ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରତାପ ଦେବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଜିଲ୍ଲା ବିଜେଡି ସଭାପତି ଓ ରେଙ୍ଗାଲି ବିଧାୟକ ଫେରାଦ ହେବେ। ଏନେଇ ଉଭୟ ନେତା ସ୍ପଷ୍ଟ କରିଛନ୍ତି।
ଗତକାଲି ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଏକ ବିଶାଳ କର୍ମୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ହେଲେ ସେଠାକୁ ତାଙ୍କୁ ନ ଡକା ଯିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ।
ସେହିପରି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ ମଧ୍ୟ ଖୋଲାଖୋଲି କହିଛନ୍ତି,“ ଏନେଇ ପର୍ଯ୍ୟବେକ୍ଷକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବି। ଗୋଶାଳା କାର୍ଯ୍ୟକ୍ରମ ବାବଦରେ ମୋତେ ସୂଚନା ମଧ୍ୟ ଦିଆଯାଇ ନଥିଲା।”
ଅନ୍ୟପକ୍ଷରେ ଏହି କର୍ମୀସମ୍ମିଳନୀରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।
ଅନ୍ୟପଟେ ଜମନକିରା ପଡ଼ିଆରେ ହେବାକୁ ଥିବା ବିଜୁ ଯୁବ ଛାତ୍ର ସମାବେଶକୁ ନେଇ ମଧ୍ୟ ବିବାଦ ଉପୁଜିଛି। ଏହି କାର୍ଯ୍ୟକ୍ରମରେ କୌଣସି ଯୁବଛାତ୍ର ନେତାଙ୍କ ନାଁ ନଥିବାରୁ ଏହାକୁ ବିରୋଧ କରାଯାଇଛି। ବ୍ୟାନର ବଦଳା ନଗଲେ ପ୍ରତାପ ଦେବଙ୍କୁ ବିରୋଧ କରାଯିବ ବୋଲି ଛାତ୍ରନେତା କହିଛନ୍ତି। ହେଲେ ଏହି ସବୁ ପ୍ରସଙ୍ଗରେ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।