ଆଶ୍ୱସ୍ତି ମିଳିଲା, ତଥାପି ଚାଷୀଙ୍କୁ ପୁଲିସ ଭୟ

ବରଗଡ଼/ ବିନିକା/ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଲକ୍ ଡାଉନ୍ ସମୟରେ ବି ଚାଲିବ ଚାଷ କାମ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଚାଷୀକୁ ଆଶ୍ୱସ୍ତ ତ କରିଛି। ହେଲେ ବାସ୍ତବରେ, ଅମଳ ହେଉ କି ମଣ୍ଡିରେ ଧାନ ବିକ୍ରି, ପାଦେ ପାଦେ ସମସ୍ୟାରେ ଧନ୍ଦି ହେଉଛି ଚାଷୀ । ଏପରିକି କିଛି ସ୍ଥାନରେ ପୁଲିସର ମାଡ଼ ଭୟରେ ଏଯାଏଁ ବିଲକୁ ଯିବାକୁ ବି ସାହସ କରିପାରୁନି ଚାଷୀ।  ତେଣୁ ଏଭଳି ସ୍ଥିତିରେ ଆବଶ୍ୟକ ପଦକ୍ଷେପ […]

b-909

Tapas Behera
  • Published: Saturday, 11 April 2020
  • , Updated: 11 April 2020, 08:45 PM IST

ବରଗଡ଼/ ବିନିକା/ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଲକ୍ ଡାଉନ୍ ସମୟରେ ବି ଚାଲିବ ଚାଷ କାମ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଚାଷୀକୁ ଆଶ୍ୱସ୍ତ ତ କରିଛି। ହେଲେ ବାସ୍ତବରେ, ଅମଳ ହେଉ କି ମଣ୍ଡିରେ ଧାନ ବିକ୍ରି, ପାଦେ ପାଦେ ସମସ୍ୟାରେ ଧନ୍ଦି ହେଉଛି ଚାଷୀ । ଏପରିକି କିଛି ସ୍ଥାନରେ ପୁଲିସର ମାଡ଼ ଭୟରେ ଏଯାଏଁ ବିଲକୁ ଯିବାକୁ ବି ସାହସ କରିପାରୁନି ଚାଷୀ।  ତେଣୁ ଏଭଳି ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ଗୃହ ବିଭାଗ।

କେଉଁଠି ଜମିରେ ରବି ଧାନ ପାଚି ଝଡ଼ିଯିବାକୁ ବସିଲାଣି ତ କେଉଁଠି ଅମଳ ପରେ ମଣ୍ଡିକୁ ଯାଇ ନପାରି କାହା ଘର ଦୁଆର ମୁହଁରେ ପଡ଼ିରହିଛି। ଆଉ ଏପଟେ ତୋଳା ହୋଇ ନପାରି ବିଲରେ ପଚୁଛି କଞ୍ଚା ପରିବା। ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନର ଏସବୁ ଦୃଶ୍ୟ ବଖାଣୁଛି ଚାଷୀ ଦୁର୍ଦ୍ଦଶାର କାହାଣୀ। ଏଭିତରେ ଲକ୍‌ଡାଉନ୍ ୩୦ ଏପ୍ରିଲ୍ ଯାଏଁ ବଢିଯିବା ଅନ୍ନଦାତାର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଆଉ କିଛି ଦିନ ପରେ ରବି ଧାନ ଅମଳ ହେବାକୁ ଥିବା ବେଳେ ପୁଲିସର ମାଡ଼ ଭୟରେ ବିଲକୁ ଯିବାକୁ ଡରୁଛି ଚାଷୀ।

ସୁନ୍ଦରଗଡ଼ କାଲୋବାହାଲରେ ତ ଚାଷୀ ହାତରେ ଟୋକନ୍ ଥାଇ ବି ଏଯାଏଁ ଖରିଫ ଧାନକୁ ବି ମଣ୍ଡିଯାଏ ନେଇ ନପାରି ହତାଶ ହୋଇପଡ଼ିଛି। ଏପଟେ ଆସନ୍ତା ୨୬ରେ ଅକ୍ଷୟ ତୃତୀୟା ଅଖି ମୁଠି ଅନୁକୂଳର ସମୟ।

ହେଲେ ସେତେବେଳକୁ ବି ଲକ୍‌ଡାଉନ୍ ଉଠି ନଥିବାରୁ ଆଶଙ୍କାରେ ଥିବା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ସରକାରଙ୍କ ଭରସା । ତିନି ଦିନ ତଳେ କେନ୍ଦ୍ର କୃଷି ମନ୍ତ୍ରୀ ଓ ରାଜ୍ୟ କୃଷିମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ଆଲୋଚନାରେ ଲକ୍ ଡାଉନ୍ ସମୟରେ ଯେଭଳି ଚାଷ କାଅର୍ଯ୍ୟ ପ୍ରଭାବିତ ନହୁଏ ସେଥିପାଇଁ ଧ୍ୟାନ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅମଳ, ବୁଣାବୁଣି, କୃଷିଜାତ ଦ୍ରବ୍ୟର ସଂଗ୍ରହଠୁ ନେଇ ମଣ୍ଡିକୁ କାର୍ଯ୍ୟକ୍ଷମ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଚିଠି ଲେଖିଛି ରାଜ୍ୟ ଗୃହ ବିଭାଗ । ହେଲେ ସବୁକିଛି ସାମାଜିକ ଦୂରତ୍ୱ ନିୟମ ଭିତରେ ହିଁ କରିବାକୁ କୁହାଯାଇଛି।

କୃଷି କାର୍ଯ୍ୟରେ ଚାଷୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ତ ରହିଛି  ହେଲେ ବାସ୍ତବିକତା ହେଉଛି କିଛି ସ୍ଥାନରେ ପୁଲିସର ମାଡ଼ ଭୟରେ ଚାଷୀ ଓ କୃଷି ଶ୍ରମିକ ଘରୁ ବାହାରିବାକୁ ଡରୁଛନ୍ତି । ସେମାନଙ୍କ ମନରୁ ଏ ଡର ଯେତେ ଶୀଘ୍ର ଯିବ ସେତେ ଭଲ।

Related story