ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ବଲାଙ୍ଗିର ଶିକ୍ଷା ଜିଲ୍ଲା ଅଧିନରେ ଥିବା ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣୀଙ୍କ ଜାଲିଆତି ଘଟଣା ସାମନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର।
ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣିଙ୍କୁ ବଦଳି କରାଯିବ। ଯେଉଁମାନେ ୬ ବର୍ଷରୁ ଅଧିକ ସମୟ ଗୋଟିଏ ଅଫିସରେ ଥିବେ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାବର୍ଷ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି । ବଲାଙ୍ଗିର ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣି ପ୍ରମୋଦ ରଥ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏହି ନିଷ୍ପତ୍ତି ସଂପର୍କରେ ଜଣାଇଛନ୍ତି।
୧୯୯୨ ମସିହାରେ ବାପା କେଶବ ଚନ୍ଦ୍ର ରଥଙ୍କ ଇଚ୍ଛାକୃତ ଅବସର ପରେ ଚାକିରୀ ପାଇଥିଲେ ପ୍ରମୋଦ। ବାପା କେଶବ ରଥ ନିୟମିତ ପେନସନ ବି ପାଉଛନ୍ତି । ଏହାସତ୍ତ୍ୱେ କେଶବ ରଥ ୨୦୧୩ରେ ଅବସର ନେଇଥିବା ଦର୍ଶାଇ ଆଉ ଏକ ଫାଇଲ୍ ତିଆରି କରିଥିଲେ ପ୍ରମୋଦ। ତାପରଠୁ ଅର୍ଥାତ ମେ ୧୭ରେ କେଶବଙ୍କ ଏସ୍ବିଆଇ ଆକାଉଣ୍ଟରେ ୟୁଏଲ୍ଏସ୍ ବାବଦକୁ ୪ ଲକ୍ଷ ୩୯ ହଜାର ୫୬୦, ଗ୍ରାଚୁଇଟି ବାବଦକୁ ୬ ଲକ୍ଷ ୫୨ ହଜାର ଏବଂ ପ୍ରୋଭିଜନାଲ୍ ବାବଦକୁ ୧୬ ଲକ୍ଷ ୫୮ ହଜାର ୭୪୪ ଟଙ୍କା ଡିପୋଜିଟ୍ ହୋଇଥିଲା। ଖାଲି ଏତିକି ନୁହେଁ, ଆହୁରି ଅନେକ ଲୋକଙ୍କ ନାଁରେ ନକଲି କାଗଜ ପତ୍ର କରି ପ୍ରମୋଦ ଉଠାଇଛନ୍ତି କୋଟି କୋଟି ଟଙ୍କା ।
ବିଇଓଙ୍କ ତଥ୍ୟ ଅନୁସାରେ, କେବଳ ବାପାଙ୍କ ନାଁରେ ନୁହେଁ, ପତ୍ନୀ ଝରଣା ରଥଙ୍କ ନାଁରେ ମଧ୍ୟ ଘୋଟାଲା କରିଛନ୍ତି ସେ। କୌଣସି ଜଣେ ଶିକ୍ଷକଙ୍କ ଉତ୍ତରାଧିକାରୀ ଦର୍ଶାଇ ଏସ୍ବିଆଇ ଆକାଉଣ୍ଟରେ ୩ ଅଗଷ୍ଟ ୨୦୧୮ରେ ୪ ଲକ୍ଷ ୩୯ ହଜାର, ୧୮ ଅଗଷ୍ଟ ୨୦୧୮ରେ ୫ ଲକ୍ଷ ୨୬ ହଜାର ଓ ୪ ଲକ୍ଷ ଟଙ୍କା ହାତେଇଛନ୍ତି । ଏପରିକି ଝରଣାଙ୍କ ଆକାଉଣ୍ଟରେ ନିରୋଜ ବହିଦାରଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ୩ଟି ଚେକ୍ ଡିପୋଜିଟ ହୋଇଛି। ବର୍ତ୍ତମାନ ଭିଜିଲାନସ ସୂତ୍ରରୁ ଜଣାପଡିଛି ଯେ, ଗୋଟିଏ କି ଦୁଇଟି ନୁହେଁ, ବର୍ଷ ବର୍ଷ ଧରି ଏମିତି ଅନେକ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ନକଲି କାଗଜପତ୍ର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।