ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିବିଆଇ ଜାଲରେ ରେଲୱେର ପୂର୍ବତନ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଲୱେର ଅବସରପ୍ରାପ୍ତ ପ୍ରିନ୍ସପାଲ୍ ଚିଫ୍ ଅପରେସନ ମ୍ୟାନେଜର ପି.କେ. ଜେନାଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଶ୍ରୀ ଜେନାଙ୍କ ଭୁବନେଶ୍ୱର, କଟକ ଓ ଜଗତସିଂହପୁର ସ୍ଥିତ ଘର ଓ ଅଫିସ୍ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ହୋଇଛି। ରେଡ୍ ବେଳେ ୧ କୋଟି ୯୨ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ପ୍ରମାଣ ପାଇଛି ସିବିଆଇ। ଆୟ ତୁଳନାରେ ତାଙ୍କର ଏହି ସଂପତ୍ତି ୫୯ ପ୍ରତିଶତ ଅଧିକ। ଏଥିସହ ନଗଦ ୧୦ ଲକ୍ଷ ଟଙ୍କା ମିଳିଛି।
ପି.କେ. ଜେନା ୧୯୮୯ ମସିହାରେ ଚାକରି ଆରମ୍ଭ କରିଥିଲେ। ୨୦୨୨ ମସିହାରେ ପ୍ରିନିସିପାଲ ଚିଫ୍ ଅପରେସନ ମ୍ୟାନେଜର ପଦବୀରୁ ଅସବସର ନେଇଥିଲେ। ସିବିଆଇ ଆକଳନ ଅନୁସାରେ ୨୦୦୫ରୁ ୨୦୨୦ ମସିହା ଭିତରେ ଶ୍ରୀ ଜେନା ଓ ତାଙ୍କ ପରିବାର ଲୋକଙ୍କ ସଂପତ୍ତି ୩ କୋଟି ୨୫ ଲକ୍ଷ ରହିଛି। ସେଥିରୁ ୮୮ ଲକ୍ଷ ୫୮ ହଜାର ଖର୍ଚ୍ଚ ଯିବା ପରେ ୨ କୋଟି ୩୬ ଲକ୍ଷ ଟଙ୍କା ସଂପତ୍ତି ରହିବା କଥା। ହେଲେ ଏବେ ତାଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ରହିଛି ୪ କୋଟି ୨୮ ଲକ୍ଷ ଟଙ୍କା। ସିବିଆଇ ଜାଲରେ ଛନ୍ଦିହୋଇବା ପରେ ଅବସରପ୍ରାପ୍ତ ଅଧିକାରୀଙ୍କ ପାଇଁ ଅଡୁଆ ବଢିଛି।