Advertisment

କୋଭିଡ୍-୧୯: ଭୟ ନୁହେଁ, ସତର୍କତା ଆବଶ୍ୟକ

ଓଡ଼ିଶା ରିପୋର୍ଟର ନିଜ ପ୍ରତ୍ୟେକ ଦାୟିତ୍ୱବାନ ପାଠକଙ୍କଠାରେ କରୋନା ଭୂତାଣୁ ସହ ଜଡ଼ିତ ଅପରପାର୍ଶ୍ୱର ସତ୍ୟକୁ ପହଞ୍ଚାଇବାର ଚେଷ୍ଟା ଆରମ୍ଭ କରିଛି। ଏହି କ୍ରମରେ ଆମେ ସେହି ବିଷୟଗୁଡ଼ିକ ଉପରେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିବୁ, ଯେଉଁ ବିଷୟଗୁଡ଼ିକୁ ଆପଣ ଏହି ମହାମାରୀ ଭୟରେ ହୁଏତ ଅବହେଳା କରି ବସିଛନ୍ତି ବା ନଜର ପକାଇ ନାହାନ୍ତି। ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏହା ସତ ଯେ, କରୋନା ବା କୋଭିଡ୍-୧୯କୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଏକ […]

author-image
Pragnya Choudhury
ଅଦ୍ୟତନ ହୋଇଛି
କୋଭିଡ୍-୧୯: ଭୟ ନୁହେଁ, ସତର୍କତା ଆବଶ୍ୟକ

corona_do-not-panic

ଓଡ଼ିଶା ରିପୋର୍ଟର ନିଜ ପ୍ରତ୍ୟେକ ଦାୟିତ୍ୱବାନ ପାଠକଙ୍କଠାରେ କରୋନା ଭୂତାଣୁ ସହ ଜଡ଼ିତ ଅପରପାର୍ଶ୍ୱର ସତ୍ୟକୁ ପହଞ୍ଚାଇବାର ଚେଷ୍ଟା ଆରମ୍ଭ କରିଛି। ଏହି କ୍ରମରେ ଆମେ ସେହି ବିଷୟଗୁଡ଼ିକ ଉପରେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିବୁ, ଯେଉଁ ବିଷୟଗୁଡ଼ିକୁ ଆପଣ ଏହି ମହାମାରୀ ଭୟରେ ହୁଏତ ଅବହେଳା କରି ବସିଛନ୍ତି ବା ନଜର ପକାଇ ନାହାନ୍ତି।

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏହା ସତ ଯେ, କରୋନା ବା କୋଭିଡ୍-୧୯କୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ସତ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭୂତାଣୁକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରାଯାଇଛି। ଏହା ସତ ଯେ, ଭାରତରେ ମଧ୍ୟ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିବାର ଦୁଃସାହସ କରୁଛି। ଆଉ ଏହା ମଧ୍ୟ ସତ ଯେ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଜଣେ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଓ ଚିକିତ୍ସିତ ହେଉଛନ୍ତି। ବିଶ୍ୱ ମହାମାରୀ କରୋନା ଭୂତାଣୁକୁ ନେଇ ଏଭଳି ଅନେକ ଗୁଡ଼ିଏ ତଥ୍ୟ ଆପଣ ଲଗାତର ପାଉଥିବେ ନିଶ୍ଚୟ। ହେଲେ ଏହାରି ଭିତରେ କିଛି ଏପରି ସତ ଲୁଚି ରହିଯାଇଛି, ଯାହା ଆପଣଙ୍କ ଜାଣିବା ନିହାତି ଆବଶ୍ୟକ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭୂତାଣୁ ମୁକାବିଲା ନେଇ ବିଭିନ୍ନ ପରାମର୍ଶ ଓ ନିର୍ଦ୍ଦେଶନାମା ଜାରି କରାଯିବା ପରେ ରାଜ୍ୟ ସରକାର ମଧ୍ୟ ସୁରକ୍ଷା ଓ ପ୍ରତିଷେଧକ ଭାବେ ନିର୍ଦ୍ଦିଷ୍ଟ ପରାମର୍ଶ ଏବଂ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆମ ରାଜ୍ୟରେ ସାଢ଼େ ଚାରି କୋଟିରୁ ଅଧିକ ଲୋକ ବାସ କରୁଛନ୍ତି, ଯେଉଁମାନଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଗୁରୁଦାୟିତ୍ୱ। ସମାନ ଭାବେ ସାମାଜିକ ପ୍ରାଣୀ ହୋଇଥିବାରୁ ଆମମାନଙ୍କ ମଧ୍ୟ ପରସ୍ପର ପ୍ରତି ଏହି ଦାୟିତ୍ୱ ରହିଛି। ଏଣୁ ନିଜେ ନିଜକୁ ସତର୍କ କରି ଅନ୍ୟକୁ କରୋନା ଜଡ଼ିତ ମିଥ୍ୟା ପ୍ରଚାର ଓ ଭୁଲ ତଥ୍ୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦେବା ନିହାତି ଜରୁରୀ ହୋଇପଡ଼ିଛି। ମନୁଷ୍ୟ ଜାତି ଆବାହମାନ କାଳରୁ ପରିସ୍ଥିତି ଅନୁଯାୟୀ ଖାପ ଖୁଆଇ ନିଜକୁ ବଞ୍ଚାଇ ରଖିଛି। ତେବେ ଆଜି କ’ଣ ଏହା ଅସମ୍ଭବ! ନିଜ ସ୍ତରରେ ବିଚାର କରନ୍ତୁ ଏବଂ ଦାୟିତ୍ୱବାନ ମଣିଷଟିଏ ଭଳି ନିଜେ ବୁଝି ନିଜ ସମ୍ପର୍କୀୟଙ୍କୁ ମଧ୍ୟ ବୁଝାନ୍ତୁ ‘ଭୟ ନୁହେଁ, ପ୍ରକୃତରେ ସତର୍କତା ଆବଶ୍ୟକ’।

Advertisment

ପାଠକମାନଙ୍କ ଅବଗତି ନିମନ୍ତେ ଏଠାରେ କହି ରଖୁଛୁ ଯେ, ରିପୋର୍ଟ ଲେଖିବା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ସାରା ବିଶ୍ୱରେ ୧୭୦,୦୪୦ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫,୯୨୩ ଅର୍ଥାତ କେବଳ ୭% ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ୯୩% ଅର୍ଥାତ ୭୯,୮୧୫ ଜଣ ଆକ୍ରାନ୍ତଙ୍କ ସାଧାରଣ ସ୍ୱାସ୍ଥ୍ୟାବସ୍ଥା ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ବିଶ୍ୱ ମହାମାରୀ ଦ୍ୱାରା ଆକ୍ରାନ୍ତ ମଧ୍ୟରୁ ୬,୫୨୪ ଜଣ ଅର୍ଥାତ ୮% ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୭୭,୭୭୮ ଜଣ ଅର୍ଥାତ ୯୨% ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ୍ ଭୁଲ ତଥ୍ୟ ଦ୍ୱାରା ପ୍ରଭାବିତ ହୋଇ ଆତଙ୍କିତ ହେବା ଓ ଅନ୍ୟକୁ ଭୟଭୀତ କରିବା ବର୍ତ୍ତମାନ ପରିସ୍ଥିତିରେ ନିଶ୍ଚିତ ଭାବେ ଏକ ଅପରାଧ ବୋଲି କୁହାଯିବ।

ଭାରତ ବର୍ଷ ହେଉଛି ପରମ୍ପରା ସଂସ୍କୃତିର ଦେଶ। ଆଉ ଓଡ଼ିଆଙ୍କ ପରମ୍ପରା ତଥା ଓଡ଼ିଶା ମାଟିର ଗୌରବ ସାରା ବିଶ୍ୱକୁ ଅଛପା ନୁହେଁ। ଏଣୁ ଭୟ ଆମ ରକ୍ତରେ ନାହିଁ। ବୀର ଓଡ଼ିଆ ମାଟିର ସନ୍ତାନ ଓ ସନ୍ତତି ଭାବେ ଆମକୁ ଏହି ବିଶ୍ୱ ମହାମାରୀ ସହ ଲଢ଼ିବାକୁ ଖୁବ୍ ସତର୍କ ହେବାକୁ ପଡ଼ିବ। ଉପରୋକ୍ତ ତଥ୍ୟକୁ ହୃଦୟଙ୍ଗମ କରି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଓ ନିର୍ଦ୍ଦେଶ ମାନିବାକୁ ହେବ। ଯଥାସମ୍ଭବ ସାମାଜିକ ଗହଳି ଓ ଜନସମାଗମକୁ ରୋକିବାକୁ ହେବ। ଜଣେ ଦାୟିତ୍ୱବାନ ଓଡ଼ିଆ ଭାବେ ଛେପ ରାସ୍ତା କଡ଼ରେ ପକାଇବା ନାହିଁ। ଆମେ ପରା ଓଡ଼ିଆ। ବାର ମାସରେ ତେର ପର୍ବ ଆମର। ସ୍ୱଚ୍ଛତା କ’ଣ ଆମକୁ ଭଲଭାବେ ଜଣା। କେବଳ ଏହି ମହାମାରୀ ସମୟରେ ଅଧିକରୁ ଅଧିକ ସ୍ୱଚ୍ଛତା ବଜାୟ ରଖିବାକୁ ହେବ। ସ୍ୱଚ୍ଛତାକୁ କେନ୍ଦ୍ର କରି ସମସ୍ତ ନିର୍ଦ୍ଦେଶାନାମା ପାଳନ କରିବାକୁ ହେବ। ଜାଣତରେ ହେଉ ବା ଅଜାଣତରେ, କରୋନାକୁ ନେଇ ନ ଜାଣିଥିବା ତଥ୍ୟକୁ ବଢ଼ାଇ ଚଢ଼ାଇ କହିବା ନାହିଁ। ସାମାଜିକ ଦୂରତା ଦ୍ୱାରା ଆମେ ଏହା ସହ ଲଢ଼ିପାରିବା। ପରିସ୍କାର ରହିବା ଓ ଅନ୍ୟକୁ ପରିସ୍କାର ରହିବାକୁ ପରାମର୍ଶ ଦେବା। କେବଳ ସରକାରଙ୍କ ଦ୍ୱାରା ଜାରି କରାଯିବା ବିଷୟକୁ ହିଁ ଶୁଣିବା, ପ୍ରଚାର କରିବା ଓ ପାଳନ କରିବା।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ମହାମାରୀ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି, “ଆମେ ସମସ୍ତେ ଧୈର୍ଯ୍ୟ ରଖିବା ମାତ୍ର ଆତ୍ମସନ୍ତୁଷ୍ଟ ହେବା ନାହିଁ। ଆମେ ସମସ୍ତେ ପ୍ରସ୍ତୁତ ରହିବା କିନ୍ତୁ ଭୟଭୀତ ହେବା ନାହିଁ।” ଏହାକୁ ଜଣେ ଦାୟିତ୍ୱବାନ ଓଡ଼ିଆ ଭାବେ ଗୁରୁତ୍ୱ ଦେଇ ନିଜକୁ ପ୍ରସ୍ତୁତ କରିବାକୁ ହେବ। ଏହାସହ ନିଜଠାରେ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ହସ୍ପିଟାଲ କିମ୍ୱା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ହେଲ୍ପ ଲାଇନ୍ ନମ୍ୱରରେ ଯୋଗାଯୋଗ କରିବା। ପୁଣି ଓଡ଼ିଶା ରିପୋର୍ଟର ନିଜ ପାଠକଙ୍କୁ ଅନୁରୋଧ କରୁଛି, ‘ଭୟ ନୁହେଁ, ପ୍ରକୃତରେ ସତର୍କତା ଆବଶ୍ୟକ’।