କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟର ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ଯେଉଁଭଳି ମନଲୋଭା, ଏଠିକାର ମାଣ୍ଡିଆରେ ପ୍ରସ୍ତୁତ ଜଳଖିଆ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିପାରିଛି। ଆଉ ଏବେ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ଲାଗିପଡିଛନ୍ତି ସ୍ଥାନୀୟ ବାସିନ୍ଦା । ସୁଆଦିଆ ଖାଦ୍ୟ ଷ୍ଟଲ ଆଗରେ ଲୋକଙ୍କ ଭିଡ଼। ବରା, ପୁରୀ, ଇଡ୍ଲି, ପକୋଡି, ଖିରି ଓ ରସଗୋଲା ଆଦି କେତେ କଣ। ହେଲେ ଏସବୁ ଚାଉଳ କିମ୍ବା ସୁଜିରେ ତିଆରି ହୋଇନି। ବରଂ ମାଣ୍ଡିଆ, ସୁଆ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ତିଆରି ହୋଇଛି । ଏଭଳି ଫୁଡ କୋର୍ଟ କୋରାପୁଟସ୍ଥିତ ଜଗନ୍ନାଥ ମନ୍ଦିରର ପାଦଦେଶରେ ଖୋଲାଯାଇଛି। ଧୀରେ ଧୀରେ କୋରାପୁଟବାସୀ ନିଜ ଅଞ୍ଚଳର ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଛାଡି ଚାଉଳ ଓ ଗହମ ଉପରେ ଅଧିକ ନିର୍ଭରଶୀଳ ହେଲେଣି ।
ଏପରି କ୍ଷେତ୍ରରେ ମାଣ୍ଡିଆ, ସୁଆ ଆଦି ଶସ୍ୟ ପ୍ରତି ଲୋକେ କିଭଳି ବିମୁଖ ନହେବେ, ସେଥିପ୍ରତି ଉଦ୍ୟମ କରାଯାଇଛି। ମାଣ୍ଡିଆରୁ ପ୍ରସ୍ତୁତ ବରା, ଇଡ୍ଲି, ଦୋଷା, ସୁପ୍ ଆଦି କରାଯାଇ ଲୋକଙ୍କୁ ପରସା ଯାଉଛି। ଜାନୁୟାରୀ ୨ତାରିଖରୁ ଆରମ୍ଭ ହୋଇଥିବା ଏହି ଫୁଡ କୋର୍ଟ ଏଣିକି ପ୍ରତିଦିନ ଖୋଲାରହିବ । ଏସବୁ ଖାଦ୍ୟରୁ ପର୍ଯ୍ୟଟକ ବି ମଜା ଉଠାଇ ପାରୁଛନ୍ତି ବୋଲି କହିଛନ୍ତି ଜଗନ୍ନାଥ ମନ୍ଦିରର ସମ୍ପାଦକ।
ଶାବଣ ଶ୍ରୀକ୍ଷେତ୍ରରେ ଜଗନାଥଙ୍କ ମନ୍ଦିର ପ୍ରବେଶ ପଥ ସମ୍ମୁଖରେ ମାଣ୍ଡିଆ ଚୁନାରେ ପ୍ରସ୍ତୁତ ନାନା ପ୍ରକାର ଖାଦ୍ୟ ସାମଗ୍ରୀ ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି। ଏଭଳି ସ୍ୱତନ୍ତ୍ର ଫୁଡ଼ କୋର୍ଟ ପାରମ୍ପରିକ ଖାଦ୍ୟ ଦିଗରେ ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି । ପର୍ବପର୍ବାଣୀରେ ଆଦିବାସୀ ଲୋକେ ସେମାନଙ୍କ ଆରାଧ୍ୟ ଦେବତାଙ୍କ ନିକଟରେ ମାଣ୍ଡିଆ ପିଠା ଭୋଗ ଲଗାଇଥାନ୍ତି, ତେଣୁ ଏଠାରେ ମାଣ୍ଡିଆର ରହିଥାଏ ସ୍ୱତନ୍ତ୍ରତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।