୭୪ବର୍ଷ ପରେ ବି ହାସଲ ହୋଇପାରିନି ଗାନ୍ଧିଜୀଙ୍କ ସ୍ୱପ୍ନ: ଜଷ୍ଟିସ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧୀ ଆଦର୍ଶ ବା ବିଚାର ସମଗ୍ର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ଼ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ ଏହା ଏପର୍ଯ୍ୟନ୍ତ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ। ଏପରିକି ଦେଶ ସ୍ୱାଧୀନତା ହାସଲ କରିବାର ୭୪ବର୍ଷ ପରେ ମଧ୍ୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ତଥା ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ହାସଲ ହୋଇପାରି ନାହିଁ। ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ […]

justice

Ranjit Kumar Jena
  • Published: Monday, 04 January 2021
  • , Updated: 04 January 2021, 10:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧୀ ଆଦର୍ଶ ବା ବିଚାର ସମଗ୍ର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ଼ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ ଏହା ଏପର୍ଯ୍ୟନ୍ତ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ। ଏପରିକି ଦେଶ ସ୍ୱାଧୀନତା ହାସଲ କରିବାର ୭୪ବର୍ଷ ପରେ ମଧ୍ୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ତଥା ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ହାସଲ ହୋଇପାରି ନାହିଁ। ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ଆଜି ଆୟୋଜିତ ସିମ୍ପୋଜିୟମରେ ବିଶିଷ୍ଟ ବ୍ୟକ୍ତମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତାମାଳାରେ ‘ମହାତ୍ମା ଗାନ୍ଧୀଙ୍କ ପରେ ଭାରତ ବର୍ଷ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ କହିଥିଲେ ଯେ, ଦେଶରୁ ଜାତିପ୍ରଥା, ସାମ୍ପ୍ରଦାୟିକତା, ଦାରିଦ୍ର‌୍ୟ, ବେରୋଜଗାରୀ, ହିଂସା, ମିଥ୍ୟାଚାର ଓ ଅପରାଧ ଦୂର କରି ସ୍ୱଦେଶୀ, ସ୍ୱାଭିମାନ ଓ ସାବଲମ୍ବନର ଭିତ୍ତିଭୂମି ଉପରେ ସୁନାର ସମୃଦ୍ଧ ସମାଜ ଗଢ଼ିବା ଲାଗି ଗାନ୍ଧୀଜୀ ଯେଉଁ ନିରନ୍ତର ଉଦ୍ୟମ କରୁଥିଲେ ତାହା ଅଧୁରା ରହିଯାଇଛି। ଆର୍ଥିକ, ସାମାଜିକ, ରାଜନୀତିକ, ସାଂସ୍କୃତିକ, ନୈତିକ କ୍ଷେତ୍ରରେ ବ୍ୟାପକ ଅଧପତନ ଯୋଗୁଁ ଭାରତର ଯେଭଳି ସମୃଦ୍ଧି ହେବାକଥା ତାହା ଏପର୍ଯ୍ୟନ୍ତ ହାସଲ କରାଯାଇନାହିଁ । ଗାନ୍ଧୀଙ୍କ ମାର୍ଗରୁ ବିଚ୍ୟୁତ ହେବା ଫଳରେ ଦେଶରେ ଏଭଳି ସ୍ଥିତି ଲାଗି ରହୁଛି ବୋଲି ଜଷ୍ଟିସ ପଟ୍ଟନାୟକ କହିଛନ୍ତି।

ସେହିପରି ବିଶିଷ୍ଟ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି କହିଥିଲେ ଯେ, ପିଲା ଦିନରୁ ରାଜକିଶୋର ନାୟକଙ୍କ ଚିନ୍ତା ଓ ଚେତନାରେ ଗାନ୍ଧୀବାଦର ଯେଉଁ ବୀଜ ବପନ ହୋଇଥିଲା ତାହା ତାଙ୍କୁ ପରବର୍ତ୍ତୀ ସମୟରେ ଏକ ସମର୍ପିତ ସଫଳ ସାଧକରେ ପରିଣତ କରିଥିଲା। ବର୍ତ୍ତମାନର ପୀଢି ଗାନ୍ଧୀଜୀଙ୍କ ଠାରୁ ଆରମ୍ଭ କରି ସ୍ୱର୍ଗତ ନାୟକଙ୍କ ପର୍ଯ୍ୟନ୍ତ ସ୍ମରଣୀୟ ବ୍ୟକ୍ତିମାନଙ୍କ ଯଶକିର୍ତ୍ତୀର ଅନୁଶୀଳନ କରି ତାହାକୁ ନିଜ ଉପରେ ପ୍ରୟୋଗ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି।

ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ କହିଥିଲେ ଯେ, ପାଟକୁରା ଗାନ୍ଧୀ ଭାବେ ପରିଚିତ ସ୍ୱର୍ଗତ ରାଜକିଶୋର ନାୟକଙ୍କ ଜୀବନୀର ବିଶ୍ଲେଷଣ କରିବା ସହ ସେବା,ସଂଗ୍ରାମ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ତାଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲୋ ବିଶିଷ୍ଟ ସାହିତ୍ୟକ ସୀତାକାନ୍ତ ମହାପାତ୍ର କହିଥିଲେ ଯେ, ଛାତ୍ର ଜୀବନରେ ରାଜକିଶୋର ନାୟକଙ୍କ ଭଳି ଶିକ୍ଷକଙ୍କ ଦ୍ୱାରା କିଭଳି ପ୍ରେରଣା ପାଇଥିଲେ ଓ ତାହା ପରବର୍ତ୍ତୀ ଜୀବନରେ ତାଙ୍କୁ କିଭଳି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚାଇଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଫାଉଣ୍ଡେସନର ସଭାପତି ପ୍ରହଲାଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ମଳପ୍ରଭା ନାୟକଙ୍କ ରଚିତ ‘ସାୟାହ୍ନର ସ୍ମୃତି’ ପୁସ୍ତକର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍ ମେମୋରିଜ’ ଲୋକାର୍ପିତ ହୋଇଥିଲ।। ଏହାର ଅନୁବାଦକ ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ପୁସ୍ତକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

Related story