/odisha-reporter/media/post_attachments/uploads/2020/10/naveen-5.jpg)
naveen
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତି ବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ ଓ ଏହା ଜନସାଧାରଣଙ୍କ ପାଇଁ ସାର୍ବଜନୀନ ହେବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ ରାଜ୍ୟ ପରିଷଦର ସଦସ୍ୟ ଏହା ଉପରେ ବିଚାର କରି ପ୍ରସ୍ତାବ ଦେବାକୁ ଆହ୍ୱାନ ଦେଇଛନ୍ତି।
ବିଜେଡି ରାଜ୍ୟ ପରିଷଦକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସାଂସଦମାନେ ବି ସ୍ୱେଚ୍ଛାକୃତ ଭାବେ ସମ୍ପତ୍ତି ତାଲିକା ସାର୍ବଜନୀନ କରି ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିବେ। ସେହିପରି ସବୁ ସରକାରୀ କର୍ମଚାରୀ ପ୍ରାରମ୍ଭିକ ସ୍ତରରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ ଓ ଏହାକୁ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ସାର୍ବଜନୀନ କରାଯିବ। ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯିବ। ଦୁର୍ନୀତି ରୋକିବା ପାଇଁ ଏଭଳି କଡ଼ା ପଦକ୍ଷେପ ନେବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ ହେବ ଓ ଅନ୍ୟ ରାଜ୍ୟମାନଙ୍କୁ ଏ ଦିଗରେ ବାଟ ଦେଖାଇବ ବୋଲି ନବୀନ କହିଛନ୍ତି। ସାଧାରଣ ଲୋକଙ୍କ ମୁହଁରେ ହସ ଓ ମନରେ ବିଶ୍ୱାସ ଗୋଟିଏ ରାଜନୀତିକ ଦଳର ସବୁଠାରୁ ବଡ଼ ସମ୍ପତ୍ତି। ତାକୁ ବଜାୟ ରଖିବା ପାଇଁ ସମସ୍ତେ ମିଳିମିଶି କାମ କରିବା ନିମନ୍ତେ ନବୀନ ନିଜ ଦଳୀୟ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି।
ସେହିପରି କାର୍ଯ୍ୟ ପରିଷଦର ବୈଠକରେ ଯେଉଁ ସବୁ ପ୍ରସ୍ତାବ ପାରିତ ହୋଇଛି ସେଥିରୁ ଯାହା ସରକାରୀସ୍ତରରେ କାର୍ଯ୍ୟକାରୀ କରିବା ଦରକାର, ସେଗୁଡ଼ିକୁ ସମ୍ପୃକ୍ତ ମନ୍ତ୍ରୀମାନଙ୍କ ପାଖକୁ ପଠାଯିବ। ଦଳର ସଂଗଠନ ସମ୍ପାଦକ ସେଗୁଡ଼ିକୁ ତଦାରଖ କରିବେ। ମହିଳାମାନଙ୍କ ସଶକ୍ତିକରଣ ସମ୍ପର୍କରେ ଆସିଥିବା ସମସ୍ତ ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନିମନ୍ତେ ଚେଷ୍ଟା କରାଯିବ। ପଛୁଆ ବର୍ଗ ସର୍ଭେ ସମ୍ପର୍କରେ ବହୁତ ଭଲ ପ୍ରସ୍ତାବ ଆସିଛି। ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଷ୍ଟୋନ୍ ହେବ। ରାଜ୍ୟ ପରିଷଦରେ ଆସିଥିବା ସମସ୍ତ ପ୍ରସ୍ତାବକୁ ନବୀନ ଅନୁମୋଦନ କରିଛନ୍ତି। ଦୁର୍ନୀତି ମୂଳୋତ୍ପାଟନ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନବୀନ ଆହ୍ୱାନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
