ଅସୁରକ୍ଷିତ ରାଜଧାନୀ: ଇଞ୍ଜିନିୟରଙ୍କୁ ହାଣି ଲୁଟିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତାରେ ପୁଲିସ୍ ପାଇଁ ଖୋଲା ଚ୍ୟାଲେଞ୍ଜ୍। ସ୍ପଷ୍ଟ ଦିବାଲୋକରେ ବି ହେଉଛି ଲୁଟ୍, ରାହାଜାନୀ କି ହତ୍ୟା ପାଇଁ ପଛାଉ ନାହାନ୍ତି ଅପରାଧୀ। ଗତ କିଛି ଦିନ ଧରି କ୍ୟାପିଟାଲ ସିଟିରେ ଗୋଟିକ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟିବା ପରେ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି ସାଧାରଣ ଲୋକେ। ୭ ଦିନ ତଳେ ଶୈଳଶ୍ରୀ ବିହାର ଅଞ୍ଚଳରେ ମହିଳାଙ୍କଠୁ ଗହଣା ଲୁଟ୍ ପରେ ଗତକାଲି ସେଇ ପାଖାପାଖି ସ୍ଥାନରେ […]

lootera

Ranjit Kumar Jena
  • Published: Wednesday, 28 October 2020
  • , Updated: 28 October 2020, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତାରେ ପୁଲିସ୍ ପାଇଁ ଖୋଲା ଚ୍ୟାଲେଞ୍ଜ୍। ସ୍ପଷ୍ଟ ଦିବାଲୋକରେ ବି ହେଉଛି ଲୁଟ୍, ରାହାଜାନୀ କି ହତ୍ୟା ପାଇଁ ପଛାଉ ନାହାନ୍ତି ଅପରାଧୀ। ଗତ କିଛି ଦିନ ଧରି କ୍ୟାପିଟାଲ ସିଟିରେ ଗୋଟିକ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟିବା ପରେ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି ସାଧାରଣ ଲୋକେ। ୭ ଦିନ ତଳେ ଶୈଳଶ୍ରୀ ବିହାର ଅଞ୍ଚଳରେ ମହିଳାଙ୍କଠୁ ଗହଣା ଲୁଟ୍ ପରେ ଗତକାଲି ସେଇ ପାଖାପାଖି ସ୍ଥାନରେ ଲୁଟ୍ ପାଇଁ ଜଣେ ଇଞ୍ଜିନିୟରଙ୍କୁ ଖଣ୍ଡାରେ ହାଣି ଲହୁ ଲୁହାଣ କରିଛନ୍ତି ଲୁଟେରା।

ଯଦି ଇଞ୍ଜିନିୟର ଜଣକ ଅପରାଧୀଙ୍କ ସହ ଲଢି ଖଣ୍ଡାକୁ କାବୁ କରିନଥାନ୍ତେ, ତାହେଲେ ହୁଏତ ଆହୁରି ବଡ଼ ଅଘଟଣ ଘଟିଥାନ୍ତା। ଲୁଟ୍ ପାଇଁ ମାତ୍ର କେଇ ସେକେଣ୍ଡରେ ଜୀବନ ହାରିଥାନ୍ତେ ଜଣେ ଇଞ୍ଜିନିୟର। ସବୁ ଦିନ ଭଳି ସକାଳ ସାଢ଼େ ୬ଟାରେ ଶୈଳଶ୍ରୀ ବିହାର ଅଞ୍ଚଳରେ ରହୁଥିବା ଇଞ୍ଜିନିୟର ସତ୍ୟନାରାୟଣ ମିଶ୍ର ଫୁଲ ତୋଳିବାକୁ ଘର ନିକଟ ରାସ୍ତା କଡ଼କୁ ଆସିଥିଲେ। ବେକରେ ଥିଲା ସୁନା ଚେନ୍। ଘରୁ ବାହାରିବା ମାତ୍ରେ ତାଙ୍କୁ ଫଲୋ କରିଥିଲେ ଦୁଇ ଲୁଟେରା।

ସାଇଡରେ ୨ ଥର ଚକ୍କର କାଟିବା ପରେ ସିଧା ଆକ୍ରମଣ କରିଥିଲେ। ତେବେ ଲୁଟେରାଙ୍କୁ ଭୟ କରିବା ବଦଳରେ ମୁକାବିଲା କରିଥିଲେ ସତ୍ୟ। ଯେଉଁକାରଣରୁ ତାଙ୍କ ମୁଣ୍ଡ ବଦଳରେ ହାତରେ ଲାଗିଥିଲା ଶକ୍ତ ଆଘାତ। ଆଘାତ ପାଇବା ପରେ ବି ଖଣ୍ଡା ଛାଡ଼ିନଥିଲେ ସାହସୀ ସତ୍ୟନାରାୟଣ। ପାଟି ଶୁଣି ଲୋକେ ଚାଲି ଆସିବାରୁ ଲୁଟେରା ଦୁଇଜଣ ତାଙ୍କୁ ଲହୁ ଲୁହାଣ କରିବା ପରେ ଚେନ୍ ଛିଡ଼ାଇ ନେଇ ଚମ୍ପଟ୍ ମାରିଥିଲେ।

ଠିକ୍ ସପ୍ତାହେ ତଳେ ସେଇ ସମାନ ସ୍ପଟରେ ଲୁଟେରାଙ୍କ ଟାର୍ଗେଟରେ ଆସିଥିଲେ କୈଳାସ ବିହାରର ୭୦ ବର୍ଷିୟା ବୃଦ୍ଧା। ସକାଳେ ନିଜ ଘର ପାଖରେ ସେ ଫୁଲ ତୋଳୁଥିବା ବେଳେ ଦୁଇ ଦୁର୍ବୃତ୍ତ ତାଙ୍କ କାନଫୁଲ ଝାମ୍ପି ଆଖି ପିଛୁଳାକେ ବାଇକରେ ଫେରାର ମାରିଥିଲେ। ତେବେ ଏଠାରେ ପ୍ରଶ୍ନ ଅପରାଧ ପରେ ବି ସେହି ନିର୍ଦ୍ଦିଷ୍ଟ ସ୍ଥାନରେ କେମିତି ସକ୍ରିୟ ରହୁଛନ୍ତି ଲୁଟେରା ଗ୍ୟାଙ୍ଗ୍?

ରାତି ତ ରାତି, କଣ ଦିନରେ ବି ପୁଲିସକୁ ଡରୁ ନାହାନ୍ତି ଅପରାଧୀ? ନା ପୁଲିସର ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ପେଷାଗତ ଲୁଟେରା? ତେବେ କେବଳ ଏ ଦୁଇ ଘଟଣା ନୁହେଁ, ଗଲା କିଛି ଦିନ ଭିତରେ ଆହୁରି ଅନେକ ଘଟଣା ଘଟିଛି। ଜୁଲାଇ ୧୭ ତମାଣ୍ଡୋ ନିକଟରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କଠୁ ବ୍ୟାଗ୍ ଝାମ୍ପି ନେଇଥିଲେ ଲୁଟେରା। ଅକ୍ଟୋବର ୧ ତାରିଖରେ ରସୁଲଗଡ କେନାଲ୍ ରୋଡରେ ସ୍କୁଟରରେ ଯାଉଥିବା ଏ ଯୁବତୀଙ୍କଠୁ ମୋବାଇଲ୍ ଝାମ୍ପି ନେଇଥିଲେ। ଯାହା ଫଳରେ ଯୁବତୀ ଜଣକ ଗାଡ଼ିରୁ ଖସି ଗୁରୁତର ହୋଇଥିଲେ। ଅକ୍ଟୋବର ୬ ତାରିଖରେ ଆପୋଲୋ ହସ୍ପିଟାଲ୍ ନିକଟରେ ଅନୁରୂପ ଭାବେ ଛିନ୍ତାଇର ଶିକାର ହୋଇ ଆହତ ହୋଇଥିଲେ ଯୁବତୀ। ଏସବୁ ଘଟଣା ପରେ ପ୍ରଶ୍ନ ଉଠୁଛି କଣ ଅପରାଧୀଙ୍କ ନିର୍ଭୟ ଆଶ୍ରୟସ୍ଥଳି ପାଲଟିଛି କି ରାଜଧାନୀ ଭୁବନେଶ୍ୱର?

Related story