ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର। ଏହି ୪ ଅଧିକାରୀଙ୍କ ମଧ୍ୟରେ ୨ ଜଣ ଓଏଏସ୍ ଅଫିସର ଥିବା ବେଳେ ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଅଛନ୍ତି। ସେହିପରି ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀଙ୍କୁ ବି ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଦୁର୍ନୀତି ଓ ଅପାରଗତା ପାଇଁ ଏହି ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା କୁହାଯାଇଛି। ଏହା ସହିତ ରାଜ୍ୟରେ ଏଯାବତ୍ ୧୨୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି।
ବାଧ୍ୟତାମୂଳକ ଅବସର ପାଇଥିବା ଦୁଇ ଓଏଏସ୍ ଅଧିକାରୀ ହେଲେ ଅନୁଗୋଳର ଡେପୁଟୀ କଲେର ଜାନକୀନାଥ ମିଶ୍ର ଓ ଗଜପତି ଜିଲ୍ଲା ନୂଆଗଡ଼ ତହସିଲଦାର ଆକୁଳ ମଲ୍ଲିକ। ସେହିପରି ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀ ଓ ପୂର୍ବତନ ନୂଆପଡ଼ା ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ତ୍ରିଲୋଚନ ଧଳଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍ ରହିଛି। ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟକ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସେହିପରି ତହସିଲଦାର ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍ ରହିଛି। ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ। ଢେଙ୍କାନାଳର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି। ତା’ ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍ ମଧ୍ୟ ରହିଛି। ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ନୂଆପଡ଼ାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ତାଙ୍କ ନିକଟରୁ ବହୁ ପରିମାଣରେ ଆୟ ବହିର୍ଭୂତ ଟଙ୍କା ମିଳିଥିଲା। ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।