ଅବସର ଦିନ ଶର୍ମିଷ୍ଠାଙ୍କ ପ୍ରତି ଅନୁକମ୍ପା ଅଜାଡ଼ି ଦେଇଥିଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସର ଦିନ ଶର୍ମିଷ୍ଠା ରାଉତଙ୍କ ପ୍ରତି ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିଲେ ନିରଞ୍ଜନ ସେଠୀ। ଫେବ୍ରୁଆରୀ ୨୮ ତାରିଖରେ ଶର୍ମିଷ୍ଠାଙ୍କ ପତ୍ରିକା ‘ସମ୍ପୂର୍ଣ୍ଣା’କୁ ଏମ୍‌ପ୍ୟାନେଲ୍‌(ସରକାରୀ ବିଜ୍ଞାପନ ପାଇବା ଯୋଗ୍ୟ)କୁ କରିଥିଲେ ନିରଞ୍ଜନ। ଆଉ ବଡ଼ ବଡ଼ ଖବରକାଗଜ ତୁଳନାରେ ‘ସମ୍ପୂର୍ଣ୍ଣା’ ପାଇଁ ଢେର୍‌ ଅଧିକ ବିଜ୍ଞାପନ ଦର ଧାର୍ଯ୍ୟ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଜଣେ ହତ୍ୟା ଅଭିଯୁକ୍ତଙ୍କ ପତ୍ରିକାକୁ ନିରଞ୍ଜନ କେମିତି ଏମ୍‌ପ୍ୟାନେଲ୍‌ କଲେ? ଶର୍ମିଷ୍ଠା ଓ ନିରଞ୍ଜନଙ୍କ ଭିତରେ କଣ ସମ୍ପର୍କ […]

Sarmista-and-Niranjan

Manoranjan Sial
  • Published: Monday, 21 March 2022
  • , Updated: 21 March 2022, 09:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସର ଦିନ ଶର୍ମିଷ୍ଠା ରାଉତଙ୍କ ପ୍ରତି ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିଲେ ନିରଞ୍ଜନ ସେଠୀ। ଫେବ୍ରୁଆରୀ ୨୮ ତାରିଖରେ ଶର୍ମିଷ୍ଠାଙ୍କ ପତ୍ରିକା ‘ସମ୍ପୂର୍ଣ୍ଣା’କୁ ଏମ୍‌ପ୍ୟାନେଲ୍‌(ସରକାରୀ ବିଜ୍ଞାପନ ପାଇବା ଯୋଗ୍ୟ)କୁ କରିଥିଲେ ନିରଞ୍ଜନ। ଆଉ ବଡ଼ ବଡ଼ ଖବରକାଗଜ ତୁଳନାରେ ‘ସମ୍ପୂର୍ଣ୍ଣା’ ପାଇଁ ଢେର୍‌ ଅଧିକ ବିଜ୍ଞାପନ ଦର ଧାର୍ଯ୍ୟ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଜଣେ ହତ୍ୟା ଅଭିଯୁକ୍ତଙ୍କ ପତ୍ରିକାକୁ ନିରଞ୍ଜନ କେମିତି ଏମ୍‌ପ୍ୟାନେଲ୍‌ କଲେ? ଶର୍ମିଷ୍ଠା ଓ ନିରଞ୍ଜନଙ୍କ ଭିତରେ କଣ ସମ୍ପର୍କ ରହିଛି?

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କର ରହିଛି ‘ସମ୍ପୂର୍ଣ୍ଣା’ ପତ୍ରିକା। ସେ ନିଜ ପତ୍ରିକାକୁ ଏମ୍‌ପ୍ୟାନେଲ୍‌(ବିଜ୍ଞାପନ ପାଇବା ଯୋଗ୍ୟ) କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଆବେଦନ କରିଥିଲେ। ସେତେବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ(ଟେକ୍ନିକାଲ୍‌) ଥିଲେ ନିରଞ୍ଜନ ସେଠୀ। ସେ ଏହି ପତ୍ରିକାକୁ ଅନୁକମ୍ପା ଦେଖାଇ ବିଜ୍ଞାପନ ପାଇବାକୁ ଯୋଗ୍ୟ ବିବେଚିତ କରିଥିଲେ।

ଅବସରର ଶେଷଦିନ ଅର୍ଥାତ ଫେବ୍ରୁଆରୀ ୨୮ ତାରିଖରେ ନିରଞ୍ଜନ ସେଠୀ ‘ସମ୍ପୂର୍ଣ୍ଣା’ ପତ୍ରିକାକୁ ବିଜ୍ଞାପନ ପାଇବାକୁ ଅନୁମତି ଦେଇଥିଲେ। ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସବୁ ବିଭାଗ, କର୍ପୋରେସନ୍‌, ସବୁ ସରକାରୀ ଅନୁମୋଦିତ ସଂସ୍ଥା, ଓଏସ୍‌ଏଚ୍‌ବି, ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ, ଓମ୍‌ଫେଡ୍‌, ବିଏସ୍‌ଇ, ଉଚ୍ଚ ମାଧ୍ୟମିକ ଶିକ୍ଷା, ସମସ୍ତ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଲ୍ୟାଣ୍ଡ ଡେଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ‘ସମ୍ପୂର୍ଣ୍ଣା’ ପତ୍ରିକାର ସ୍କ୍ୱେଏର୍‌ ସେଣ୍ଟିମିଟରର ବିଜ୍ଞାପନ ପିଛା ୧୭ ଟଙ୍କା ୭୬ ପଇସା ଧାର୍ଯ୍ୟ କରାଯାଇଛି। ଡିଏଭିପିର ତଥ୍ୟ ଅନୁସାରେ ପତ୍ରିକାର ୧୫୨୦୦ କପି ବିକ୍ରି ହେଉଥିବା ଚିଠିରେ ଦର୍ଶା ଯାଇଛି।

‘ସମ୍ପୂର୍ଣ୍ଣା’ ପତ୍ରିକାର ୱେବ୍‌ପୋର୍ଟାଲ୍‌ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଫେବ୍ରୁଆରୀ ୭ ତାରିଖ ସକାଳେ ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଶର୍ମିଷ୍ଠାଙ୍କ ଭୁବନେଶ୍ୱର ସ୍ଥିତ ଦୟାଲ୍‌ ଆଶ୍ରମକୁ ନିଆଯାଇଥିଲା। ସେଠାରେ ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ମଧ୍ୟ ମାନସଙ୍କୁ ମାଡ଼ ମାରିଥିବା ଆଜି ପୁଲିସ୍‌ କହିଛି। ମାଡ଼ରେ ମାନସଙ୍କ ମୃତ୍ୟୁ ହୋଇଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ହତ୍ୟା କରାଯାଇଥିଲା, ତାହାହେଲେ ଜଣେ ହତ୍ୟା ଅଭିଯୁକ୍ତଙ୍କ ପତ୍ରିକାକୁ ନିରଞ୍ଜନ ସେଠୀ କେମିତି ୨୮ ତାରିଖରେ ଏମ୍‌ପ୍ୟାନେଲ୍‌ କଲେ? ଶର୍ମିଷ୍ଠାଙ୍କ ପତ୍ରିକାକୁ ଏମ୍‌ପ୍ୟାନେଲ୍‌ କରିବାରେ କେବଳ କଣ ନିରଞ୍ଜନଙ୍କ ହାତ ରହିଛି ନା ଅନ୍ୟ କାହାର? ଗୋଟିଏ ପତ୍ରିକାକୁ ଏମ୍‌ପ୍ୟାନେଲ୍‌ କରିବାରେ ସୂଚନା ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ, ସଚିବ ଓ ମନ୍ତ୍ରୀଙ୍କ ଭୂମିକା ଥାଏ। ସେମାନଙ୍କ ଅନୁମୋଦନ ବିନା କୌଣସି ପତ୍ରିକାକୁ ବିଜ୍ଞାପନ ତାଲିକାଭୁକ୍ତ କରାଯାଇଥାଏ କି? ମାନସ ହତ୍ୟା ମାମଲାରେ ନିରଞ୍ଜନ ସେଠୀ ଗିରଫ ହେବା ପରେ ଏପରି ଅସମାହିତ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

Related story