ବନ୍ୟା ନିୟନ୍ତ୍ରଣରେ ଖୋଜା ହେବ ଭୁଲ ଠିକ୍, ଜଳସଂପଦ ବିଭାଗ ମାଗିଲା ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଦ୍ୟାବଧି ବନ୍ୟାରେ ରାଜ୍ୟର ୧୩ ଜିଲ୍ଲାର ୭୩ ବ୍ଲକ ପ୍ରଭାବିତ ହୋଇଛି। ସରକାରୀ ଏହି ରିପୋର୍ଟ ପ୍ରମାଣିତ କରିଛି ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ ମାରିଛନ୍ତି। ମହାନଦୀ ବନ୍ୟାରେ ତିର୍ତ୍ତୋଲ, କୁଜଙ୍ଗ, ବାଙ୍କୀ, କଣାସ ଜିଲ୍ଲାର ସର୍ବାଧିକ ଅଞ୍ଚଳ ପ୍ରଭାବିତ ହୋଇଛି। ଧୀରେ ଧୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି। କିନ୍ତୁ ଅନେକ ଗାଁରୁ ଏବେ ବି ପାଣି ଛାଡିନି। କିଏ ପିଲାଛୁଆ ଧରି ରାସ୍ତା ଉପରେ ତ କିଏ ସ୍କୁଲ ଘରେ ଆଶ୍ରୟ […]

Hirakuda

  • Published: Sunday, 21 August 2022
  • , Updated: 21 August 2022, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଦ୍ୟାବଧି ବନ୍ୟାରେ ରାଜ୍ୟର ୧୩ ଜିଲ୍ଲାର ୭୩ ବ୍ଲକ ପ୍ରଭାବିତ ହୋଇଛି। ସରକାରୀ ଏହି ରିପୋର୍ଟ ପ୍ରମାଣିତ କରିଛି ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ ମାରିଛନ୍ତି। ମହାନଦୀ ବନ୍ୟାରେ ତିର୍ତ୍ତୋଲ, କୁଜଙ୍ଗ, ବାଙ୍କୀ, କଣାସ ଜିଲ୍ଲାର ସର୍ବାଧିକ ଅଞ୍ଚଳ ପ୍ରଭାବିତ ହୋଇଛି। ଧୀରେ ଧୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି। କିନ୍ତୁ ଅନେକ ଗାଁରୁ ଏବେ ବି ପାଣି ଛାଡିନି। କିଏ ପିଲାଛୁଆ ଧରି ରାସ୍ତା ଉପରେ ତ କିଏ ସ୍କୁଲ ଘରେ ଆଶ୍ରୟ ନେଇଛି।

ସେପଟେ ମହାନଦୀରେ ଆସିଥିବା ବଡ଼ ବନ୍ୟାର ସଠିକ୍ ପରିଚାଳନାକୁ ନେଇ ଉଠିଛି ପ୍ରଶ୍ନ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ମାଗିଛି ଜଳସଂପଦ ବିଭାଗ।  ଛତିଶଗଡ଼ ସହ ଉତ୍ତମ ସମନ୍ୱୟ ରଖି, ସଠିକ୍ ଜଳ ପରିଚାଳନା କରାଯାଇଥିଲେ ହୁଏତ ବଡ଼ ବନ୍ୟା ବିଭୀଷିକାକୁ ଏଡାଯାଇ ପାରିଥାନ୍ତା ବୋଲି କୁହାଯାଇଛି। ତେଣୁ ୨୦୧୧ ହୋଇଥିବା ବନ୍ୟା ସହ ତୁଳନା କରି ଏକ ରିପୋର୍ଟ ଦେବାକୁ କୁହାଯାଇଛି। ତେଣୁ ହୁଏତ ଏହି ଚିଠି ପରେ ବନ୍ୟା ହେବାର ଭୁଲ ଠିକ୍ ନେଇ ଚିତ୍ର ବାହାରକୁ ଆସିପାରେ କିମ୍ବା ଅନେକ ଚିଠି ଭଳି ଏହା ମଧ୍ୟ ସରକାରୀ ଫାଇଲ୍ ଭିତରେ ଚାପି ହୋଇଯାଇପାରେ।

ଏନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି, ରିପୋର୍ଟ ଆସିବା ପରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ତର୍ଜମା କରାଯିବ।

ସେପଟେ ମହାନଦୀରେ ଆସିଥିବା ବନ୍ୟା ମନୁଷ୍ୟକୃତ ଓ ବନ୍ୟା ପରିଚାଳନାରେ ସରକାର ଫେଲ୍ ମାରିଥିବା ପୁଣିଥରେ ଅଭିଯୋଗ କରିଛି ବିଜେପି। ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ହୀରାକୁଦ ଡ୍ୟାମ୍ ରୁଲ୍ କର୍ଭ ଉଲ୍ଲଂଘନ ହୋଇଛି ଓ ବିପନ୍ନଙ୍କ ପାଖରେ ରିଲିଫ୍ ଠିକ୍ ଭାବେ ପହଞ୍ଚୁନାହିଁ। ଲୋକଙ୍କ ଚାଷବାସ ନଷ୍ଟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।

ସେହିପରି ସରକାରଙ୍କ ଦାୟିତ୍ୱହୀନତାରୁ ରାଜ୍ୟବାସୀ ବନ୍ୟା ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।

ତେବେ ଏହାର ଜବାବ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ଏହା ରାଜନୀତି କରିବାର ସମୟ ନୁହେଁ। ରାଜ୍ୟ ସରକାର ବନ୍ୟାର ସଫଳ ମୁକାବିଲା କରିଛନ୍ତି। ଏସ୍‌ଆରସି ଏହି ସମୟର ପ୍ରତ୍ୟେକ ସ୍ଥିତିର ରିପୋର୍ଟ କରିଛନ୍ତି।

ଲୋକଙ୍କ ବନ୍ୟା ଦୁର୍ଦ୍ଦଶା ଭିତରେ ଏଭଳି ଅରୋପ ଓ ପ୍ରତ୍ୟାରୋପ କିନ୍ତୁ ଲୋକଙ୍କ ସ୍ଥିତିକୁ ସୁଧାରିପାରିନି। ଓଲଟା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ବନ୍ୟା ମୁକାବିଲାରେ ସରକାର ସଫଳ ତେବେ ଲକ୍ଷଲକ୍ଷ ହେକ୍ଟର ଫସଲ ସହ ଘରବାଡ଼ି ନଷ୍ଟ ହେଲା କାହିଁକି। ବନ୍ୟା ଜଳରେ ଏବେବି ଶତାଧିକ ଗ୍ରାମ ବୁଡ଼ି ରହିଛି କାହିଁକି। କିଏ ଜୋରଦେଇ କହିପାରିବ, ଆଉ କିଏ ଓ କେତେବର୍ଷ ସରକାରରେ ରହିଲେ ବନ୍ୟା ରାଜ୍ୟ ଛାଡ଼ି ଚାଲିଯିବ। ନା ଲୋକେ ଏମିତି ବର୍ଷ ବର୍ଷ ଧରି ବନ୍ୟା ପାଣି ଆସିଲେ ଦହଗଞ୍ଜ ହେଉଥିବେ। ପିଲାମାନଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଚାଷୀର ଫସଲ ଉଜୁଡ଼ି ଚାଲିଥିବ।

Related story