁଇ ଆସନରେ ଥିବା ବିଭିନ୍ନ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଏବେ ବିଜେଡି ଓ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି କ୍ରମରେ ତିର୍ତ୍ତୋଲ ଆସନରେ ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ବିଧାନସଭା ପ୍ରାର୍ଥୀ ରାଜକିଶୋର ବେହେରା ଆଜି ଦଳ ଛାଡ଼ି ବିଜେପିରେ ସାମିଲ […]

dd-89

Tapas Behera
  • Published: Thursday, 17 September 2020
  • , Updated: 17 September 2020, 09:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଧାନସଭା ଉପନିର୍ବାଚନ ପୂର୍ବରୁ ଦଳଡ଼ିଆଁ ନେତାମାନେ ସକ୍ରିୟ ହୋଇପଡ଼ିଛନ୍ତି। ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ଦୁଇ ଆସନରେ ଥିବା ବିଭିନ୍ନ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଏବେ ବିଜେଡି ଓ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି କ୍ରମରେ ତିର୍ତ୍ତୋଲ ଆସନରେ ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ବିଧାନସଭା ପ୍ରାର୍ଥୀ ରାଜକିଶୋର ବେହେରା ଆଜି ଦଳ ଛାଡ଼ି ବିଜେପିରେ ସାମିଲ ହେବାକୁ ସଜବାଜ ହେଉଥିବାବେଳେ ସେଠାରେ ବିଜେପିରୁ ଦୁଇଥର ପ୍ରାର୍ଥୀ ରମାକାନ୍ତ ଭୋଇ ଏବେ ବିଜେଡି ସହ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ତିର୍ତ୍ତୋଲ ଆସନରୁ କଂଗ୍ରେସ ପ୍ରାର୍ଥୀ ହେଉଥିବା ରାଜକିଶୋର ବେହେରା ଖୁବଶୀଘ୍ର ବିଜେପିରେ ସାମିଲ ହେବେ। ବିଜେପି ତାଙ୍କୁ ସେଠାରେ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଦଳର ଏଭଳି ରଣନୀତିକୁ ନେଇ ଅସନ୍ତୁଷ୍ଟ ଥିବା ରମାକାନ୍ତ ଭୋଇ ଏବେ ବିଜେଡି ସହ ଯୋଗସୂତ୍ରରେ ରହିଛନ୍ତି। ଶ୍ରୀ ଭୋଇ  ବୁଧବାର ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ତଥା ବାଲିକୁଦା ବିଧାୟକ ରଘୁନନ୍ଦନ ଦାସଙ୍କୁ ତାଙ୍କ ବାସଭବନରେ ନିଜ ସମର୍ଥକଙ୍କ ସହ ଭେଟିବାପରେ ସେ ବିଜେଡିକୁ ଡିଆଁ ମାରିବାର ସମ୍ଭାବନା ଦେଖାଦେଇଛି। ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ରଘୁନନ୍ଦନ ବିଜେଡିରେ ଯୋଗଦେଇ ପ୍ରଥମଥର ବିଧାୟକ ଓ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ରଘୁନନ୍ଦନ ବିଜେପିରେ ପୂର୍ବରୁ ଥିବାରୁ ରମାକାନ୍ତ ତାଙ୍କ ସହ ଯୋଗସୂତ୍ର ରକ୍ଷା କରି ଉପନିର୍ବାଚନ ପୂର୍ବରୁ ବିଜେଡି ଶିବିରକୁ ଲମ୍ଫ ମାରିବାକୁ ପ୍ରୟାସ କରୁଛନ୍ତି। ଅବଶ୍ୟ ରମାକାନ୍ତଙ୍କୁ ବିଜେଡି ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ବିଲକୁଲ ନାହିଁ କହିଲେ ଚଳେ। କାରଣ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦିବଂଗତ ବିଷ୍ଣୁ ଦାସଙ୍କ ସମର୍ଥକ ଓ ଅନୁଗତଙ୍କ ସଂଖ୍ୟା ବେଶ୍ ଅଧିକ। ସହାନୁଭୂତି ଭୋଟ୍ ବିଷ୍ଣୁଙ୍କ ପରିବାର ସପକ୍ଷରେ ଯିବ, ମାତ୍ର ପୂର୍ବରୁ ବିଷ୍ଣୁଙ୍କ ଉପରେ ଥିବା ପୁରୁଣା ରାଗକୁ ସୁଝାଇବାକୁ ଯାଇ ବିଜେଡିର ଦୁଇ ବରିଷ୍ଠ ନେତା ଏବେ ସେଠାରେ ପରିସ୍ଥିତିକୁ ଗୋଳିଆ କରିବାକୁ ଉଦ୍ୟମ କରୁଛନ୍ତି। ଯାହାର ଆଭାସ ଗତ ସପ୍ତାହରେ ମିଳିସାରିଛି। ମନ୍ତ୍ରୀ ରଘୁନନ୍ଦନ ଦାସ,ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟ ଓ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ ରଘୁନାଥପୁରରୁ ଜଣଙ୍କୁ ଦଳୀୟ ଟିକେଟ୍ ମିଳିବ ବୋଲି କହି ମନ୍ତ୍ରୀ ପ୍ରତାପ ଜେନା ତିର୍ତ୍ତୋଲ ବିଜେଡି ରାଜନୀତିକୁ ଉଷ୍ମ କରିସାରିଛନ୍ତି। ଅବଶ୍ୟ ମନ୍ତ୍ରୀ ଶ୍ରୀ ଜେନାଙ୍କ ଏଭଳି ଏକପାଖିଆ ଘୋଷଣାକୁ ବିରୋଧ କରି ତିର୍ତ୍ତୋଲର ବହୁ ନେତା ଲିଖିତ ଭାବେ ଦଳୀୟ ନେତୃତ୍ୱଙ୍କ ନିକଟରେ ଫେରାଦ ହୋଇସାରିଛନ୍ତି।

ଏପଟେ ତିର୍ତ୍ତୋଲ ଉପନିର୍ବାଚନକୁ ଆଖିରେ ଦେବାଶିଷ ସାମନ୍ତରାୟ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘନିଷ୍ଠ ଭାବେ ପରିଚିତ ଅଶ୍ୱିନୀ ଦାସଙ୍କ ଉପରୁ ୨୦୧୧ ମସିହାରୁ ଲାଗିଥିବା ନିଲମ୍ବନ ଆଦେଶକୁ ବିଜେଡି ପ୍ରତ୍ୟାହାର କରିନେଇଛି। ଦଲାଲୀ ଓ ଚୋରି ଘଟଣାରେ ବାରମ୍ବାର ଗିରଫ ହୋଇଥିବା ଅଶ୍ୱିନୀ ଦାସଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ବିଜେଡି ପରୋକ୍ଷରେ ଦଳର ଆଭିମୁଖ୍ୟକୁ ଏବେ କେଉଁସ୍ତରକୁ ଗଲାଣି ତା’ର ଆଭାସ ଦେଇଛି। ତିର୍ତ୍ତୋଲ ଆସନ ବିଜେଡିର ଗଡ଼ ହୋଇଥିଲେ ମଧ୍ୟ ଦେବାଶୀଷ ଓ ପ୍ରତାପ ଏବେ ନିଜର ଜଣେ ଅନୁଗତଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ପ୍ରୟାସ କରୁଥିବାରୁ ନିର୍ବାଚନମଣ୍ଡଳୀରେ ଦଳ ଭିତରେ ଅସନ୍ତୋଷ ଜୋରଦାର ହୋଇଛି। ବିଜେଡିରେ ଚାଲିଥିବା ଗୋଷ୍ଠୀକନ୍ଦଳ ଓ ଦାୟିତ୍ୱରେ ଥିବା ରାଜ୍ୟସ୍ତରୀୟ ନେତାମାନଙ୍କ ନିଜସ୍ୱ ଏଜେଣ୍ଡା ଉପନିର୍ବାଚନବେଳେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ତେଣୁ ଏସବୁ ମଧ୍ୟରେ ରାଜକିଶୋରଙ୍କୁ ବିଜେପି ପ୍ରାର୍ଥୀ କଲେ ବିଜେଡି ପାଇଁ ନିର୍ବାଚନ ଜିଣିବା କଷ୍ଟକର ହେବ। କାରଣ ନିର୍ବାଚନମଣ୍ଡଳୀରେ ରାଜକିଶୋରଙ୍କ ୨୦ରୁ ୩୦ହଜାର ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି।

Related story