ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରିଫ୍ ଧାନ କିଣା ଲାଗି ଟୋକନ୍ ବ୍ୟବସ୍ଥା ବିରୋଧରେ ପୁଣି ତାତିଲେ ପଶ୍ଚିମ ଓଡ଼ଶାର ଚାଷୀ। ଆଜି ସମ୍ବଲପୁର ଓ ବରଗଡ଼ରେ ଚରମ ସୀମାରେ ପହଞ୍ଚଥିଲା ଚାଷୀ ଅସନ୍ତୋଷ । ଟୋକନ୍ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସମ୍ବଲପୁର ଜିଲ୍ଲାର ୪ ଜଣ ବିଧାୟକଙ୍କ ଘର ଆଗରେ ଧାନ ବସ୍ତା ରଖି ଓ ବରଗଡ଼ରେ ଜିଲ୍ଲାପାଳଙ୍କ ଅଫିସରେ ତାଲା ପକାଇ ଅସନ୍ତୋଷ ଝାଡ଼ିଛନ୍ତି ଚାଷୀ । ଚେତାବନୀ ଦେଇଛନ୍ତି, ଟୋକନ୍ ସିଷ୍ଟମ୍ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଆହୁରି ତେଜିବ।
ସମ୍ବଲପୁରରେ ଜୟନାରାୟଣ ମିଶ୍ର, ରେଢାଖୋଲରେ ରୋହିତ ପୂଜାରୀ, ରେଙ୍ଗାଳିରେ ନାଉରୀ ନାୟକ ଓ କୁଚିଣ୍ଡାରେ କିଶୋର ନାୟକ। ସମ୍ବଲପୁର ଜିଲ୍ଲାର ଏହି ୪ ବିଧାୟକଙ୍କ ଘର ଆଗରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ। ଧାନ କିଣା ପାଇଁ ଟୋକନ ବ୍ୟବସ୍ଥାକୁ ବିରୋଧ କରି ତୁରନ୍ତ ପ୍ରତ୍ୟାହାର ଦାବିରେ ଦିନ ତମାମ ଏମିତି ତାତିଥିଲେ ଚାଷୀ। ଆନ୍ଦୋଳନ ପ୍ରଥମେ ଆରମ୍ଭ ହୋଇଥିଲା ରେଙ୍ଗାଲି ବିଧାୟକଙ୍କ ଧନୁପାଲୀସ୍ଥିତ ବାସଭବନ ଆଗରେ।
ଟ୍ରାକ୍ଟରରେ ଧାନ ଆଣି ନାରା ଦେଇଥିଲେ ଚାଷୀ ଓ ଚାଷୀ ନେତା ଏହାପରେ ରୋହିତ ପୂଜାରୀଙ୍କ ସାକ୍ଷିପଡ଼ା କଲୋନୀସ୍ଥିତ ଘର ଓ ଜୟନାରାଣୟ ମିଶ୍ରଙ୍କ ନନ୍ଦପଡ଼ା ବାସଭବନ ଓ କିଶୋର ନାୟକଙ୍କ ଘର ଆଗରେ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ। ବରଗଡ଼ ଜିଲ୍ଲାରେ ବି ଟୋକନ ବ୍ୟବସ୍ଥାକୁ ବିରୋଧ କରି ତୀବ୍ର ହୋଇଛି ଆନ୍ଦୋଳନ । ଗତକାଲି ଅତାବିରା ତହସିଲ ଅଫିସ ଘେରାଉରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବ୍ୟାପି ଥିଲା। ଅଫିସ୍ ଭିତରେ ଆନ୍ଦୋଳନରତ ଚାଷୀ ଧସେଇ ପଶି ମୁଖ୍ୟ ଫାଟକରେ ତାଲା ଲଗାଇଥିଲେ। କିଛି ସମୟ ପାଇଁ ସେଠାରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ପରେ ଜିଲ୍ଲା ଯୋଗାଣ ବିଭାଗ ଅଫିସରେ ବି ତାଲା ପକାଇଥିଲେ ଚାଷୀ। ସରକାର ଟୋକନ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର ନକଲେ ଆଗକୁ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ।
ଖରିଫ୍ ଧାନ କିଣା ଲାଗି ସରକାରଙ୍କ ଟୋକନ୍ ସିଷ୍ଟମ୍କୁ ବିରୋଧ କରି ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାରେ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।