‘ମୋଦି ନିର୍ଲ୍ଲଜ, ମହାନଦୀର ଶୁଖିଲା ବାଲିରେ ସଭା କରିବାକୁ ଆସୁଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଛତିଶଗଡ଼ ସରକାର ମହାନଦୀ ଉପରେ ଏକ ପାଖିଆ ଭାବେ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କରୁଛି। ଫଳରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ସରକାରଙ୍କୁ ସାହାଯ୍ୟ କରୁଛନ୍ତି। ଯାହାଫଳରେ ମହାନଦୀ ପଠା ଶୁଖିଲା ପଡ଼ିଛି। ଆଉ ଆସନ୍ତାକାଲି ସେହି ଶୁଖିଲା ବାଲି ପଠା ଉପରେ ଅତି ନିର୍ଲ୍ଲଜ ଭାବେ ସେହି ଶୁଖିଲା ବାଲି ଉପରେ ସଭା […]

modiraut

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 08:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଛତିଶଗଡ଼ ସରକାର ମହାନଦୀ ଉପରେ ଏକ ପାଖିଆ ଭାବେ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କରୁଛି। ଫଳରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ସରକାରଙ୍କୁ ସାହାଯ୍ୟ କରୁଛନ୍ତି। ଯାହାଫଳରେ ମହାନଦୀ ପଠା ଶୁଖିଲା ପଡ଼ିଛି। ଆଉ ଆସନ୍ତାକାଲି ସେହି ଶୁଖିଲା ବାଲି ପଠା ଉପରେ ଅତି ନିର୍ଲ୍ଲଜ ଭାବେ ସେହି ଶୁଖିଲା ବାଲି ଉପରେ ସଭା କରିବାକୁ ଆସୁଛନ୍ତି। ତାଙ୍କୁ ଟିକେହେଲେ ଲାଜ ସରମ ଅଛି ତ? କେବଳ କ୍ଷମତାର ଅହଂଙ୍କାର ପାଇଁ ସେ (ମୋଦି) ଏମିତି କରୁଛନ୍ତି। ଭାରତରୁ ବହୁ ଦଳୀୟ ସଂସଦୀୟ ଗଣତନ୍ତ୍ରକୁ ଧ୍ୱଂସ କରି ଏକ ଦଳୀୟ ଗଣତନ୍ତ୍ର ପ୍ରତିଷ୍ଠା କରିବା ଚେଷ୍ଟା କରୁଛନ୍ତି। ଏହି ଅହଂକାର ବେଶୀ ଦିନ ରହିବ ନାହିଁ।” ଆଜି ପାରାଦୀପରେ ଆୟୋଜିତ ସଭାରେ ଏପରି ଢ଼ଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ।

ଦାମ ଆହୁରି କହିଛନ୍ତି-“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସ୍ୱାର୍ଥ ପାଇଁ କିଛି କରିନାହାନ୍ତି। ନିରବଚ୍ଛିନ୍ନ ଭାବେ ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିଚାଲିଛନ୍ତି। ଯାହାଫଳରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଗକୁ ମାଡ଼ି ଚାଲିଛି। ଏହା ଆଜି ସାରା ବିଶ୍ୱରେ ସ୍ୱୀକୃତ ହୋଇଛି। ଏପରି ସ୍ଥଳେ ମାତ୍ର ୧୭ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ରାଜ୍ୟ ଛତିଶଗଡ଼ ଆମ ସହିତ ବିବାଦ କରୁଛି। ଆମ ଦାନାପାଣିରେ ଜହର ଦେଉଛି। ଏହାକୁ ଅତି ନିର୍ଲ୍ଲଜ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ କରୁଛନ୍ତି।”

ସେ କହିଛନ୍ତି-“ମହାନଦୀ ମଧ୍ୟପ୍ରଦେଶର ଅମରକଣ୍ଟକ ପର୍ବତମାଳାରୁ ବାହାରି ଓଡ଼ିଶାର ପାରାଦୀପଠାରେ ସମୁଦ୍ରରେ ମିଶୁଛି। ଏହା ଉପରେ ୪୬ ବର୍ଷ ତଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହରୁ, ଓଡ଼ିଶା ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ହୀରାକୁଦଠାରେ ବ୍ୟାରେଜ ନିର୍ମାଣ କରିଥିଲେ। ଉଦ୍ଦେଶ୍ୟ ଥିଲା ଜଳ ବିଦ୍ୟୁତ ଉତ୍ପାଦନ ହେଲେ ଦେଶର ବିକାଶରେ ଲାଗିବ। ରାଜ୍ୟର ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ବ୍ୟବସ୍ଥା କରାଯାଇପାରିବ। କିନ୍ତୁ ଛତିଶଗଡ଼ ସମ୍ୱିଧାନକୁ ଖାତିର ନକରି ଓ ତଳ ମୁଣ୍ଡରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥକୁ ହିସାବକୁ ନନେଇ ଗୋଟାଏ ପରେ ଗୋଟାଏ ବ୍ୟାରେଜ ନିର୍ମାଣ କରିଛି। ଏହାର ପ୍ରତିବାଦ କଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି କୋର୍ଟ ଓ କଚେରୀକୁ ମାମଲା ଗଲା। ମାତ୍ର କିଛି ଲାଭ ମିଳିଲା ନାହିଁ। ଟ୍ରିବ୍ୟୁନାଲ ଗଠନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଲେ। ହେଲେ ପ୍ରଧାନମନ୍ତ୍ରୀ ଏହାକୁ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି।”

ଦାମ କହିଛନ୍ତି-“ଛତିଶଗଡ଼ ସରକାର ବ୍ୟାରେଜ କରିବା ଦ୍ୱାରା ମହାନଦୀ ଶୁଖିଲା ପଡ଼ିଛି। ବ୍ୟାରେଜରେ ପାଣି ନାହିଁ। କେନାଲ ଶୁଖିଲା ପଡ଼ିଲା। ତାଳଦଣ୍ଡା କେନାଲରେ ପାଣି ନଥିବାରୁ ପାରାଦୀପ ବନ୍ଦର ସହରରେ ହାହାକାର ପଡ଼ିଛି। କଟକରେ ବ୍ୟାରେଜ ଡିଭିଜନ୍‌ର ଇଞ୍ଜିନିନୟରଙ୍କ ଗୋଡ଼ ହାତ ଧରିବା ପରେ ପାଣି ମୁନ୍ଦାଏ ମିଳିଲା।”

ସେ କହିଛନ୍ତି-“ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ କେମିକାଲ ଶିଳ୍ପ ପାଇଁ ବ୍ୟାରେଜ ନିର୍ମାଣ କରିଛି। ଏଥିରୁ ନିର୍ଗତ ପାଣି ମହାନଦୀରେ ମିଶିଲେ ସମ୍ପୂର୍ଣ୍ଣ ବିଷାକ୍ତ ହୋଇଯିବ। ଜଳ ଜୀବ ମରିଯିବେ। ଲକ୍ଷାଧିକ ମତ୍ସ୍ୟଜୀବୀ ପରିବାର ଜୀବିକା ହରାଇବେ। ବିଶେଷକରି ପାରାଦୀପରେ ୨୫,୦୦୦ ମତ୍ସ୍ୟଜୀବୀ ଜୀବିକା ହରାଇବେ। ଏହାଛଡ଼ା ସେହି ପାଣି ବ୍ୟବହାର କଲେ ଚର୍ମ ରୋଗ ମଧ୍ୟ ହେବ।”

ସେ କହିଛନ୍ତି-“ସମ୍ୱିଧାନର ନିୟମ ଅନୁସାରେ ଯେଉଁ ନଦୀ ଏକାଧିକ ରାଜ୍ୟ ଦେଇ ପ୍ରବାହିତ ସେହି ରାଜ୍ୟ ଗୁଡ଼ିକ ସହିତ ଆଲୋଚନା କରାଯିବା କଥା। ମାତ୍ର ମହାନଦୀ କ୍ଷେତ୍ରରେ ସେମିତି କିଛି କରାଯାଉ ନାହିଁ। ବିବାଦ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟସ୍ଥତା କରିବା କଥା। ତାହା ମଧ୍ୟ ସେ କଲେ ନାହିଁ। ବରଂ ଛତିଶଗଡ଼କୁ ସାହାଯ୍ୟ କରୁଛନ୍ତି। ପୂର୍ବରୁ ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ଜଳ ବିବାଦ ସମାଧାନ ପାଇଁ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟସ୍ଥତା କରିଥିଲେ। ନରେନ୍ଦ୍ର ମୋଦି କ’ଣ ପ୍ରଧାନମନ୍ତ୍ରୀ ନୁହଁନ୍ତି? ଅନ୍ୟ କାହାକୁ ନୁହେଁ ତାଙ୍କର ଦଳର ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ପଥ କ’ଣ ଅନୁସରଣ କରିବାକଥା ନୁହେଁ? ଅତି ନିର୍ଲଜ ଓ ବେଆଇନ୍‌ ଭାବେ ସମ୍ୱିଧାନକୁ ଖାତିର ନକରି ମହାନଦୀର ଶୁଖିଲା ବାଲିରେ ସଭା କରିବାକୁ ଆସୁଛନ୍ତି। ତାଙ୍କୁ ଟିକେହେଲେ ଲାଜ ସରମ ଅଛି। କେବଳ କ୍ଷମତାର ଅହଂଙ୍କାର ପାଇଁ ସେ ଏମିତି କରୁଛନ୍ତି।”

Related story