ମାରପିଟ ହେଲେ: ୫ ଗାଡ଼ି ପୋଡ଼ିଲେ, ୨ ଭାଙ୍ଗିଲେ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସାମନ୍ତରାପୁର ଓ ଉପରସାହି ମଧ୍ୟରେ ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ୫ଟି ବାଇକ୍ ପୋଡ଼ାଯିବା ସହ ଅନ୍ୟ ଗୋଷ୍ଠୀର ଗୋଟିଏ କାର୍ ଓ ଗୋଟିଏ ମିନିଟ୍ରକ୍ ଭଙ୍ଗାରୁଜା ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ଗତରାତିରେ ଶାଗୁଆନ୍ ବଗିଚାରେ ଜଣଙ୍କ ଘର ଆଗରେ ଥିବା ଗୋଟିଏ ଗୋଷ୍ଠୀର କାର୍ ଓ ମିନିଟକୁ ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ସିସିଟିଭି କ୍ୟାମେରା ନଷ୍ଟ କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନଙ୍କ ୫ଟି ବାଇକ୍‌କୁ ଅନ୍ୟ ଗୋଷ୍ଠୀର ଲୋକେ ପୋଡ଼ି ଦେଇଥିଲେ।

ସଂଘର୍ଷରେ ୩ଜଣ ଆହତ ହୋଇଥିବା ବେଳେ ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୋଲିସ ପ୍ରାୟ ୩୦ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।