ଜଗତସିଂହପୁର (ଶଶାଙ୍କ ପଣ୍ଡା): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବଜାରରେ ପ୍ରତିଷ୍ଠା କରାଯାଇଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଯାହାକୁ କଂଗ୍ରେସ ବିରୋଧ କରିଛି। ଏପରିକି ଉକ୍ତ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ଦାବି କରି କଂଗ୍ରେସ। ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଦାବିରେ କଂଗ୍ରେସ ପକ୍ଷରୁ ଦିଆଯାଇଛି ଧାରଣା ଓ ଅନଶନ। ଇତିମଧ୍ୟରେ ଧାରଣା ଓ ଅନଶନ ତୃତୀୟ ଦିନରେ ପହଞ୍ଚିଲାଣି। ହେଲେ ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଇନାହାନ୍ତି।
ସେପଟେ ଆଜି ଧାରଣାରେ ସାମିଲ୍ ହୋଇଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ମିଡିଆ ସେଲ୍ ଆବାହକ ସତ୍ୟପ୍ରକାଶ ନାୟକ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ ପ୍ରମୁଖ। କଂଗ୍ରେସର କହିବା କଥା, ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। ତେବେ ଗୋପବନ୍ଧୁଙ୍କ ପରି ଜଣେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଠିକ ନୁହେଁ। ପ୍ରଶାସନ ତୁରନ୍ତ ସେହି ସ୍ଥାନରୁ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି। ଯଦି ପ୍ରତିମୂର୍ତ୍ତି ସ୍ଥାନାନ୍ତର ନହୁଏ, ତାହାହେଲେ ଆଗକୁ ଏହି ଆନ୍ଦୋଳନ ଅଧିକ ତୀବ୍ର ହେବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ରଘୁନାଥପୁର ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରୀପାଠୀ କହିଛନ୍ତି ଯେ, ପ୍ରତିମୂର୍ତ୍ତି ବିବାଦରେ ପ୍ରଶାସନ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିଛନ୍ତି। ତା’ପରେ ଏଭଳି ଧାରଣା ଓ ଅନଶନ କରିବା ରାଜନୀତି ଛଡା ଆଉ କିଛି ନୁହେଁ ବୋଲି କହିଛନ୍ତି ବ୍ଲକ ବିଜେଡି ସଭାପତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।