ତିନି ବର୍ଷ ଜେଲ୍ ଦଣ୍ଡାଦେଶ ପାଇବାର ପରେ ପରେ ଦିଲୀପଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ୧୯୯୯ ଝାଡ଼ଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଅପରାଧିକ ଷଡ଼ଯନ୍ତ୍ର ସମେତ ଅନ୍ୟ ଧାରାରେ ଦିଲୀପଙ୍କ ସମେତ ଦୋଷୀ ସାବ୍ୟସ୍ତ ଅନ୍ୟ ତିନିଜଣଙ୍କୁ ମଧ୍ୟ ତିନି ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ। ତେବେ ଦଣ୍ଡାଦେଶର ଠିକ୍ ପରେ ପରେ ଦିଲୀପଙ୍କ ସମେତ ସମସ୍ତ ୪ ଜଣଙ୍କୁ ବେଲ୍ ମିଳିଯାଇଛି। ଦିଲୀପଙ୍କ […]

dilip

Ranjit Kumar Jena
  • Published: Monday, 26 October 2020
  • , Updated: 26 October 2020, 08:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ୧୯୯୯ ଝାଡ଼ଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଅପରାଧିକ ଷଡ଼ଯନ୍ତ୍ର ସମେତ ଅନ୍ୟ ଧାରାରେ ଦିଲୀପଙ୍କ ସମେତ ଦୋଷୀ ସାବ୍ୟସ୍ତ ଅନ୍ୟ ତିନିଜଣଙ୍କୁ ମଧ୍ୟ ତିନି ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ। ତେବେ ଦଣ୍ଡାଦେଶର ଠିକ୍ ପରେ ପରେ ଦିଲୀପଙ୍କ ସମେତ ସମସ୍ତ ୪ ଜଣଙ୍କୁ ବେଲ୍ ମିଳିଯାଇଛି।

ଦିଲୀପଙ୍କ ସହ ଅନ୍ୟ ତିନିଜଣ ତଥା ତତ୍କାଳୀନ କୋଇଲା ସଚିବ ପ୍ରଦୀପ ବାନାର୍ଜୀ, ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମ ଓ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ତିନିବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ଏପରିକି ଦିଲୀପଙ୍କ ସମେତ ସମସ୍ତ ତିନି ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡକୁ ୬୦ଲକ୍ଷ ଓ କାଷ୍ଟ୍ରନ୍ ମାଇନିଂକୁ ୧୦ ଲକ୍ଷ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ଦଣ୍ଡବିଧାନ ପରେ ପରେ ଦିଲୀପଙ୍କ ସମେତ ସମସ୍ତ ଦୋଷୀଙ୍କୁ ଜାମିନ୍ ମିଳିଛି। ଜଣେ ଜାମିନ୍ଦାରଙ୍କ ସମେତ ୧ ଲକ୍ଷ ଟଙ୍କା ବେଲ୍ ବଣ୍ଡରେ କୋର୍ଟ ଏହି ଜାମିନ୍ ପ୍ରଦାନ କରିଛନ୍ତି। ଅପରପକ୍ଷେ ଏହି ରାୟ ବିରୋଧରେ ଦିଲୀପ ଉପରକୋର୍ଟକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଅମଳରେ କୋଲ୍ ବ୍ଲକ୍ ଆବଣ୍ଟନରେ ଦୁର୍ନୀତିର ଅଭିଯୋଗ ଆସିଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବି ସେତେବେଳେ ଏନଡିଏର ଅଂଶୀଦାର ଥିଲା ଏବଂ ଏହି ଦଳର ସାଂସଦ ଦିଲୀପ ଥିଲେ କୋଇଲା ରାଷ୍ଟ୍ରମନ୍ତ୍ରୀ। ତେବେ ୨୧ ବର୍ଷ ପରେ ଏହି ମାମଲାରେ ଦିଲୀପଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନେତା।

ସିବିଆଇ ଚାର୍ଜସିଟ୍ ଅନୁସାରେ ୧୯୯୮ରେ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡ୍-CTL ଝାଡ଼ଖଣ୍ଡର ବ୍ରହ୍ମଡିହା କୋଇଲା ଖଣି ପାଇଁ ଆବେଦନ କରିଥିଲା, ଯାହାର ଅନୁଧ୍ୟାନ କରିଥିଲା କୋଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ ମାଇନ୍ ପ୍ଲାନିଂ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ୍ ଲିମିଟେଡ୍ ବା CMPDIL। ବ୍ରହ୍ମଡିହାରେ ଖଣି ଖନନ ଉପଯୋଗୀ ନୁହେଁ ବୋଲି ଦର୍ଶାଇଥିଲା। ତେବେ ୧୯୯୯ ଏପ୍ରିଲ୍ ୨୩ ଏବଂ ମେ ୧୨ରେ ତତ୍କାଳୀନ କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କ ପାଖକୁ ଏ ଫାଇଲ୍ ଆସିଥିଲା ଏବଂ କୋଲ୍ ଇଣ୍ଡିଆ ଓ CMPDILର କଡ଼଼ା ଆପତ୍ତି ସତ୍ତ୍ୱେ CTLକୁ ବ୍ରହ୍ମଡିହା ଖଣି ମିଳିଥିଲା।

ତେବେ ଏହ ଆବଣ୍ଟନ ପଛରେ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମ ଓ ଅତିରିକ୍ତ କୋଇଲା ସଚିବ ପ୍ରଦୀପ ବାନାର୍ଜୀଙ୍କ ବଳିଷ୍ଠ ଭୂମିକା ଥିବାର ପ୍ରମାଣ ପାଇଥିଲା ସିବିଆଇ। ଏହି ମାମଲାରେ ୧୭ ଏପ୍ରିଲ୍ ୨୦୧୭ରେ ଦିଲୀପଙ୍କ ନାଁରେ ସିବିଆଇ ଚାର୍ଜଫ୍ରେମ୍ କରିଥିଲା। ଚଳିତ ବର୍ଷ ଅକ୍ଟୋବର ୬ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅପରାଧିକ ଷଡ଼ଯନ୍ତ୍ର ସହ ଅନ୍ୟ ଧାରାରେ ଦିଲୀପଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଆଜି ଆସିଛି ଦଣ୍ଡାଦେଶ।

Related story