ଏରୋବ୍ରିଜ୍ ଭୁଶୁଡ଼ିବା ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣାଧୀନ ଏରୋବ୍ରିଜ ଭୁଷୁଡ଼ିବା ଘଟଣାର ବିଚାରବିଭାଗୀୟ ତଦନ୍ତ ନିମନ୍ତେ କଂଗ୍ରେସ ଦାବି କରିଛି। ନୂଆକରି ବିଜେଡିର ସାଂସଦ ହୋଇଥିବା ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଦିଲ୍ଲୀପ କନଷ୍ଟ୍ରକ୍ସନ ମାଲିକ ଦିଲ୍ଲୀପ ଖଟେଇଙ୍କ ପୃଷ୍ଠପୋଷକ ସାଜିଛନ୍ତି। ୬୦କୋଟି ଟଙ୍କାରେ ଏରୋବ୍ରିଜ୍ ନିର୍ମାଣର ଠିକାଦାରୀ ଦିଲ୍ଲୀପ କନଷ୍ଟ୍ରକ୍ସନକୁ ଦେବା ପଛରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହମତି ରହିଛି ତଥା ବଡ଼ଧରଣର ପିସି କାରବାର ହୋଇଛି ବୋଲି କଂଗ୍ରେସ […]

7890

7890

Tapas Behera
  • Published: Saturday, 25 January 2020
  • Updated: 25 January 2020, 09:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣାଧୀନ ଏରୋବ୍ରିଜ ଭୁଷୁଡ଼ିବା ଘଟଣାର ବିଚାରବିଭାଗୀୟ ତଦନ୍ତ ନିମନ୍ତେ କଂଗ୍ରେସ ଦାବି କରିଛି। ନୂଆକରି ବିଜେଡିର ସାଂସଦ ହୋଇଥିବା ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଦିଲ୍ଲୀପ କନଷ୍ଟ୍ରକ୍ସନ ମାଲିକ ଦିଲ୍ଲୀପ ଖଟେଇଙ୍କ ପୃଷ୍ଠପୋଷକ ସାଜିଛନ୍ତି। ୬୦କୋଟି ଟଙ୍କାରେ ଏରୋବ୍ରିଜ୍ ନିର୍ମାଣର ଠିକାଦାରୀ ଦିଲ୍ଲୀପ କନଷ୍ଟ୍ରକ୍ସନକୁ ଦେବା ପଛରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହମତି ରହିଛି ତଥା ବଡ଼ଧରଣର ପିସି କାରବାର ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାଜୀବ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଏରୋବ୍ରିଜ୍ ଭୁଶୁଡ଼ିଥିଲେ ମଧ୍ୟ ଗେହ୍ଲାପୁଅ ଭଳି ଦିଲ୍ଲୀପ କନଷ୍ଟ୍ରକ୍ସନକୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି। ଅତୀତରେ ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ପଣ୍ଡା ଇନଫ୍ରାକୁ ଯେଭଳି ଅହେତୁକ ଅନୁକମ୍ପା ଦେଖାଇଥିଲେ ଏବେ ଦିଲ୍ଲୀପ କନଷ୍ଟ୍ରକ୍ସନକୁ ସେଭଳି ଅନୁକମ୍ପା ଦେଖାଉଛନ୍ତି ବୋଲି ସେ କହିଛନ୍ତି।

୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏୟାରପୋର୍ଟ ଠାରେ ଦିଲ୍ଲୀପ କନଷ୍ଟ୍ରକସନ ୨୦୧୯ରୁ ଯେଉଁ କାର୍ଯ୍ୟାରମ୍ଭ କରିଥିଲା ତାହା ଅତି ନିମ୍ନମାନର ଥିଲା। ବିଭାଗୀୟ ସରକାରୀ କର୍ତ୍ତୃପକ୍ଷ ଯେଉଁମାନେ କି ଏହାର ତଦାରଖ ଦାୟିତ୍ୱରେ ଅଛନ୍ତି, ସେମାନେ ଉତ୍କୋଚ ନେଇ ଏପରି ନିମ୍ନମାନର କାର୍ଯ୍ୟ ପ୍ରତି ଆଖି ବୁଜିଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯିଏକି ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ତାଙ୍କର ଆଶ୍ଚଯ୍ୟଜନକ ନିରବତା ପ୍ରମାଣିତ କରୁଛି ଯେ ଦିଲ୍ଲିପ କନଷ୍ଟ୍ରକସନ ଏହି କାର୍ଯ୍ୟକୁ ହାତେଇବାରେ ପିସି କାରବାର ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ଭଳି ଚୁପବସିଛନ୍ତି। ଏଣୁ ଦିଲ୍ଲିପ କନଷ୍ଟ୍ରକସନ ଏହି କାମପାଇବାରେ ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହମତି ରହିଛି। ବମିଖାଲ ବ୍ରିଜ ଭୁଷୁଡ଼ିବା ଘଟଣାରେ ଲୋକଙ୍କୁ ଭୂଆଁବୁଲାଇ କେବଳ ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାବେଳେ ଘଟଣାର ମୁଖ୍ୟ ଖଳନାୟକଙ୍କ ପର୍ତ୍ତ ବିଭାଗର ସଚିବଙ୍କୁ ବିଜେଡ଼ି ସମ୍ବଲପୁର ପାଇଁ ଦଳୀୟ ସାଂସଦ ପ୍ରାର୍ଥୀ କରି ପୁରସ୍କୃତ କରିଥିଲେ। ଏଣୁ ପଣ୍ଡା ଇନଫ୍ରା କାହାର ବୋଲି ସାଧାରଣ ଲୋକେ ବୁଝିବାରେ ଅସୁବିଧା ରହିଲା ନାହିଁ। ସେହିପରି ଏୟାରପୋର୍ଟ ଏରୋବ୍ରିଜ ଭୁଶୁଡ଼ିବା ଘଟଣାକୁ କେନ୍ଦ୍ର ଓ ରାଜ୍ୟ ସରକାର ଚପାଇଦେବାକୁ ଉଦ୍ୟମ କରୁଛନ୍ତି। ଏଥିରେ ସଂପୃକ୍ତ ବଡ଼ ଅଫିସରଙ୍କୁ ମଧ୍ୟ ବିଜେପି ପକ୍ଷରୁ ଟିକିଟ ମିଳିପାରେ ବୋଲି ଶ୍ରୀ ପଟ୍ଟନାୟକ କଥା ଛଳରେ କହିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାର ନବୀନ ସରକାର ଓ କେନ୍ଦ୍ରର ମୋଦି ସରକାର ଏମାନେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍। କେନ୍ଦ୍ର ସରକାରଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏଇ ଦୁର୍ନୀତିରେ ସଂପୃକ୍ତ କାରଣ ଦିଲ୍ଲୀପ କନଷ୍ଟ୍ରକସନର ନିମ୍ନମାନର କାର୍ଯ୍ୟକୁ ଏମାନେ ଉତ୍ସାହିତ କରୁଥିଲେ। ଏହି କନଷ୍ଟ୍ରକସନ କମ୍ପାନୀକୁ ଓଡ଼ିଶା ସରକାରରେ ଥିବା ବହୁ ଉଚ୍ଚପଦସ୍ଥ ଅଫିସର ଓ ରାଜନେତା ପୃଷ୍ଟପୋଷକତା ଯୋଗାଉଛନ୍ତି। ପ୍ରକୃତ ରହସ୍ୟ ଉନ୍ମୋଚନ ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯିବ। କମ୍ପାନୀର ମାଲିକଙ୍କୁ ଗିରଫ ସହ କମ୍ପାନୀର ଲାଇସେନ୍ସକୁ ସବୁଦିନ ପାଇଁ ରଦ୍ଦ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ଏସବୁ ବ୍ୟତୀତ ମୃତକଙ୍କ ପରିବାରକୁ ୨୦ଲକ୍ଷଟଙ୍କା ଏବଂ ପରିବାରର ଜଣକୁ ଚାକିରୀ ଓ ଆହତଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ସହ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉ। ଏହି ଘଟଣାର ତଦନ୍ତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ନେତା ୟାସିର ନୱାଜ, ରଣଜିତ୍ ପାତ୍ର ଓ ଆଲୋକ ଲେଙ୍କା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos