ପିଆଜ ଦରବୃଦ୍ଧି ପାଇଁ ଜଳବାୟୁ ପ୍ରଦୂଷଣକୁ ଦାୟୀ କଲେ ମନ୍ତ୍ରୀ

ଆଠଗଡ଼(ନୀଳକଣ୍ଠ ଦୋରା): ପିଆଜ ଦର ଅଣାୟତ୍ତ ହେବା କଥାକୁ ମାନିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ। ଏଥିପାଇଁ ସେ ପରିବେଶ ସନ୍ତୁଳନର ଅଭାବ ଓ ଜଳବାୟୁ ପ୍ରଦୂଷଣକୁ ଦାୟୀ କରିଛନ୍ତି। ଏହା କେବଳ ଆମ ରାଜ୍ୟର ନୁହେଁ, ସାରା ଭାରତ ବର୍ଷର ସମସ୍ୟା ବୋଲି ସେ କହିଛନ୍ତି। ସେ କହିଛନ୍ତି-“ପିଆଜ ଉତ୍ପାଦନକାରୀ ଅଞ୍ଚଳ ଭାବେ ପରିଚିତ ମହାରାଷ୍ଟ୍ରର ନାସିକରେ ଗୋଟିଏ ଏକର ଜମିରେ ୩ ଟନ୍‌ ଉତ୍ପାଦନ ହେଉଥିଲା। ଚଳିତବର୍ଷ ବର୍ଷା ଯୋଗୁଁ ୪ […]

food-suplay-minister-say-about-onion-price-hike

Manoranjan Sial
  • Published: Saturday, 07 December 2019
  • , Updated: 07 December 2019, 04:28 PM IST

ଆଠଗଡ଼(ନୀଳକଣ୍ଠ ଦୋରା): ପିଆଜ ଦର ଅଣାୟତ୍ତ ହେବା କଥାକୁ ମାନିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ। ଏଥିପାଇଁ ସେ ପରିବେଶ ସନ୍ତୁଳନର ଅଭାବ ଓ ଜଳବାୟୁ ପ୍ରଦୂଷଣକୁ ଦାୟୀ କରିଛନ୍ତି। ଏହା କେବଳ ଆମ ରାଜ୍ୟର ନୁହେଁ, ସାରା ଭାରତ ବର୍ଷର ସମସ୍ୟା ବୋଲି ସେ କହିଛନ୍ତି।

ସେ କହିଛନ୍ତି-“ପିଆଜ ଉତ୍ପାଦନକାରୀ ଅଞ୍ଚଳ ଭାବେ ପରିଚିତ ମହାରାଷ୍ଟ୍ରର ନାସିକରେ ଗୋଟିଏ ଏକର ଜମିରେ ୩ ଟନ୍‌ ଉତ୍ପାଦନ ହେଉଥିଲା। ଚଳିତବର୍ଷ ବର୍ଷା ଯୋଗୁଁ ୪ ଥର ଫସଲ ନଷ୍ଟ ହୋଇଛି। ସେଥିପାଇଁ ସେହି ଅଞ୍ଚଳରେ ଏକରରେ ୧୦ କ୍ୱିଣ୍ଟାଲରୁ ଅଧିକ ପିଆଜି ଉତ୍ପାଦନ ହୋଇପାରୁ ନାହିଁ। ଯାହାଫଳରେ ସମଗ୍ର ଭାରତ ବର୍ଷରେ ପିଆଜ ସଙ୍କଟ ଦେଖାଦଇଛି। ଭାରତରେ ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ ପିଆଜ ଦରକାର ଥିବା ବେଳେ ଇଜିପ୍ଟ ଓ ପଡ଼ୋଶୀ ଦେଶରୁ ଆସୁଛି ଦୈନିକ ୧ ଲକ୍ଷ ମେଟ୍ରିକ ଟନ୍। ଯାହାକି ଭାରତର ପିଆଜର ଆବଶ୍ୟକତା ପୂରଣ କରିପାରିବ ନାହିଁ। ଏହାର ସ୍ଥାୟୀ ପ୍ରତିକାର କରିବାକୁ ହେଲେ ଆମ ରାଜ୍ୟରେ ପିଆଜ ଚାଷ କରିବାକୁ ପଡ଼ିବ।

ପିଆଜ ଦର ବଢ଼ୁଥିବାକୁ ନେଇ ମନ୍ତ୍ରୀ କହିଛନ୍ତି-“ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ଓ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି। ଲୋକଙ୍କୁ ସୁଲଭ ଦରରେ ପିଆଜ ଯୋଗାଇଦେବା ପାଇଁ ୨୯୧ଟା ଫେୟାର ପ୍ରାଇସ୍‌ ଷ୍ଟୋର ଖୋଲାଯାଇଛି। ଏହା ସତ୍ତ୍ୱେ ପିଆଜ ଦର ଏବେ ମଧ୍ୟ ଅଣାୟତ୍ତ ରହିଛି। ମାର୍କେଟରେ ପିଆଜ ନଥିବା ବେଳେ କଳାବଜାରୀ ହେବ କେମିତି?”

ସୂଚନାରୁ ପ୍ରକାଶ, ପଶ୍ଚିମ ଓଡ଼ିଶାରେ ପ୍ରବଳ ମାତ୍ରାରେ ପିଆଜ ଉତ୍ପାଦନ ହୋଇଥିଲା। ମାତ୍ର ସଂରକ୍ଷଣର ସୁବିଧା ନଥିବାରୁ କିଲୋ ପିଛା ୨ରୁ ୫ ଟଙ୍କା ଦରରେ ପଡ଼ୋଶୀ ଚାଷୀଙ୍କୁ ବିକି ଦେଇଥିଲେ। ଏବେ ଆମ ରାଜ୍ୟ ଓଡ଼ିଶାରେ ପିଆଜ ସଙ୍କଟ ଦେଖାଦେଇଛି। ଯେଉଁ ଚାଷୀ ୫ ଟଙ୍କାରେ ପିଆଜ ବିକିଥିଲା, ଏବେ ସେ ୧୦୦ ଟଙ୍କାରେ କିଣି ଖାଉଛି। ଏପରି ସମୟରେ ମନ୍ତ୍ରୀ କହୁଛନ୍ତି, ଚାଷ କଲେ ରାଜ୍ୟରେ ପିଆଜ ସଙ୍କଟ ଦୂର ହେବ। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ଚାଷୀ ପିଆଜ ଚାଷ କରିବେ, ତାହାହେଲେ ଅମଳ କରି ରଖିବ କେଉଁଠି? ଏଥିପାଇଁ ରାଜ୍ୟ ସରକାର ଶୀତଳ ଭଣ୍ଡାର କରିବେ କି?

Related story