ଆଜି ହରିଶୟନ ନୀତି, ବ୍ରତ କରିଲେ ପାପୀକୁ ବି ମିଳେ ବୈକୁଣ୍ଠ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନୀତିକ୍ରାନ୍ତି ଶେଷ ପରେ ଠାକୁରମାନଙ୍କ ସୁନାବେଶ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୫ଟା ୧୦ରେ ସରିଥିଲା। ପଞ୍ଚଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଠାକୁରଙ୍କ ଏହି ଦର୍ଶନ କରିଛନ୍ତି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ଦର୍ଶନ ଚାଲିଥିଲା। ପରେ ହରିଶୟନ ନୀତି ଆରମ୍ଭ ହୋଇଥିଲା। ଏହିନୀତି ମୁତାବକ, ରଥ ଉପରେ ବଡ଼ସିଂହାର ଭୋଗ ପରେ ମହାସ୍ନାନ ଓ ପୂଜା ଠା ହେଲା ପରେ ଭଣ୍ଡାର […]

Hari-sayana

  • Published: Sunday, 10 July 2022
  • , Updated: 10 July 2022, 10:53 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନୀତିକ୍ରାନ୍ତି ଶେଷ ପରେ ଠାକୁରମାନଙ୍କ ସୁନାବେଶ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୫ଟା ୧୦ରେ ସରିଥିଲା। ପଞ୍ଚଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଠାକୁରଙ୍କ ଏହି ଦର୍ଶନ କରିଛନ୍ତି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ଦର୍ଶନ ଚାଲିଥିଲା।

ପରେ ହରିଶୟନ ନୀତି ଆରମ୍ଭ ହୋଇଥିଲା। ଏହିନୀତି ମୁତାବକ, ରଥ ଉପରେ ବଡ଼ସିଂହାର ଭୋଗ ପରେ ମହାସ୍ନାନ ଓ ପୂଜା ଠା ହେଲା ପରେ ଭଣ୍ଡାର ମେକାପ ଭଣ୍ଡାର ଘରୁ ତିନିମୂର୍ତ୍ତି ଶୟନ ଠାକୁରଙ୍କୁ ତିନି ରଥକୁ ବିଜେ କରାଇବେ। ଯଥା-

ବଡ଼ବାଡ଼(ବଳଭଦ୍ର)-ବାସୁଦେବ।

ମଝିବାଡ଼(ସୁଭଦ୍ରା)-ଭୁବନେଶ୍ୱରୀ

ମହାପ୍ରଭୁଙ୍କ ବାଡ଼(ଜଗନ୍ନାଥ)-ନାରାୟଣ

ଏହି ଦିଅଁମାନେ ଶ୍ରୀଅଙ୍ଗକୁ ଲାଗି ହେବା ପରେ ତିନିଜଣ ପୂଜାପଣ୍ଡା ମହାସ୍ନାନ ବଢ଼ାଇବେ। ସର୍ବାଙ୍ଗ ଲାଗି, ନୂଆ ପତନି ଲୁଗାଲାଗି ଓ ମାଳ ଫୁଲ ଲାଗି ହେବେ। ତାହା ପରେ ପାଣି ପଡ଼ି ଟେରା ବନ୍ଧାଯିବ। ରଥ ଉପରେ ବଡ଼ସିଂହାର ଭୋଗ ହେବ। ଏହା ପରେ ବଲ୍ଲଭ ବଡ଼ସିଂହାର ଓ କର୍ପୂର ଆଳତି ହେବ। ୩ ଜଣ ପୂଜାପଣ୍ଡା ତିନି ରଥରୁ ବିଜେ ହୋଇଥିବା ଶୟନ ଠାକୁରଙ୍କୁ ଧରି ଶ୍ରୀମନ୍ଦିର ସାତପାହାଚ, ଜଗମୋହନ ଦେଇ ଭଣ୍ଡାର ଘର ଦୁଆର ଠାକୁ ନେବେ। ଏହା ପରେ ଶୟନ ଠାକୁରଙ୍କୁ ଶୟନ ଘରେ ଶେଯ ମାଣ୍ଡିରେ ଶୟନ କରାଇବେ। ମୁଦିରସ୍ତ ପ୍ରସାଦଲାଗି, ଆରତି ଓ ବନ୍ଦାପନା କରିବେ। ପରେ ଶୟନ ଘର ଦ୍ୱାରକୁ ତଢ଼ାଉକରଣ ମୁଦ ଦେବେ।

ସ୍କନ୍ଦ ପୁରାଣ ଅନୁସାରେ ଏହା ଭଗବାନ ଶ୍ରୀହରିଙ୍କ ଉତ୍ତମ ଶୟନୋତ୍ସବ। କର୍କଟରାଶିକୁ ସୂର୍ଯ୍ୟଦେବ ଗମନ କରିବା ସମୟରେ ଆଷାଢ଼ମାସର ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ବର୍ଷକ ମଧ୍ୟରେ ଉକ୍ତ ଚାରିମାସ ବ୍ୟାପୀ ଭଗବାନ ଶ୍ରୀହରି ଶୟନ କରନ୍ତି। କାଶୀଧାମରେ ବହୁଯୁଗ ବାସ କରିକଲେ ସାଧକକୁ ଯେଉଁ ଫଳ ମିଳେ, ଶ୍ରୀକ୍ଷେତ୍ରରେ ଏହି ସମୟରେ ମାତ୍ର ଦିନଟିଏ ଶ୍ରୀହରିଙ୍କ ସାନ୍ନିଧ୍ୟରେ ରହିଲେ ଏହି ଫଳ ମିଳେ। ଆସନ୍ତା ଚାରିମାସ ଶ୍ରୀହରିଙ୍କ ଶରଣରେ ଏଠାରେ ରହି ବ୍ରତ କଲେ ପ୍ରତ୍ୟହ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ। ଏହି ଚାରିମାସର ପରବର୍ତ୍ତି ୮ ମାସ ଶ୍ରୀକ୍ଷେତ୍ରରେ ରହି ଶ୍ରୀଜୀଉଙ୍କ ଦର୍ଶନ କଲେ ଯେଉଁ ଫଳ ମିଳେ, ଆସନ୍ତା ୪ ମାସର ଗୋଟିଏ ଦିନ ଠାକୁରଙ୍କ ଶରଣରେ ରହି ବ୍ରତ କଲେ ସେତିକି ଫଳ ମିଳେ। ଚାତୁର୍ମାସ୍ୟ ବ୍ରତ କରିପାରିଲେ ପାପୀ ମଧ୍ୟ ବୈକୁଣ୍ଠପୁର ଗମନ କରେ ବୋଲି ଏଥିରେ ବର୍ଣ୍ଣନା ରହିଛି।

Related story