ଶାଢ଼ୀର ଦୁଇ ପାର୍ଶ୍ୱରେ ଝୁଲି ପଡ଼ିଲେ ସ୍ୱାମୀ-ସ୍ତ୍ରୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଶାଢ଼ୀ ପାଲଟିଛି ଯମ ଫାଶ! ଯାଇଛି ଦୁଇ ଦୁଇଟି ଜୀବନ। ଅଧପନ୍ତରିଆ ଘର ଭିତରେ ଶାଢ଼ୀର ଦୁଇ ପାର୍ଶ୍ୱରେ ଝୁଲିଛନ୍ତି ସ୍ୱାମୀ ଓ ସ୍ତ୍ରୀ। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ।

୪ ବର୍ଷ ତଳେ ସାନଖେମୁଣ୍ଡି ବ୍ଳକ୍‌ ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଜଗନ୍ନାଥପୁର ଗାଁର ପିଣ୍ଟୁ ସେଠୀଙ୍କୁ ବିବାହ କରିଥିଲେ ସ୍ୱପ୍ନା ସେଠୀ। ଉଭୟ କୁଲି ମଜୁରି ଲାଗି ଚଳୁ ଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କର ପିଲାପିଲି ହୋଇନଥିଲା। ଆଜି କିନ୍ତୁ ସ୍ୱାମୀ-ସ୍ତ୍ରୀ କାମକୁ ଯାଇନଥିଲେ। ପଡ଼ୋଶୀଙ୍କ କହିବା ଅନୁସାରେ ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ ସେମାନଙ୍କ ଘରର କବାଟ ଖୋଲା ରହିଥିଲା। ତା’ପରଠାରୁ ଆଉ କବାଟ ଖୋଲି ନଥିଲା। ପଡ଼ୋଶୀ ଡାକିଲେ ମଧ୍ୟ କେହି ଶୁଣିନଥିଲେ।

ସନ୍ଧ୍ୟା ବେଳେ ପଡ଼ୋଶୀଙ୍କଠାରୁ ଖବର ପାଇ ପାଟପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା। ସେତେବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଉଭୟ ଗୋଟିଏ ଶାଢ଼ୀର ଦୁଇ ପାର୍ଶ୍ୱରେ ଝୁଲି ପଡ଼ିଥିଲେ। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପାରିବାରିକ ଗଣ୍ଡଗୋଳ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତଥାପି ପୁଲିସ୍‌ ବିଭିନ୍ନ ଦିଗରୁ ଆଦନ୍ତ ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।