ଅଧା ରହିଲା ଜଗା ଦର୍ଶନ, ମଝି ରାସ୍ତାରେ ଚାଲିଗଲା ଜୀବନ

ବୌଦ୍ଧ (ଦୀପକ ଅଦର): ଅଧା ରହିଲା ଜଗା ଦର୍ଶନ। ମଝି ରାସ୍ତାରେ ଚାଲିଗଲା ଯୁବକଙ୍କ ଜୀବନ। ପରିବାର ସହ ଶ୍ରୀକ୍ଷେତ୍ର ଆସୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା କାର୍‌। ଆଉ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି।

ଛତିଶଗଡ଼ ରାଇପୁରର ଦୀପକ ଭାଡେର ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଧରି କାରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିଲେ। ତେବେ ବୌଦ୍ଧ ଥାନା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ କାରଟି ଭାରସାମ୍ୟ ହରାଇ ଏକ ଡିଭାଇଡରରେ ବାଡେଇ ହୋଇ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୀପକ ଭାଡେରଙ୍କ ମୃତ୍ୟୁ ଘଟିଥିଲା।

ତେବେ ଦୀପକଙ୍କ ପତ୍ନୀ ଓ ଦୁଇ ଝିଅ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଅନ୍ୟପକ୍ଷରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।