ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପଜିଟିଭ ହୋଇଥିବା ସତ୍ତ୍ୱେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ପୁରୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ମାମଲା ଦାୟର ହୋଇଛି। ପୁଲିସ୍ ସଠିକ ଭାବେ ଏହି ଘଟଣାର ତଦନ୍ତ କରୁ ନ ଥିବା ଅଭିଯୋଗ ଆଣି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିସି କେସ୍ କରାଯାଇଛି।
ଗୋଟିଏ ପଟେ ଲୋକଙ୍କ ମୁହଁରୁ ସାମାନ୍ୟ ମାସ୍କ ଖସିଲେ ପୁଲିସ୍ ଫାଇନ ଆଦାୟ କରୁଛି । ଅଥଚ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ବେଳେ କରୋନା ପଜିଟିଭଙ୍କ ସମେତ ଶହ ଶହ ଲୋକେ କିପରି ସାମିଲ ହେଲେ ତାକୁ ନେଇ ଜଗନ୍ନାଥ ସେନା ପ୍ରଶ୍ନ ଉଠାଇଛି ।
ଅପରପକ୍ଷେ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ କିଛି ଦିନ ପୂର୍ବେ ଏପିଡେମିକ ଆକ୍ଟରେ ମାମଲା ରୁଜୁ କରିଛି ପୁରୀ ପୁଲିସ୍ । ଏହାପରେ ଏକ ଭିଡିଓ ବାର୍ତ୍ତାରେ କରୋନା ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ୍ ଥିଲା ବୋଲି ସ୍ୱୀକାର କରି ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିବା କହିଥିଲେ।
’‘ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ମୋ ପାଇଁ ସଂପୂର୍ଣ୍ଣ ଭୁଲ୍ ଥିଲା ବୋଲି ମଧ୍ୟ କହିଥିଲେ। ଏଥିସହ ସରକାରଙ୍କ ଆଇନଠୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ, ମୁଁ ମାନିବାକୁ ପ୍ରସ୍ତୁତ। ମୁଁ କରିଥିବା ଭୁଲ୍ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି।” ଜାରି ଭିଡିଓରେ ଏପରି କହିଥିଲେ ବିଧାୟକ ଉମା ସାମନ୍ତରାୟ।
ସୂଚନାଯୋଗ୍ୟ, ପୁରୀ ସ୍ୱର୍ଗଦ୍ୱାରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶବସତ୍କାର କରାଯାଇଥିଲା। ମହାମାରୀ କରୋନା ପଜିଟିଭ୍ ଥାଇ ମଧ୍ୟ ସ୍ୱର୍ଗତ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ବିଧାୟକ ଉମା ସାମନ୍ତରାୟ ଏବଂ ମନ୍ତ୍ରୀ ସମୀର ଦାସ ଯୋଗ ଦେଇଥିଲେ। ଜଗନ୍ନାଥ ସେନା ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହାକୁ ନେଇ ତୀବ୍ର ଅଭିଯୋଗ ହୋଇଥିଲା । ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ଉପସ୍ଥିତିରେ କିପରି ସ୍ୱର୍ଗଦ୍ୱାରକୁ ଆସିଲେ ବୋଲି ଜଗନ୍ନାଥ ସେନା ଆବାହକ ପିକୁ ପଟ୍ଟନାୟକ ପ୍ରଶ୍ନ ଉଠାଇ ଥିଲେ। ଏହି ଅଭିଯୋଗ ଆଧାରରେ ସମୁଦ୍ରକୂଳ ଥାନା ପୁଲିସ୍ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ଏନେଇ ପୂର୍ବରୁ ପିକୁ ସମୁଦ୍ରକୂଳ ଥାନାରେ ଏତଲା ଦେବା ପରେ ତାଙ୍କ ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ସମୀର ଦାଶ ମିଛ କଥା ବୋଲି ସଫେଇ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ତାଙ୍କୁ କରୋନା ହୋଇନି ବରଂ ସେ ଆଶିଂକ କରୋନା ସଂକ୍ରମିତ। ଏପରିକି ତାଙ୍କଠାରୁ କରୋନା ଜୀବାଣୁ କାହାକୁ ସଂକ୍ରମିତ ହୋଇପାରି ନାହିଁ ମନ୍ତ୍ରୀ ତାଙ୍କ ସଫେଇରେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।