ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଶନିବାର ସକାଳୁ ୮ ଲକ୍ଷ କ୍ୟୁସେକ୍ ପାଣି ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ । ଏହାପରେ ଉକ୍ତ ଦିନ ରାତିରେ ଏହି ପାଣି ମହାନଦୀର ଶାଖା ନଦୀରେ ପାର ହେବ । ତେଣୁ ମହାନଦୀରେ ବନ୍ୟା ଆସିପାରେ ବୋଲି ଆକଳନ କରାଯାଉଛି।
ଏହା ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC ପ୍ରଦୀପ ଜେନା ।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ମଧ୍ୟ ଏନେଇ ସତର୍କ ସୂଚନା ବି ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ଏବଂ ଅଗ୍ନିଶମ ବିଭାଗ ଟିମ୍ ମୁତୟନ କରାଯାଇଛି ।
ମହାନଦୀରେ ହୀରାକୁଦଠାରେ ୨୮ଟି ଗେଟ ଖୋଲାଯାଇଛି । ଜଳ ଭଣ୍ଡାରକୁ ୪ ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମପରିମାଣର ଜଳ ମଧ୍ୟ ନିଷ୍କାସିତ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳ ସ୍ତର ୬୨୮.୮୩ ଫୁଟ ରହିଛି ।
ବାଲେଶ୍ୱରର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ୧୦.୩୬ମିଟର ଛୁଇଁଛି । ଏଥିଯୋଗୁଁ ଭୋଗରାଇ ବ୍ଲକର ୪୦ଟି ଗାଁ, ବାଲିଆପାଳ ବ୍ଳକର ୪୩୦ଟି ଗାଁ ଜଳମଗ୍ନ ହୋଇଯାଇଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡିଯାଇଛି ।
ଏବେ ବର୍ଷା ହେଉ ନ ଥିଲେ ମଧ୍ୟ ପୁରୀ ଜିଲ୍ଲାର କାକଟପୁର, ଗୋପ ଓ ଅସ୍ତରଙ୍ଗ ବ୍ଲକର ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଗୋପ ବ୍ଲକର ବିରତୁଙ୍ଗ, ବଉଳାଙ୍ଗ, ମହଲାପଡା, ସିମିଳି ଓ କାକଟପୁରର କାଦୁଆ, ଅବଦାନ ଓ ବାଙ୍ଗୁରି ଏବଂ ଅସ୍ତରଙ୍ଗର କୋରଣା, ଶିଶୁଆ ପଂଚାୟତର ଶହେରୁ ଅଧିକ ଗାଁ ୪ଦିନ ହେଲା ପାଣି ଘେରରେ ଅଛନ୍ତି ।
[caption id="attachment_676422" align="aligncenter" width="650"] ଜଳେଶ୍ୱରଠାରେ ଉଛୁଳା ନଦୀ।[/caption]
କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ଉପରେ ଏବେ ବି ପାଣି ଚାଲୁଛି । ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଚାଷଜମି ଉଜୁଡି ଯାଇଛି । ଗାଁରୁ ବାହାରିବା ପାଇଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଗାଁରେ ଯିବା ଆସିବା ପାଇଁ ଦେଶୀ ଡଙ୍ଗା ଏକମାତ୍ର ମାଧ୍ୟମ ପାଲଟିଛି।
ସେହିପରି ସୁନ୍ଦରଗଡ ବଣାଇ ବ୍ଲକର ଜାଙ୍ଗଳାକୁ ସଂଯୋଗ କରୁଥିବା ସିଆଁ ଜୋର ଉପରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି । ପ୍ରାୟ ୩ କିଲୋମିଟର ରାସ୍ତା ଉପରେ ପାଣି ଜମି ରହିଛି । ଏଥିସହ ଧାନ ଚାଷ ହୋଇଥିବା ଏକର ଏକର ଜମି ପାଣିରେ ବୁଡିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।