ଆସୁ ଆସୁ ଓଡ଼ିଶାକୁ କେନ୍ଦ୍ରୀୟ ଟିମର ପ୍ରଶଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇବାର କିଛି ଘଣ୍ଟା ନପୂରୁଣୁ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ସବୁଆଡ଼ୁ ତୀବ୍ର ସମାଲୋଚନା ହେଉଥିବାବେଳେ କେନ୍ଦ୍ରୀୟ ଟିମର […]

central-team-visit-cyclone-hit-areas-and-praise-the-reconstruction-work-by-state-govt

central-team-visit-cyclone-hit-areas-and-praise-the-reconstruction-work-by-state-govt

Manoranjan Sial
  • Published: Monday, 13 May 2019
  • Updated: 13 May 2019, 09:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇବାର କିଛି ଘଣ୍ଟା ନପୂରୁଣୁ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ସବୁଆଡ଼ୁ ତୀବ୍ର ସମାଲୋଚନା ହେଉଥିବାବେଳେ କେନ୍ଦ୍ରୀୟ ଟିମର ଏହି ପ୍ରଶଂସାକୁ ନେଇ ପ୍ରଶ୍ନ ଉଠିଛି।

କେନ୍ଦ୍ର ଶକ୍ତି ଓ ଟେଲି ଯୋଗାଯୋଗ ସଚିବ ଅଜୟ କୁମାର ଭଲ୍ଲାଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜ୍ୟ ସଚିବାଳୟରେ ପୁନରୁଦ୍ଧାର କାର୍ଯ୍ୟରେ ଅଗ୍ରଗତିର ସମୀକ୍ଷା କରିଥିଲେ। ବାତ୍ୟା ବିଧ୍ୱସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିବା ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା ସହ ସମନ୍ୱୟ ସ୍ଥାପନ କରି ରାଜ୍ୟ ସରକାର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିଥିବା କହିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ପୁରୀ ଜିଲ୍ଲାରେ ସବୁ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି ସମୀକ୍ଷା ବେଳେ କୁହାଯାଇଥିଲା।

ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଅବସରରେ ବର୍ତ୍ତମାନର ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସଙ୍କଟ ପରିଚାଳନା କମିଟିର ସହଯୋଗ ରାଜ୍ୟରେ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ବିଶେଷ ସହାୟକ ହୋଇଛି ବୋଲି କହିଥିଲେ। ଗ୍ରାମାଞ୍ଚଳରେ ଅଧିକ ଟାୱାର ନିର୍ମାଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣାରେ ସ୍ଥାନ ଯୋଗାଇ ଦିଆଯିବ ଓ ସରକାରୀ କୋଠାରେ ‘ରୁଫ-ଟପ୍’ ଟେଲି ଟାୱାର ପାଇଁ ମଧ୍ୟ ସ୍ଥାନ ଯୋଗାଇ ଦିଆଯିବ ବୋଲି ଶ୍ରୀ ପାଢ଼ୀ କହିଥିଲେ। ତେବେ ଏହି ଟାୱାରଗୁଡ଼ିକୁ ସମସ୍ତ ଟେଲିସେବା ଯୋଗାଣକାରୀ କମ୍ପାନୀମାନେ ବ୍ୟବହାର କରିବାର ସୁବିଧା ରହିବା ଉଚିତ୍ ବୋଲି ରାଜ୍ୟ ରଖିଥିବା ସର୍ତ୍ତକୁ କେନ୍ଦ୍ରୀୟ ସଚିବ ଓ ସମସ୍ତ ଟେଲିକମ କମ୍ପାନୀର ପ୍ରତିନିଧିମାନେ ସ୍ୱୀକାର କରିଛନ୍ତି।

ଭୁବନେଶ୍ୱରରେ ୫୮% ଭାଗ ଟାୱାର, ପୁରୀ ସହରରେ ୧୮% ଟାୱାର, କଟକରେ ୭୩% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ୯୯ଟି ଟେଲିଫୋନ୍ ଏକ୍ସଚେଞ୍ଜ ମଧ୍ୟରୁ ୮୩ଟି, ପୁରୀରେ ୪୬ରୁ ୨୯ଟି ଓ କଟକରେ ସମସ୍ତ ୭୭ଟି ଟେଲିଫୋନ୍ ଏକ୍ସଚେଞ୍ଜକୁ କାର୍ଯ୍ୟକ୍ଷମ କରାଯାଇଛି। ସେହିପରି ବ୍ୟାଙ୍କ ସେବାର ପୁନଃସ୍ଥାପନ ମଧ୍ୟ ସ୍ୱାଭାବିକ ହେଉଛି। ପୁରୀରେ ୭୦.୫%, ଖୋର୍ଦ୍ଧାରେ ୯୨%, କଟକରେ ୯୧%, ଜଗତସିଂହପୁରରେ ୮୮%, ଗଞ୍ଜାମରେ ୯୭%, କେନ୍ଦ୍ରାପଡ଼ାରେ ୯୨% ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଛି।

ସେହିପରି କେନ୍ଦ୍ର ଟେଲିକମ୍ ବିଭାଗ ଅତିରିକ୍ତ ସଚିବ ଅଂଶୁ ପ୍ରକାଶ କହିଥିଲେ ଯେ, ବାତ୍ୟା ପ୍ରଭାବିତ ୧୧ଟି ଜିଲ୍ଲା ମଧ୍ୟରୁ କେବଳ ପୁରୀ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସବୁ ଜିଲ୍ଲାରେ ଟେଲିକମ ସେବା ଯୋଗାଣରେ ଦ୍ରୁତ ସୁଧାର ଆସୁଛି। ଏବେ ପୁରୀ ଜିଲ୍ଲାରେ ପୁନରୁଦ୍ଧାରକୁ ଅଗ୍ରାଧିକାର ଦିଆଯାଉଛି। ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos