ବିଜେଡି ଓ ବିଜେପିର ଆଭିମୁଖ୍ୟକୁ ନେଇ ଦ୍ୱନ୍ଦ୍ୱରେ ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନକୁ ବାଦ୍ ଦେଲେ ରାଜ୍ୟରେ ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ନିର୍ବାଚନ ସରିଛି। କଂଗ୍ରେସକୁ ପଛରେ ପକାଇ ବିଜେପି ଗତ ଦୁଇଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଶାସକ ବିଜେଡିକୁ କଡ଼ା ଟକ୍କର ଦେଇଛି। ନିର୍ବାଚନରେ ଉଭୟ ବିଜେପି ଓ ବିଜେଡି ରାଜ୍ୟରେ ଭଲ ରେଜଲ୍ଟ କରିବେ ବୋଲି ଦମ୍ଭୋକ୍ତି ବାଢ଼ୁଛନ୍ତି। କିନ୍ତୁ ନିର୍ବାଚନବେଳେ ବିଜେଡି ଓ ବିଜେପି ମଧ୍ୟରେ ବଢ଼ିଥିବା ତିକ୍ତତା ଏପର୍ଯ୍ୟନ୍ତ ଦୂର ହୋଇନଥିବାବେଳେ ଦୁଇ ଦଳ ପରସ୍ପରର […]

modi-in-bhubaneswar

modi-in-bhubaneswar

Manoranjan Sial
  • Published: Saturday, 11 May 2019
  • Updated: 11 May 2019, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନକୁ ବାଦ୍ ଦେଲେ ରାଜ୍ୟରେ ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ନିର୍ବାଚନ ସରିଛି। କଂଗ୍ରେସକୁ ପଛରେ ପକାଇ ବିଜେପି ଗତ ଦୁଇଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଶାସକ ବିଜେଡିକୁ କଡ଼ା ଟକ୍କର ଦେଇଛି। ନିର୍ବାଚନରେ ଉଭୟ ବିଜେପି ଓ ବିଜେଡି ରାଜ୍ୟରେ ଭଲ ରେଜଲ୍ଟ କରିବେ ବୋଲି ଦମ୍ଭୋକ୍ତି ବାଢ଼ୁଛନ୍ତି। କିନ୍ତୁ ନିର୍ବାଚନବେଳେ ବିଜେଡି ଓ ବିଜେପି ମଧ୍ୟରେ ବଢ଼ିଥିବା ତିକ୍ତତା ଏପର୍ଯ୍ୟନ୍ତ ଦୂର ହୋଇନଥିବାବେଳେ ଦୁଇ ଦଳ ପରସ୍ପରର ରାଜନୀତିକ ସ୍ୱାର୍ଥ ଓ ବାଧ୍ୟବାଧକତା ପାଇଁ ଏବେଠୁ ପୁଣିଥରେ ନିକଟତର ହେବାର ବିକଳ୍ପ ଖୋଜୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ‘ଫୋନି’ ବାତ୍ୟା ମୁକାବିଲା ଏବେ ବିଜେପି ଓ ବିଜେଡି ନେତୃତ୍ୱଙ୍କୁ ନିକଟତର କରାଇଛି। ବାତ୍ୟାର ୩ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିବା ଓ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର କରିଥିବା ପ୍ରସ୍ତୁତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିବା ଘଟଣାରୁ ଏଭଳି ସଂକେତ ମିଳୁଛି। ଯଦିଓ ସଂଘୀୟ ବ୍ୟବସ୍ଥାରେ ଏଭଳି ସହଯୋଗ ସ୍ୱାଗତଯୋଗ୍ୟ, ତଥାପି ଏହି ପ୍ରଶଂସା ହିଁ ଭବିଷ୍ୟତରେ ଦୁଇ ଦଳକୁ ପୁଣିଥରେ ରାଜନୀତିକ ବାଧ୍ୟବାଧକତା କାରଣରୁ ନିକଟତର କରାଇବାର ମୂଳଦୁଆ ପକାଇଛି।

ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର କମ ସମୟ ମଧ୍ୟରେ ୧୪ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାର ଶ୍ରେୟ ନେଇଥିଲେ ମଧ୍ୟ ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ମୁକାବିଲା କରିବାରେ ପ୍ରଶାସନିକ ଦୂରଦୃଷ୍ଟି ଓ ତତ୍ପରତାର ଅଭାବ ସ୍ପଷ୍ଟ ବାରି ହୋଇପଡ଼ିଛି। ବାତ୍ୟାର ୮ଦିନ ପରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ୪୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚି ପାରିନି। ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ପ୍ରଭାବିତ ଅନେକ ଲୋକଙ୍କୁ ସରକାରୀ ରିଲିଫ ସହାୟତା ମଧ୍ୟ ମିଳିନି। ରାଜ୍ୟରେ ଏବେ ‘କେୟାର ଟେକର’ ସରକାର ଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିର ମୁକାବିଲା ଓ ସାଧାରଣ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବା ଓ ତଦାରଖ ପାଇଁ ବିଭାଗୀୟ ମନ୍ତ୍ରୀମାନଙ୍କୁ (ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ନଗର ଉନ୍ନୟନ, ଶକ୍ତି , ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ) ଦାୟିତ୍ୱ ନିର୍ବାହ କରିବାକୁ ବିଜେଡି ସରକାର ସୁଯୋଗ ଦେଇନି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଥିଲେ ଏସବୁ ମନ୍ତ୍ରୀମାନଙ୍କୁ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ଦେଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିଥାନ୍ତେ। ‘ତିତଲି’ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବା ପାଇଁ ବିଜେଡି ସରକାର ନିଜର ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଦେଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିଥିଲେ। କିନ୍ତୁ ଏବେ କୌଣସି କାରଣରୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀମାନଙ୍କୁ ଏସବୁ କାର୍ଯ୍ୟରୁ ଦୂରେଇ ରଖିଛନ୍ତି। ଏପରିକି ଯେଉଁସବୁ ବ୍ଲକ ଓ ସହରାଞ୍ଚଳ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି, ସେସବୁ ସ୍ଥାନରେ ବିଜେଡିର ସୁଦୃଢ଼ ସଂଗଠନ ରହିଛି। କିନ୍ତୁ ଦଳ ନିଜର ଛାମୁଆ ନେତାମାନଙ୍କୁ ବି ଉପଯୋଗ ନକରି କେବଳ ‘ଷ୍ଟାଣ୍ଡବାଏ’ରେ ରଖିଛି। ଅବଶ୍ୟ ବିଜେଡି ନିଜର କିଛି କର୍ମୀଙ୍କୁ ପଶ୍ଚିମ ଓଡ଼ିଶାରୁ ଆଣି ପୁରୀ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ରିଲିଫ କାର୍ଯ୍ୟରେ ନିୟୋଜିତ କରିଛି। ସୋଶାଲ ମିଡିଆ ମାଧ୍ୟମରେ ବିଜେଡି ନିଜର ଏହି କାର୍ଯ୍ୟର ବ୍ୟାପକ ପ୍ରଚାର କରାଇବାକୁ ଭୁଲିନାହିଁ।

ବିଦ୍ୟୁତ୍ ଓ ପାଣି ସଂଯୋଗରେ ଅହେତୁକ ବିଳମ୍ବ ଓ ରିଲିଫ ସାମଗ୍ରୀ ନମିଳିବା ଯୋଗୁ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଆକ୍ରୋଶକୁ ଦେଖିବା ପରେ ଏ ଯାଏ ଚୁପ ଥିବା ବିଜେପି ଗଣମାଧ୍ୟମ ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କଲାଣି। ରିଲିଫ ପରିଚାଳନାରେ ହେଉଥିବା ହେରଫେର କଥା ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି। ପ୍ରଥମେ ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ପରେ ସମୀର ମହାନ୍ତିଙ୍କ ମାଧ୍ୟମରେ ସରକାରଙ୍କ ବାତ୍ୟା ପରବର୍ତ୍ତୀ ପରିଚାଳନାକୁ ବିଜେପି ସମାଲୋଚନା କରିଥିବାବେଳେ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ସମସ୍ତଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଦାବି କରିଛି। ମାତ୍ର ବାତ୍ୟା ପରଠୁ ଓଡ଼ିଶାରେ ରହି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ପ୍ରୟାସ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ମୁହଁ ଖୋଲିନାହାନ୍ତି। ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଏପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିନାହାନ୍ତି। ସେହିପରି ସର୍ବାଧିକ କ୍ଷତିଗ୍ରସ୍ତ ପୁରୀରୁ ବିଜେପି ସାଂସଦ ପ୍ରାର୍ଥୀ ଡଃ ସମ୍ବିତ ପାତ୍ରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରଠୁ ଆଉ ଦେଖିବାକୁ ମିଳୁନି।

ଚର୍ଚ୍ଚା ହେଉଛି, ଉଭୟ କେନ୍ଦ୍ର ଓ ରାଜ୍ୟରେ ଯଥାକ୍ରମେ ବିଜେପି ଓ ବିଜେଡି ନେତୃତ୍ୱାଧୀନ ‘କେୟାର ଟେକର’ ସରକାର ଏକ ସୁଚିନ୍ତିତ ରଣନୀତି ଆଧାରରେ ଏବେ ପରସ୍ପରକୁ ସହଯୋଗ କରିବା ସହ ନିଜ ଦଳର ନେତାମାନଙ୍କୁ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ପରିଚାଳନାରୁ ଦୂରେଇ ରଖିଛନ୍ତି। ନିର୍ବାଚନବେଳେ ଉଭୟ ଦଳର ନେତାମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍କଟ ତିକ୍ତତା ଏବେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସାଜିବାର ଆଶଙ୍କା ଥିବାରୁ ବିଜେପି ଓ ବିଜେଡି ନେତୃତ୍ୱ ନିଜର ଛାମୁଆ ନେତାମାନଙ୍କୁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଉପଯୋଗ କରିବାକୁ କୁଣ୍ଠାବୋଧ କରିଛନ୍ତି।

ଭବିଷ୍ୟତରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ସରକାର ଗଠନ ପାଇଁ ବିଜେଡିର ସହଯୋଗ ଆବଶ୍ୟକ ହେବାର ସମ୍ଭାବନା ଥିବାରୁ ଏବଂ ପ୍ରତିବଦଳରେ ବିଜେଡି ନିଜର ରାଜନୀତିକ ଫାଇଦା ଉଠାଇବାର ବିକଳ୍ପକୁ ନେଇ ଚିନ୍ତା କରୁଥିବାରୁ ଦୁଇ ଦଳର ଶୀର୍ଷ ନେତୃତ୍ୱ ଏବେ ପରସ୍ପରର ନିକଟତର ହେଉଛନ୍ତି। ଯାହାର ସ୍ପଷ୍ଟ ଆଭାସ ଏବେଠୁ ମିଳିବାରେ ଲାଗିଲାଣି ବୋଲି ରାଜନୀତିକ ଅଳିନ୍ଦରେ ଆଲୋଚନା ହେଉଛି। ଆଉ ଦୁଇ ଦଳର ଶୀର୍ଷ ସ୍ତରୀୟ ନେତାଙ୍କ ଏଭଳି ଆଭିମୁଖ୍ୟ ହିଁ ଏବେ ଉଭୟ ବିଜେଡି ଓ ବିଜେପିର ନେତା,କର୍ମୀଙ୍କ ସହିତ ସାଧାରଣ ଭୋଟରଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos