ଏଣିକି ମାଗଣାରେ ମିଳିବ ଜାତିଗତ ଓ ଆୟକର ପ୍ରମାଣପତ୍ର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏଣିକି ମାଗଣାରେ ଜାତିଗତ ଓ ଆୟକର ପ୍ରମାଣପତ୍ର ମିଳିବ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ଖୁବଶୀଘ୍ର ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଜାତିଗତ ଓ ଆୟକର ପ୍ରମାଣପତ୍ର ପାଇଁ ଉଦ୍ଦିଷ୍ଟ ଆବେଦନ ଫି ଓ ୟୁଜର୍ସ ଫି’କୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଯୋଜନା କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ଓ ଆର୍ଥିକ ଦୁର୍ବଳ ବର୍ଗ(ଏସଇବିସି), ଅନ୍ୟାନ୍ୟ ପଛୁଆ ବର୍ଗ( ଓବିସି) ବର୍ଗଙ୍କୁ ଜାତିଗତ ପ୍ରମାଣପତ୍ର ହାସଲ ନିମନ୍ତେ ଆଉ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ଜାତିଗତ ପ୍ରମାଣପତ୍ର ପାଇଁ ଏବେ ଆବେଦନ ଓ ୟୁଜର୍ସ ଫି’ ବାବଦରେ ଆବେଦନକାରୀଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଛି। ସେହିପରି ଆୟକର ପ୍ରମାଣପତ୍ର ପାଇଁ ମଧ୍ୟ ଆବେଦନ ଓ ୟୁଜର୍ସ ଫି’ ବାବଦରେ ଦେବାକୁ ପଡ଼ୁଥିବା ୩୦ଟଙ୍କାକୁ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ପରେ ଏହି ଉଚ୍ଛେଦ ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି।

ଓଡ଼ିଶା ଜନସେବା ଅଧିକାର ଆଇନ-୨୦୧୨ ଅନ୍ତର୍ଗତ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଜାତିଗତ ଓ ଆୟକର ପ୍ରମାଣପତ୍ର ଜାରି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।